ବିଜେପି ସହ ଲଢିବାକୁ ହେଲେ ସମସ୍ତଙ୍କୁ ଏକାଠି ହେବାକୁ ପଡିବ । କାହିଁକି ଏମିତି କହିଲେ କଂଗ୍ରେସ ନେତା ।

226

କନକ ବ୍ୟୁରୋ : ବିଜେପିକୁ ନେଇ ବଡ ବୟାନ ଦେଇଛନ୍ତି କଂଗ୍ରେସ ନେତା ମଲ୍ଲିକାର୍ଜୁନେ ଖଡଗେ । ବିଜେପି ଓ ଆରଏସଏସକୁ ଟାର୍ଗେଟ କରିଛନ୍ତି ଖଡଗେ । ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧିକୁ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ମମତାଙ୍କ ବୟାନକୁ ବିଜେପିକୁ ଆହୁରି ଶକ୍ତିଶାଳୀ କରୁଛି ବୋଲି କହିଛନ୍ତି ଖଡଗେ ।

ଏହାସହ ମଲ୍ଲିକାର୍ଜୁନେ କହିଛନ୍ତି, ପ୍ରକୃତରେ ବିଜେପି ଓ ଆରଏସଏସ ସହ ଲଢୁଛନ୍ତି ରାହୁଲ ଗାନ୍ଧୀ । ତେବେ ଆରଏସଏସର ଏଜେଣ୍ଡାକୁ ରୋକିବାକୁ ହେଲେ ସମସ୍ତଙ୍କୁ ଏକଜୁଟ୍ ହେବାକୁ ପଡିବ । ଆରଏସଏସ ଯେଉଁ ବିଚାରଧାରା ଦେଶରେ ଲାଗୁ କରିବାକୁ ଚାହୁଁଛି ତାହାକୁ ଅଟକାଇବାକୁ ସବୁ ଦଳ ଏକାଠି ହୁଅନ୍ତୁ । ଏହାସହ କେନ୍ଦ୍ର ସରକାର କାହିଁକି ମନେରଗା ଫାଣ୍ଠି ଜାରି କରିନାହାନ୍ତି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଖଡଗେ ।

ଅନ୍ୟପଟେ ମମତାଙ୍କ ବୟାନକୁ ନେଇ ମଧ୍ୟ ମୁହଁ ଖୋଲିଛନ୍ତି ମଲ୍ଲିକାର୍ଜୁନେ । ଶନିବାର ମମତା ବାନାର୍ଜୀ କହିଥିଲେ, ଦେଶର ସବୁଠୁ ପୁରୁଣା ଦଳ ରାଜନୀତିକୁ ନେଇ ଏତେଟା ଗମ୍ଭୀର ନୁହେଁ, ଯେଉଁଥିପାଇଁ ଆଗକୁ ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ଶକ୍ତିଶାଳୀ ହେବେ । ମମତା କହିଥିଲେ, କଂଗ୍ରେସ ଦୃଢ ନିଷ୍ପତ୍ତି ନ ନେବା କାରଣରୁ ଦେଶକୁ ଏଭଳି ଦଶା ଭୋଗିବାକୁ ପଡୁଛି । ତେବେ ଦିଲ୍ଳୀରେ ବିଜେପି ଯେଉଁ ଦାଦାଗିରି କରୁଛି ତାହାକୁ ଆଉ ବରଦାସ୍ତ କରାଯିବନି ବୋଲି ମମତା କହିଥିଲେ ।

ଏସବୁ ଭିତରେ ଗୋଆରେ ଏକଦିବସୀୟ ନିର୍ବାଚନୀ ପ୍ରଚାର କରିଛନ୍ତି ରାହୁଲ ଗାନ୍ଧୀ । ନିର୍ବାଚନୀ ପ୍ରଚାରରେ ରାହୁଲ କହିଛନ୍ତି ଯେ, କଂଗ୍ରେସ ଯେଉଁ ଘୋଷଣାପତ୍ରରେ ଯେଉଁ ପ୍ରତିଶ୍ରୁତି ଦେଇଥାଏ ତାହା କେବଳ ପ୍ରତିଶ୍ରୁତି ନୁହେଁ ବରଂ ଗ୍ୟାରେଣ୍ଟି । ଗୋଆରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଯେଉଁଥିପାଇଁ ଏବେ ସବୁ ଦଳର ଫୋକସରେ ରହିଛି ଗୋଆ ।