କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ବିଜେପି ଉପରେ ବର୍ଷିବା ସହ ଖଡଗେ କହିଛନ୍ତି, ଲୋକତନ୍ତ୍ରକୁ ବଞ୍ଚାଇବା ପାଇଁ ଲୋକଙ୍କୁ ସରକାରଙ୍କ ଏକଛତ୍ରବାଦ ନୀତି ସହ ଦୃଢତାର ସହ ଲଢେଇ କରିବାକୁ ହେବ । ତେବେ ଏହାସହ ଖଡଗେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତୁ ଶବ୍ଦର ବ୍ୟବହାର କରିବାକୁ ମଧ୍ୟ ପଛାଇ ନାହାନ୍ତି ।

Advertisment

ଖଡଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟରେ ଅପମାନଜନକ ଭାଷା ପ୍ରୟୋଗ କରିବା ସହ କହିଛନ୍ତି, ତୋ ଭଳି ବହୁତ ଆସିଛନ୍ତି ଓ ଯାଇଛନ୍ତି । ତୋର ୫୬ ଇଞ୍ଚର ଛାତିକୁ ନେଇ ଆମେ କଣ କରିବୁ । ଲୋକଙ୍କୁ ଖାଦ୍ୟ ଓ ରୋଜଗାର ଦିଅ । ଯଦି ଛାତି ଗୋଟିଏ ଇଞ୍ଚ ବି କମିଯାଏ ତେବେ କୌଣସି ଅସୁବିଧା ନାହିଁ । କାରଣ ଦୁର୍ବଳ ହୋଇଗଲେ କେହି ମୃତ୍ୟୁବରଣ କରନ୍ତିନି । ଏହାସହ ମୋଦୀ ସରକାରଙ୍କ ଉପରେ ବର୍ଷିବା ସହ କହିଛନ୍ତି, ଏବେ କେନ୍ଦ୍ରରେ ଥିବା ସରକାର ଆଦୌ ଲୋକତାନ୍ତ୍ରିକ ନୁହେଁ । ଏହି ସରକାର ଲୋକଙ୍କ ପାଇଁ କାମ କରିବା ବଦଳରେ ତାନାଶାହୀ ଚଲାଇଛି । ବିଭିନ୍ନ ପ୍ରସଙ୍ଗରେ ସଂସଦରେ ସ୍ୱର ଉଠାଉଥିଲେ ମଧ୍ୟ ଆମର ଭାଷଣକୁ ହଟାଇ ଦିଆଯାଉଛି । ଆମେ ସଂସଦରେ କୌଣସି ଅପମାନଜନକ ଶବ୍ଦ ବ୍ୟବହାର କରିନଥିଲୁ ବରଂ ଅଦାନୀଙ୍କ ବାବଦରେ ପ୍ରଶ୍ନ କରିଥିଲୁ ।

ଅଦାନୀଙ୍କର ସମ୍ପତ୍ତି ୨୦୦୪ ପୂର୍ବରୁ ୩ ହଜାର କୋଟି ଥିଲା । କିନ୍ତୁ ୨୦୧୪ରେ ଏହା ୫୦ ହଜାର କୋଟି ଓ ୨୦୨୧ରୁ ୨୦୨୩ ମଧ୍ୟରେ ଏହା ୧୩ ଗୁଣା ବଢିଗଲା । ଏମିତି କି ଯାଦୁ ଅଦାନୀ କଲେ କି? ଅଦାନୀଙ୍କୁ ଯେଉଁ ମନ୍ତ୍ର ଦେଇଛନ୍ତି ସେହି ମନ୍ତ୍ର ଆମକୁ ବି ଦିଅନ୍ତୁ । ଜଣେ ବ୍ୟକ୍ତିଙ୍କ ପାଇଁ ପୂରା ଦେଶକୁ ଗରିବ ରଖିଛନ୍ତି ଏହି ସରକାର । ମୋଦୀ କହିଥିଲେ ଦୁର୍ନୀତିକୁ ବରଦାସ୍ତ କରିବେନି । କିନ୍ତୁ ବଡ ବଡ ଦୁର୍ନୀତିକୁ ବଳ ଦେଉଛନ୍ତି ମୋଦୀ । ସେହିଭଳି ଅ।।ମ ଏଭଳି ଏକ ଗଣତନ୍ତ୍ରରେ ଅଛୁ ଯେଉଁଠି ଖାଇବା, ଲେଖିବା ଓ କହିବାର ସ୍ୱାଧୀନତା ହରାଇ ବସିଛୁ । ଆଜି ଯଦି କେହି ସ୍ୱର ଉଠାଉଛି ତେବେ ତାଙ୍କୁ ଜେଲ ପଠାଇ ଦିଆଯାଉଛି । ଅଧିବେଶନ ଚାଲୁଥିବା ବେଳେ ରେଡ୍ ପଡୁଛି । କିନ୍ତୁ ଆପଣ କାହାକୁ କେତେ ଦିନ ଡରାଇବେ, ଅନେକ ଲୋକ ଅଛନ୍ତି ଯେଉଁମାନେ ଆପଣଙ୍କୁ ଡରୁନାହାନ୍ତି ।