କନକ ବ୍ୟୁରୋ : କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସଂଯୋଜକ ହୋଇପାରନ୍ତି । ଏନେଇ ମୁମ୍ବାଇ ବୈଠକରେ ଘୋଷଣା ହୋଇପାରେ ବୋଲି ସୂତ୍ର ସୂଚନା ରହିଛି । ସୂତ୍ର ସୂଚନା ମୁତାବକ ମେଣ୍ଟରେ ସାମିଲ ଦଳମାନେ ୨୦୨୪ ଲୋକସଭାକୁ ନଜରରେ ରଖି ରଣନୀତି ପ୍ରସ୍ତୁତ କରିବା ଉପରେ ଜୋର ଦେଇଛନ୍ତି । ଖଡଗେ ଜଣେ ଦଳିତ ଚେହେରା ସହ ଜଣେ ବରିଷ୍ଠ ନେତା ହୋଇଥିବାରୁ ଏହାର ଫାଇଦା ଉଠାଇବାକୁ ବିରୋଧୀମେଣ୍ଟ ତାଙ୍କୁ ସଂଯୋଜକ ଭାବେ ଚୟନ କରିପାରେ । ଏହାସହ ଖଡଗେଙ୍କର ଦୀର୍ଘଦିନର ରାଜନୈତିକ ଅନୁଭବ ରହିଛି ।

Advertisment

ସେପଟେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବି ସଂଯୋଜକ ଭାବେ ଘୋଷଣା କରାଯିବା ନେଇ ଆକଳନ କରାଯାଇଛି । ହେଲେ ନୀତିଶ କୁମାର ଏହା ଉପରେ କହିଛନ୍ତି କି ତାଙ୍କର କୌଣସି ପଦ ପଦବୀର ଆବଶ୍ୟକତା ନାହିଁ । ସେ କେବଳ ବିରୋଧୀମାନଙ୍କୁ ଏକଜୁଟ କରିବା ଲକ୍ଷ୍ୟ ନେଇ ମେଣ୍ଟର ନେତୃତ୍ୱ ନେଇଥିଲେ ।

ଅନ୍ୟପଟେ ମୁମ୍ବାଇରେ ହେବାକୁ ଥିବା ବୈଠକରେ ୧୧ଜଣ ସଦସ୍ୟ ବିଶିଷ୍ଠ ଏକ ସାଧାରଣ କମିଟି ମଧ୍ୟ ଗଠନ କରାଯାଇପାରେ । କିଛିଦିନ ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ ସୂଚନା ଦେଇଥିଲେ କି ବିରୋଧୀ ମେଣ୍ଟର ବୈଠକ ଅଗଷ୍ଟ ୩୧ ତାରିଖରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବ ।

ସୂଚନା ଥାଉକି ଏହି ମେଣ୍ଟରେ ସାମିଲ ହୋଇଥିବା ଦଳମାନେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ଜୁନ ୨୩ ତାରିଖରେ ପାଟନାରେ ଅନୁଷ୍ଠିତ ହୋଇଥିଲା । ଏହାପରେ ଜୁଲାଇ ୧୭ ଓ ୧୮ ତାରିଖରେ ମଧ୍ୟ ବେଙ୍ଗାଲୁରୁରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବେଙ୍ଗାଲୁରୁ ବୈଠକରେ ମେଣ୍ଟର ନାମ ‘ଇଣ୍ଡିଆ’ ବୋଲି ଘୋଷଣା କରାଯାଇଥିଲା । ଏହି ବୈଠକରେ ୨୬ଟି ରାଜନୈତିକ ଦଳ ଯୋଗ ଦେଇଥିଲେ ।