କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟ ବଳ ଗୋଟାଉଛି । ଏନେଇ ଆଜି ବସିଥିବା ବୈଠକରେ ମେଣ୍ଟର ଅଧ୍ୟକ୍ଷ ଭାବେ ମଲ୍ଲିକାର୍ଜୁନ ଖଡଗେଙ୍କୁ ଦାୟିତ୍ୱ ମିଳିଛି । ହେଲେ ଏନେଇ କୌଣସି ଅଧିକାରୀକ ଭାବେ ଘୋଷଣା ହୋଇ ନଥିଲେ ବି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା ସୂତ୍ର ସୂଚନା ମିଳିଛି । ଗତ କିଛିଦିନ ହେବ ମେଣ୍ଟର ଅଧ୍ୟକ୍ଷ ପଦକୁ ନେଇ ଆଲୋଚନା ଜୋର ଧରିଥିଲା । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଠାରୁ ନେଇ ଲାଲୁ ଯାଦବଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା ।
ସୂତ୍ର ସୂଚନା ମୁତାବକ ଜେଡିୟୁ ମୁଖ୍ୟ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ମେଣ୍ଟର ସଂଯୋଜକ ଭାବେ ଦାୟିତ୍ୱ ଦେବାକୁ ପ୍ରସ୍ତାବ ଆସିଥିଲା । ହେଲେ ନିଜେ ନୀତିଶ କୁମାର ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛନ୍ତି ।
ବିରୋଧୀ ମେଣ୍ଟ ର ପ୍ରମୁଖ ନେତାମାନେ ଆଜି ଭର୍ଚୁଆଲି ଏକ ବୈଠକ କରିଥିଲେ । ମେଣ୍ଟକୁ ମଜବୁତ କରିବା, ଆସନ ବୁଝାମଣା ଉପରେ ରଣନୀତି ପ୍ରସ୍ତୁତ କରିବାକୁ ଏହି ବୈଠକ ହୋଇଥିଲା । ସେପଟେ ମେଣ୍ଟରେ ଏପର୍ଯ୍ୟନ୍ତ ଆସନ ବୁଝାମଣାକୁ ନେଇ ଶୁକ୍ରବାର ଦିନ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ବୈଠକ ହୋଇଥିଲା । ଆଜି ବି ଏହି ଭର୍ଚୁଆଲ ବୈଠକରେ ବିରୋଧୀ ମେଣ୍ଟର କିଛି ଦଳର ନେତା ଯୋଗ ଦେଇଥିବା ବେଳେ ମମତା ବାନାର୍ଜୀ ଓ ଉଦ୍ଧବ ଠାକରେ ବୈଠକରେ ଅନୁପସ୍ଥିତ ଥିଲେ ।