ଗୁଲାମ ନବୀ ଆଜାଦଙ୍କ ପରେ ରାଜ୍ୟସଭାରେ ବିରୋଧୀଦଳର ନେତା ହେବେ ମଲ୍ଲିକାର୍ଜୁନ ଖଡଗେ । ସୂଚନା ଦେଲେ କଂଗ୍ରେସ ମହାସଚିବ ବେଣୁଗୋପାଳ

99

କନକ ବ୍ୟୁରୋ : ରାଜ୍ୟସଭାରେ ବିରୋଧୀଦଳ ନେତା ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଏହା ପରେ ରାଜ୍ୟସଭାରେ ବିରୋଧିଦଳ ନେତା ଭାବେ କଂଗ୍ରେସ ପକ୍ଷରୁ ଲୋକସଭାରେ ବିରୋଧୀଦଳ ନେତା ଭୁମିକା ତୁଲାଇଥିବା ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ଏହି ପଦରେ ଅବସ୍ଥାପିତ କରାଯିବ ବୋଲି କୁହାଯାଇଛି । ଏନେଇ କଂଗ୍ରେସର ମହାସଚିବ ବେଣୁଗୋପାଳ ରାଓ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଏନେଇ ରାଜ୍ୟସଭାର ସଭାପତି ଭେଙ୍କେୟା ନାଇଡୁଙ୍କୁ ସୂଚନା ଦିଆଯାଇଛି ।  ଏନେଇ ଦଳ ତରଫରୁ ନିଷ୍ପତ୍ତି କରାଯାଇଥିବା କଥା ସେ କହିଛନ୍ତି ।

କହିରଖୁ କି ରାଜ୍ୟସଭାରେ ବିରୋଧୀଦଳର ଉପନେତା ଥିବା କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ବି ଆଶା କରୁଥିଲେ କି ଗୁଲାମ ନବୀ ଆଜାଦଙ୍କ ପରେ ଦଳ ତାଙ୍କୁ ରାଜ୍ୟସଭାରେ ବିରୋଧୀଦଳ ନେତା ଭାବେ ମନୋନିତ କରିବ । ହେଲେ ଦଳ ମଲ୍ଲିକାର୍ଜୁନ ଖଡଗେଙ୍କ ଉପରେ ଭରଶା କରିଛି । ଏହା କୁହାଯାଉଛି କି ଶ୍ରୀ ଖଡଗେ ରାହୁଲ ଗାନ୍ଧୀଙ୍କ ଅତି ନିକଟତର ହୋଇଥିବାରୁ ଦଳ ତାଙ୍କୁ ଏହି ପଦବୀ ପାଇଁ ଚୟନ କରିଛି । ୨୦୧୯ ରେ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ଖଡଗେ ପରାଜିତ ହେବା ପରେ ଦଳ ତାଙ୍କୁ ରାଜ୍ୟସଭା ସାଂସଦ ଭାବେ ଚୟନ କରିଥିଲା ।

କହିରଖୁ କି ଫେବୃଆରୀ ୧୫ ତାରିଖ ପରେ ରାଜ୍ୟସଭାରେ ଜମ୍ମୁ-କାଶ୍ମୀର କୌଣସି ସଦସ୍ୟ ରହିବେ ନାହିଁ । ଜମ୍ମୁ-କଶ୍ମୀରରେ ୪ ଟି ରାଜ୍ୟସଭା ଆସନ ରହିଛି । ହେଲେ ଜମ୍ମୁ-କାଶ୍ମୀରକୁ କେନ୍ଦ୍ର ଶାସିତ ରାଜ୍ୟ ଭାବେ ଘୋଷଣା କରାଯିବା ପରେ ସେଠାରେ ଆଉ ନିର୍ବାଚନ ହୋଇନାହିଁ । ତେଣୁ ଜମ୍ମୁ-କାଶ୍ମୀରରୁ କେହି ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇପାରିବେ ନାହିଁ । ସୂଚନା ଥାଉକି ପିଡିପି  ପକ୍ଷରୁ ରାଜ୍ୟସଭାରେ ୨ ଜଣ ସାଂସଦ ରହିଛନ୍ତି । ସେମାନଙ୍କ ମଧ୍ୟରୁ ନଜିର ଅହମ୍ମଦଙ୍କ କାର୍ଯ୍ୟକାଳ ୧୦ ଫେବୃଆରୀ ଦିନ ଶେଷ ହୋଇଥିବା ବେଳେ ମୀର ମହମ୍ମଦ ପୈୟାଜଙ୍କ କାର୍ଯ୍ୟକାଳ ୧୫ ଫେବୃଆରୀ ଦିନ ଶେଷ ହେବାକୁ ଯାଉଛି ।

ଅନ୍ୟପଟେ ଗୁଲାମ ନବୀ ଆଜାଦ୍ ବି ଦ୍ୱିତୀୟ ଥର ରାଜ୍ୟସଭାରେ ବିରୋଧୀଦଳର ନେତା ହୋଇପାରିବେ । ହେଲେ ଏଥିପାଇଁ ୨ ମାସ ପରେ କେରଳରୁ ତାଙ୍କୁ ଜିତିବାକୁ ପଡିବ । କାରଣ ଏପ୍ରିଲ ମାସରେ କେରଳରେ ୩ ଟି ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି । ତାହା ମଧ୍ୟରେ ଗୋଟିଏ ଆସନ କଂଗ୍ରେସ ହାତରେ ରହିଛି । ସେହି ଆସନରୁ ଯଦି କଂଗ୍ରେସ ଗୁଲାମ ନବୀଙ୍କୁ ଚୟନ କରେ ତେବେ ସେ ପୁଣିଥରେ ରାଜ୍ୟସଭାକୁ ଫେରି ପାରିବେ ।