ରାହୁଲଙ୍କ ପୂର୍ବରୁ ଓଡ଼ିଶା ଆସିବେ ମଲ୍ଲିକାର୍ଜୁନ ଖଡଗେ । ୨୯ରେ କଂଗ୍ରେସ ଅଧ୍ୟକ୍ଷଙ୍କ ଦିନିକିଆ ଓଡି଼ଶା ଗସ୍ତ ।

123

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ସବୁ ଦଳ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଉଛି । ଶାସକ ଦଳ ବିଜେଡିର ନେତାମାନେ ନିର୍ବାଚନମଣ୍ଡଳୀ ମୁହାଁ ହୋଇଥିବାବେଳେ ଜାତୀୟ ଦଳ ବିଜେପି ଓ କଂଗ୍ରେସ ନେତା ଓଡିଶା ମୁହାଁ ହେଲେଣି । ବିଜେପିର ନେତାମାନେ ଜିଲ୍ଳା ଜିଲ୍ଲା ବୁଲି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବାବେଳେ ଆଗକୁ ଆସିବାକୁ ଯାଉଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ।

  • ୨୯ରେ ଓଡିଶା ଆସିବେ ମଲ୍ଲିକାର୍ଜୁନ ଖଡ଼ଗେ
  • ନିର୍ବାଚନ ପାଇଁ ପ୍ରସ୍ତୁତ କରିବେ ରଣନୀତି

ଜାତୀୟ କଂଗ୍ରେସ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସିବେ ମଲ୍ଲିକାର୍ଜୁନ ଖଡଗେ । ଏଥିପାଇଁ ତାରିଖ ଧାର୍ଯ୍ୟ ସରିଛି । ଜାଗା ବି ସ୍ଥିର ହୋଇ ସାରିଛି । ଏଥିପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । କାର୍ଯ୍ୟକ୍ରମରେ କଂଗ୍ରେସର ଜିଲ୍ଲା ସଭାପତି, ବ୍ଲକ୍ ସଭାପତିଙ୍କ ଓ ବିଭିନ୍ନ ଛାମୁଆ ସଂଗଠନର ସଦସ୍ୟଙ୍କ ସହ ବୈଠକ କରିବେ ଖଡଗେ । ଏହି କାର୍ଯ୍ୟକ୍ରମରେ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ । ଏବଂ ରାହୁଲ ଗାନ୍ଧୀଙ୍କ ନ୍ୟାୟଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବେ । ବିଜେଡି ଓ ବିଜେପିକୁ କେମିତି ରୋକାଯାଇପାରିବ, କେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଦଳ ଯିବ ସେନେଇ ରଣନୀତି କରିବେ ଖଡଗେ ।

  • ଫେବୃଆରୀ ୧ରୁ କଂଗ୍ରେସର ବସ୍ ଯାତ୍ରା
  • ନିର୍ବାଚନମଣ୍ଡଳୀରେ ବୁଲିବେ ନେତା

କଂଗ୍ରେସ ପକ୍ଷରୁ ଆରମ୍ଭ ହେବାକୁ ଥିବା ବସ୍ ଯାତ୍ରାର ତାରିଖକୁ ପରିବର୍ତନ କରିଛି ଦଳ । ଆସନ୍ତା ୨୧ରୁ ଆରମ୍ଭ ହେବା ପରିବର୍ତ୍ତେ ଫେବୃଆରୀ ୧ରୁ ବସ୍ ଯାତ୍ରା ଆରମ୍ଭ କରିବାକୁ ଦଳ ପକ୍ଷରୁ ନିଷ୍ପତି ନିଆଯାଇଛି । ଫେବୃଆରୀ ୧ ତାରିଖ ଲିଙ୍ଗରାଜ ମନ୍ଦିର ଠାରୁ ଆରମ୍ଭ ହେବ ଏହି ବସ୍ ଯାତ୍ରା । ପିିସିସି ସଭାପତିି ଓ ପ୍ରଭାରୀଙ୍କ ସମେତ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଏହି ବସରେ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଅଧ୍ୟକ୍ଷ ଆସିବା ପୂର୍ବରୁ ୨୧ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଭାରୀ ଅଜୟ କୁମାର । ପ୍ରାୟ ଗୋଟିଏ ସପ୍ତାହ ଧରି ସେ ଓଡିଶାରେ ରହିବେ । ଏହି ସମୟରେ ସେ ନେତାଙ୍କୁ ଦେଇ ଯାଇଥିବା ଟ୍ୟାକ୍ସର ହିସାବ ନେବେ ଓ ଅଧ୍ୟକ୍ଷ ଆସିବା ପୂର୍ବରୁ ପ୍ରସ୍ତୁତି କରିବେ ।