ବାଣ ମାରିଲେ ମଲ୍ଲିକାର୍ଜୁନ । କହିଲେ ପ୍ରେମ ବିବାହ କରିଛନ୍ତି ବିଜେପି-ବିଜେଡି, ମୋଦୀଙ୍କୁ ଏଥର ଶାସନରୁ ହଟାନ୍ତୁ ।

ବାଣ ମାରିଲେ ମଲ୍ଲିକାର୍ଜୁନ । କହିଲେ ପ୍ରେମ ବିବାହ କରିଛନ୍ତି ବିଜେପି-ବିଜେଡି, ମୋଦୀଙ୍କୁ ଏଥର ଶାସନରୁ ହଟାନ୍ତୁ ।

କନକ ବ୍ୟୁରୋ : ଓଡ଼ିଶା ଗସ୍ତରେ ଆସି କଂଗ୍ରେସର ଓଡ଼ିଶା ବଞ୍ଚାଅ ସମାବେଶରେ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ପାଇଁ ଓଡ଼ିଶାର ଗୁରୁତ୍ୱ ଯଥେଷ୍ଟ ଅଧିକ ଥିଲା । ପଣ୍ଡିତ ନେହେରୁଙ୍କ ନଜରରେ ଓଡ଼ିଶାର ସ୍ୱତନ୍ତ୍ର ସ୍ଥାନ ଥିଲା । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଭାରତର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଭଲ ବନ୍ଧୁ ଥିଲେ । ସେତେବେଳେ ଓଡ଼ିଶାରେ ଅନେକ କାମ ହୋଇଛି । କିନ୍ତୁ ଏବେର ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ବିଜେପି ନୀତି ଆଦର୍ଶର ହୋଇଗଲେଣି ।

ମଲ୍ଲିକାର୍ଜୁନ କହିଛନ୍ତି, ବିଜେଡି-ବିଜେପିର ବିବାହ କଂଗ୍ରେସ କରିନାହିଁ । ବିଜେଡି-ବିଜେପି ଏଠାରେ ଲଭ ମ୍ୟାରେଜ କରିଛନ୍ତି । ସେମାନଙ୍କୁ କେହି ମିଶାଇନାହାନ୍ତି । ସେମାନେ ଆପଣାଛାଏଁ ପରସ୍ପର ସହ ମିଶିଛନ୍ତି ଓଡ଼ିଶାକୁ ବରବାଦ କରିବାକୁ । ସେମାନଙ୍କର ଲଭ୍ ମ୍ୟାରେଜ ସ୍ଥାୟୀ ନୁହେଁ । କାରଣ କେବେ କେବେ ଡବଲ ଇଞ୍ଜିନ ଫେଲ ହୋଇଥାଏ ।କଂଗ୍ରେସ ଦଳ ପାରାଦ୍ୱୀପ ବନ୍ଦର, ରାଉରକେଲା ଷ୍ଟିଲ ପ୍ଲାଣ୍ଟ,
ଚିଲିକା ନୌସେନା ଏକାଡେମୀ, ମଞ୍ଚେଶ୍ୱର ରେଳ କୋଚ୍ ଓଡ଼ିଶାରେ କରିଛି । କିନ୍ତୁ ମୋଦୀ ଓ ପଟ୍ଟନାୟକ ମିଶିକି ଓଡ଼ିଶାକୁ କଣ ଦେଇଛନ୍ତି । ବଡ ବଡ ଶିଳ୍ପ କଂଗ୍ରେସ ଆଣିଛି । କିନ୍ତୁ ବିଜେପି ସହ ମିଶି ଓଡ଼ିଶାର ଖଣିଜ ସମ୍ପଦକୁ ଲୁଟିବାକୁ ଅନୁମତି ଦେଉଛନ୍ତି ଏବେର ସରକାର । ଏମ୍ସ, ଶିକ୍ଷାନୁଷ୍ଠାନ ଏ ସବୁ କଂଗ୍ରେସ ସମୟରେ ହୋଇଛି । ଓଡ଼ିଶାରେ ଯାହା ହୋଇଛି କଂଗ୍ରେସ କରିଛି , କିନ୍ତୁ ମୋଦୀ ସବୁବେଳେ କହୁଛନ୍ତି ୭୦ ବର୍ଷରେ କଣ କରିଛି କଂଗ୍ରେସ । ଯଦି ୭୦ ବର୍ଷରେ କଂଗ୍ରେସ କିଛି କରିନଥାନ୍ତା ତେବେ ମୋଦୀ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇପାରିନଥାନ୍ତେ । ଦେଶର ସମ୍ବିଧାନ, ଲୋକତନ୍ତ୍ରକୁ ବଞ୍ଚାଇଛି କଂଗ୍ରେସ, ଭାରତର ଲୋକତନ୍ତ୍ର, ସମ୍ବିଧାନକୁ ନଷ୍ଟ କରୁଛନ୍ତି ମୋଦୀ । ବଡ ବଡ ଧନୀ ଲୋକ ମୋଦୀ, ନବୀନ ପଟ୍ଟନାୟକଙ୍କ ସହ ଅଛନ୍ତି କିନ୍ତୁ ଗରିବଙ୍କ ପାଇଁ କେବଳ କଂଗ୍ରେସ ଛିଡା ହୋଇଛି ।

ବିଜେପିକୁ ଟାର୍ଗେଟ କରି ମଲ୍ଲିକାର୍ଜୁନ କହିଛନ୍ତି, ବିଜେପି-ଆରଏସଏସ ଘୃଣାର ଦୋକାନ ଖୋଲିକି ବସିଛନ୍ତି । ସେଥିପାଇଁ ଏମାନଙ୍କ ଠାରୁ ସତର୍କ ରହିବା ଉଚିତ୍ । ବିଜେପି-ଆରଏସଏସ ବିଷ ଭଳି, ଏମାନଙ୍କ ସହ ମିଶିଲେ ଅନିଷ୍ଟ ହେବ । ମଣିପୁର ଜଳୁଛି, କିନ୍ତୁ ମୋଦୀ କୁଆଡେ ଗଲେ । ମୋଦୀ ନାଗାଲାଣ୍ଡ, ମଣିପୁର ଯାଇକି ଦେଖନ୍ତୁ ସେଠାରେ କଣ ସ୍ଥିତି ଅଛି । ଇନ୍ଦିରା ଓ ରାଜୀବ ଦେଶ ପାଇଁ ଜୀବନ ଦେଇଛନ୍ତି । କିନ୍ତୁ ଏବେ ମୋଦୀ ଏବେ ସମସ୍ତଙ୍କର ଜୀବନକୁ ଦୁଃର୍ବିସହ କରି ସାରିଲେଣି । ଇଡି, ଆଇଟି ରେଡ କରି ଶାସନ ଚଳାଇଛନ୍ତି ମୋଦୀ । ଯଦି ମୋଦୀ ଏହିଥର ନିର୍ବାଚନ ଜିତିବେ ତେବେ ଆଉ ନିର୍ବାଚନ ହେବନି । ଏକଛତ୍ରବାଦ ଶାସନ ଚଳାଇବେ, ନିର୍ବାଚନ କରାଇଦେବେନି । ତେଣୁ ଏହି ନିର୍ବାଚନକୁ ତାଙ୍କର ଶେଷ ନିର୍ବାଚନ କରନ୍ତୁ । ସମସ୍ତଙ୍କୁ ଧମକାଇ, ଭୟଭୀତ କରି ରାଜନୀତି କରୁଛି ବିଜେପି । ଏହା ସମସ୍ତଙ୍କର ଶେଷ ଭୋଟ ହେବ, ଯଦି ମୋଦୀଙ୍କୁ ଶାସନ କ୍ଷମତାରୁ ନ ହଟାଇବା । ଯଦି ସାଧାରଣ ଲୋକ ଚାହିିଁବେ ତେବେ ଗଣତନ୍ତ୍ର ବଞ୍ଚିକି ରହିବ, ନଚେତ ଗଣତନ୍ତ୍ର ସବୁଦିନ ପାଇଁ ଶେଷ ହୋଇଯିବ ।

ଦେଶରେ ଆଜି ମଧ୍ୟ ୩୦ ଲକ୍ଷ ପଦବୀ ଫାଙ୍କା ପଡିଛି । କିନ୍ତୁ ଯୁବବର୍ଗଙ୍କୁ ନିଯୁକ୍ତି ଦିଆଯାଉନି । ମୋଦୀଙ୍କର ପୁରୁଣା ଅଭ୍ୟାସ ହେଉଛି ମିଛ କହିବା । ୨ କୋଟି ନିଯୁକ୍ତିର ପ୍ରତିଶ୍ରୁତି କିଏ ଦେଇଥିଲା । ଏବେ ସୁଦ୍ଧା ୧୦ କୋଟି ଚାକିରି ମିଳିବା କଥା, କିନ୍ତୁ ଚାକିରି ମିଳିଛି କି? କଳାଧନ ଆସିବ, ପ୍ରତ୍ୟେକଙ୍କ ପାଖକୁ ୧୫ ଲକ୍ଷ ଟଙ୍କା ଆସିବ । କିନ୍ତୁ ଏବେ ସୁଦ୍ଧା ୧୫ ଲକ୍ଷ ଟଙ୍କା ଆସିଲା କି? ଏବେ କିଏ ମିଛ କହୁଛି ତାହା ଆଉ କାହାକୁ ଅଛପା ନାହିଁ । ଚାଷୀଙ୍କ ଆୟ ଦୁଇଗଣା କରିବାକୁ କହିଥିଲେ କିନ୍ତୁ କରିଲେ କି? ମୋଦୀ ନିଜେ ମିଛ କହୁଛନ୍ତି କିନ୍ତୁ କଂଗ୍ରେସକୁ ଗାଳି ଦେଉଛନ୍ତି । କଂଗ୍ରେସ ଗରିବଙ୍କ ପାଇଁ ଯୋଜନା ଆଣିଛି, କାମ ଦେଇଛି, ଭୋକ ଦୂର କରିଛି ।

ନବୀନ ସରକାର ଓଡ଼ିଶାରେ ଜଳସେଚନ, ଶୀତଳ ଭଣ୍ଡାର କରିବାକୁ କହିଥିଲା କିନ୍ତୁ ହୋଇଛି କି? ଓଡ଼ିଶାବାସୀଙ୍କୁ ୨୪ ବର୍ଷ ହେବ ମିଛ କହୁଛି କିଏ? ଓଡ଼ିଶାରେ ୪୫ ଲକ୍ଷରୁ ଅଧିକ ଯୁବବର୍ଗ ବେକାରୀ ହୋଇଛନ୍ତି । ପ୍ରତି ବିଭାଗରେ ପଦବୀ ଫାଙ୍କା ପଡିଛି । କିନ୍ତୁ ଚାକିରୀ କାହିଁକି ମିଳୁନି? ତେଣୁ କଂଗ୍ରେସକୁ ଦୋଷ ଦେବା ବନ୍ଦ କରନ୍ତୁ ବିଜେଡି ସରକାର । ପାର୍ଟନରସିପରେ ସରକାର ଚାଲିଛି ବୋଲି କହି କଟାକ୍ଷ କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe