ସଂଘର୍ଷକୁ କିଭଳି କରାଯାଏ ସାମ୍ନା, ଶିଖାଇଲା ସୋମା…ବାପାମାଆ ଚାଲିଗଲା ପରେ ସୋମା ସମ୍ଭାଳିଛି ପରିବାରର ବୋଝ…କମ୍ ବୟସରେ କଷ୍ଟ କରୁଛି, ପାଠ ପଢୁଛି ଆଉ ପରିବାର ବି ପୋଷୁଛି

311

କନକ ବ୍ୟୁରୋ: ସ୍ୱଳ୍ପ ବୟସରେ ପରିବାରର ମୁଖିଆ ସାଜିଛି ଆଦିବାସୀ ଛାତ୍ର । ପାଠ ପଢିବା ସହ ହସି ହସି କୁନି କାନ୍ଧରେ ବୋହି ଚାଲିଛି ୪ ଭାଇ, ଭଉଣୀଙ୍କ ବୋଝ । ତଥାପି ପେଟ ଭର୍ତ୍ତି ଖାଇବାକୁ ମିଳୁ ନଥିବା ବେଳେ ଭୋକରେ କାଟିବାକୁ ପଡୁଛି ଗୋଟେ ଗୋଟେ ଦିନ । ତେବେ ଯାହା କିଛି ସରକାରୀ ସହାୟତା ମିଳିଥିଲା ତାହା ସରିଯାଇଥିବା ବେଳେ ଏବେ ଦୁର୍ବିସହ ହୋଇପଡିଛି ଏହି ବାପାମାଆ ଛେଉଣ୍ଡ ୫ ଭାଇ ଭଉଣୀଙ୍କ ଜୀବନ ।

 

ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ମାଟେରୁ ଗାଁରେ ସୋମା ପଡିଆମିଙ୍କ ଘର । ବାପା ରାମା ମାଡ଼କାମୀଙ୍କ ୪ ବର୍ଷ ତଳେ ମୃତ୍ୟୁ ହୋଇଯାଇଥିବା ବେଳେ ବର୍ଷେ ହେବ ମାଆ ପଦିଏ ମାଡକାମିଙ୍କର ପଣତକାନି ମଧ୍ୟ ଏମାନଙ୍କ ମୁଣ୍ଡରୁ ସବୁଦିନ ପାଇଁ ଉଠିଯାଇଛି । ତେବେ ବାପାମାଆଙ୍କ ମୃତ୍ୟୁ ପରେ ଏବେ ସୋମା ଉପରେ ପଡିଯାଇଛି ୪ କୁନି କୁନି ଭାଇଭଉଣୀଙ୍କ ଦାୟିତ୍ୱ । ଆଉ ଭାଇ ଭଉଣୀଙ୍କୁ ମଣିଷ କରିବା ପାଇଁ ଏବଂ ତାଙ୍କ ମୁହଁରେ ଦାନା ଗଣ୍ଡିଏ ଦେବା ପାଇଁ ସୋମା ଏବେ ଲୋକଙ୍କ ବୋଝ ବୋହୁଛି । ତେବେ ସୋମା ଜଣେ ମେଧାବୀ ଛାତ୍ର ହୋଇଥିବାବେଳେ ସେ ବର୍ତମାନ ମାଲକାନଗିରି ଡ଼ିଗ୍ରୀ କଲେଜର +୩ ପ୍ରଥମ ଶ୍ରେଣୀର ଛାତ୍ର । ହଷ୍ଟେଲରେ ରହି ପାଠ ପଢ଼ୁଥିବା ସୋମା ମଝିରେ ମଝିରେ ଘରକୁ ଆସି କୁଲି କାମ କରନ୍ତି ଆଉ ଏଥିରୁ ଯାହା କିଛି ରୋଜଗାର ହୁଏ ସେଇଥିରେ ହିଁ ତାଙ୍କ ପୂରା ପରିବାର ଚଳେ । କୁଲି କାମ ସହିତ ଘରର କାମ କରିବା , କାଠ ହାଣିବା, ଏପରିକି ନିଜର ସାନ ସାନ ଭାଇଭଉଣୀଙ୍କ ଯତ୍ନ ମଧ୍ୟ ନିଅନ୍ତି ସୋମା । ତେବେ ଭାଇଭଉଣୀଙ୍କୁ ମଣିଷ କରିବାର ଦାୟିତ୍ୱ ସିନା ସେ ନେଇଯାଇଛି ହେଲେ ପାଖରେ ଟଙ୍କାଟିଏ ବି ନାହିଁ ।

ପାଠ ପଢ଼ି ବଡ଼ ମଣିଷ ହେବାକୁ ସ୍ୱପ୍ନ ଦେଖିଥିବା ୨୦ ବର୍ଷିୟା ସୋମା ଉପରେ ୪ ପ୍ରାଣୀ କୁଟୁମ୍ବ ନିର୍ଭର କରିଥିବାବେଳେ କୁଲି କାମ କରି ତୁଣ୍ଡର ଝାଳ ମୁଣ୍ଡରେ ମାରି ଦାରିଦ୍ର୍ୟ ସହ କରିଚାଲିଛନ୍ତି ସଂଘର୍ଷ । କିନ୍ତୁ ସେମାନଙ୍କୁ କିପରି ବଡ଼ ମଣିଷ କରିବେ ସେଇ ଚିନ୍ତାରେ ସୋମା ଏବେ ଦିନ ରାତି ଏକ କରିଦେଇଛନ୍ତି । ଏଭଳି ପରିସ୍ଥିତିରେ ଏହି ସଂଘର୍ଷରତ ଭାଇ,ଭଉଣୀଙ୍କ ଦୁଃଖଭରା ଜୀବନକୁ ସଳଖ କରିବାରେ ଯଦି ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳିପାରନ୍ତା ତେବେ ଏହି ଗରିବ ପରିବାରଟି ନିଶ୍ଚିତ ଭାବରେ ଭଲରେ ଚଳିପାରନ୍ତେ ବୋଲି ମତ ପ୍ରକାଶ ପାଇଛି ।