ଘାଟି ମଣିଷର ଝାଟି ପର୍ବ: ବଣ୍ଡାଘାଟିର ପଡା ଗାଁରେ ପାଳନ ହେଉଛି ଝାଟି ପର୍ବ; ପୂର୍ବ ଶତ୍ରୁତାକୁ ଭୁଲିବାକୁ ବଣ୍ଡା ଜନଜାତିଙ୍କ ରକ୍ତାକ୍ତ ସଂଘର୍ଷ

118

କନକ ବ୍ୟୁରୋ: ଉତ୍ସବ ମୁଖରିତ ବଣ୍ଡା ପାହାଡ । ରାଗରୁସା ଭୁଲିବାକୁ ବଣ୍ଡା ଜନଜାତିଙ୍କ ରକ୍ତାକ୍ତ ସଂଘର୍ଷ । ପୂର୍ବ ଶତ୍ରୁତାକୁ ଭୁଲାଇ ନୂତନ ସମ୍ପର୍କ ଯୋଡିବାର ନିଆରା ଆଦିମ ପରମ୍ପରା । ପରସ୍ପରକୁ ଲହୁଲୁହାଣ କରି ଝାଟିପର୍ବ ପାଳନ କରୁଛନ୍ତି ବଣ୍ଡାଘାଟିର ଆଦିବାସୀ । ସଲପ ଗଛର ଡାଳରୁ ଚାବୁକ ତିଆରି କରି ଗାଁ ଦାଣ୍ଡରେ ଚାଲେ ରକ୍ତର ଖେଳ । ମନରେ ଥିବା ଅଭିମାନ ଓ ରାଗରୋଷ ଛିଣ୍ଡାଇବା ଲାଗି ଘାଟି ଅଂଚଳରେ ଅନୁଷ୍ଠିତ ହୁଅ ପୁଷ ପରବର ନୂଆ ଅଧ୍ୟାୟ ।

ବଣ୍ଡାଘାଟିର ଭିନ୍ନ ପରବ । ରାଗରୁସା ଭୁଲିବାକୁ ଘାଟି ମଣିଷର ଝାଟି ପରବ । ମନ ଭିତରେ ଥିବା ତିକ୍ତତା ଭୁଲି ନୂଆ ସମ୍ପର୍କ ଯୋଡିବା ଲାଗି ପରସ୍ପରକୁ ଆଘାତ ଦେଇ ଝାଟି ପରବ ପାଳନ କରୁଛନ୍ତି ମାଲକାନଗିରି ଜିଲ୍ଲାର ଆଦିମ ବଣ୍ଡା ଜନଜାତି । ପିଠିରେ ପଡୁଛି ଚାମୁକ ପ୍ରହାର । ଉଭୟଙ୍କ ଦେହରେ ଝରିପଡୁଛି ରକ୍ତ । ବଣ୍ଡାଘାଟିର ସମସ୍ତ ପଡା ଗାଁରେ ଭିନ୍ନ ଭିନ୍ନ ଦିନ ଏହି ଝାଟି ପର୍ବର ଆୟୋଜନ କରାଯାଏ ।

ସମୁଦ୍ର ପତନ ଠାରୁ ୫ ହଜାର ପୁଟ ଉଚ୍ଚରେ ଥିବା ବଣ୍ଡାଘାଟିରେ ଝାଟି ପର୍ବ ପାଳନ ପାଇଁ ସଲପ ଗଛର ଡାଳରେ ଚାବୁକ ତିଆରି କରାଯାଏ । ପରେ ଗାଁ ଦାଣ୍ଡରେ ଚାଲେ ରକ୍ତାକ୍ତ ସଂଘର୍ଷ । ପରସ୍ପରକୁ ମାଡ ମାରିବା ପରେ ଆଲିଙ୍ଗନ କରି ମାନ ଅଭିମାନ ଭୁଲିଥାନ୍ତି । ଆଉ ୨ ଯୁବକଙ୍କ ମଧ୍ୟରେ ଲଢେଇ ଜୋରଦାର ହେବା ସମୟରେ ବଣ୍ଡା ମହିଳାମାନେ ପ୍ରତିବନ୍ଧକ ସାଜିବା ସହ ସେମାନଙ୍କ ଆଘାତ ସ୍ଥାନରେ ତୁରନ୍ତ ହଳଦୀ ଲଗାଇ ଭାଇଚାରାର ବାର୍ତା ଦେଇଥାନ୍ତି ।

ଲଢେଇ ଲାଗିଲେ ସମ୍ପର୍କ ବଢେ । ଏପରି କଲେ ବର୍ଷ ଯାଏଁ ଜ୍ୱର ମଧ୍ୟ ହୋଇନଥାଏ ବୋଲି ବଣ୍ଡା ମଣିଷଙ୍କର ବିଶ୍ୱାସ ରହିଛି । ଝାଟି ମରା କାର୍ଯ୍ୟକ୍ରମ ଆରମ୍ଭରୁ ଗାଁର ପୂଜକଙ୍କ ଘରେ ନୂଆ ଧାନକୁ ପୂଜା କରାଯାଏ । ଏହାସହ ସିମ୍ବ ଏବଂ ଅନ୍ୟ ପନିପରିବାକୁ ମଧ୍ୟ ପୂଜା କରାଯାଏ । ଏହାକୁ ପୁଷ ପରବ ସହ ସିମ୍ବ ପର୍ବ ବୋଲି କୁହାଯାଏ ।