କନକ ବ୍ୟୁରୋ : କଂଗ୍ରେସର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ମଲ୍ଲିକାର୍ଜୁନ ଖଡଗେ ଆଜି ପଦ ସମ୍ଭାଳିବେ । ବର୍ତ୍ତମାନ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଥିବା ସୋନିଆ ଗାନ୍ଧୀଙ୍କ ସ୍ଥାନରେ ସେ ଦାୟିତ୍ୱ ଗ୍ରହଣ କରିବେ । ଅକ୍ଟୋବର ୧୯ ତାରିଖରେ ନିର୍ବାଚନ ଫଳାଫଳରେ ଶଶୀ ଥରୁରଙ୍କୁ ହରାଇ ଖଡଗେ କଂଗ୍ରେସର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଥରୁରଙ୍କୁ ୬ହଜାର ୮୨୫ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ ।
ଖଡଗେଙ୍କୁ ୭ହଜାର ୮୯୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଥରୁରଙ୍କୁ ମାତ୍ର ୧ହଜାର ୭୨ ଖଣ୍ଡ ଭୋଟ୍ ମିଳିଥିଲା । କଂଗ୍ରେସ ଅଧ୍ୟକ୍ଷ ପଦ ଦାୟିତ୍ୱ ଗ୍ରହଣ କରିବା ପରେ ଖଡଗେଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ । ଗୋଟିଏ ପଟେ ରାଜସ୍ଥାନରେ ରାଜନୈତିକ ସଂକଟ ବଡ଼ ଆହ୍ୱାନ ସୃଷ୍ଟି କରିଥିବା ବେଳେ ସେପଟେ ଆଗାମୀ କିଛି ସପ୍ତାହ ପରେ ଗୁଜରାଟ ଓ ହିମାଚଳ ପ୍ରଦେଶରେ ହେବାକୁଥିବା ବିଧାନସଭା ନିର୍ବାଚନ ମଧ୍ୟ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ଅନ୍ୟପକ୍ଷରେ ୨୦୨୪ ଲୋକସଭା ନିର୍ବାଚନ ତାଙ୍କ ପାଇଁ ସବୁଠାରୁ ବଡ଼ ପରୀକ୍ଷା ହେବ । ଆସନ୍ତା ବର୍ଷ ମଧ୍ୟ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ ।
ଯେଉଁଥିରେ ତାଙ୍କ ରାଜ୍ୟ କର୍ଣ୍ଣାଟକ ମଧ୍ୟ ସାମିଲ୍ ଅଛି । ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଦଳର ଅନ୍ୟ ନେତାଙ୍କ ଉପସ୍ଥିତିରେ ଖଡଗେ ଦଳର ଅଧ୍ୟକ୍ଷ ପଦ ସମ୍ଭାଳିବେ । କର୍ଣ୍ଣାଟକର ଦଳିତ ସମ୍ପ୍ରଦାୟର ୮୦ ବର୍ଷୀୟ ଖଡଗେ ଅକ୍ଟୋବର ୧୭ ତାରିଖରେ ହୋଇଥିବା ଐତିହାସିକ ନିର୍ବାଚନରେ ନିଜ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶଶୀ ଥରୁରଙ୍କୁ ହରାଇଥିଲେ । ୧୩୭ ବର୍ଷର କଂଗ୍ରେସ ଇତିହାସରେ ଷଷ୍ଠଥର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା । ୨୪ ବର୍ଷ ପରେ ଗାନ୍ଧୀ ପରିବାର ବଦଳରେ ବାହାରର ଜଣେ ବ୍ୟକ୍ତି କଂଗ୍ରେସର ଅଧ୍ୟକ୍ଷ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/9-18.jpg)