ପକ୍ଷୀଙ୍କ ଦରଦୀ ବନ୍ଧୁ ଦୀପା । ଗାଁ ଗାଁ ବୁଲି ବସା ବାନ୍ଧୁଛନ୍ତି, ଘରଚଟିଆ ସଂରକ୍ଷଣ ଅଭିଯାନ ଚଳାଇଛନ୍ତି…

225

କନକ ବ୍ୟୁରୋ: ମାଲକାନଗିରିର ପକ୍ଷୀରାଣୀ । ବିଲୁପ୍ତ ପକ୍ଷୀଙ୍କୁ ବଞ୍ଚାଇବାକୁ ସଙ୍କଳ୍ପ । ଦୀପାଙ୍କ ଘରଚଟିଆ ଅଭିଯାନ । ସେ ବସା ବାନ୍ଧନ୍ତି, ଖାଦ୍ୟ ଦିଅନ୍ତି ଆଉ ଶୋଷ ମେଣ୍ଟାଇବାକୁ ପାଣି ବି ଦିଅନ୍ତି । ଦୀପାଙ୍କୁ ଦେଖିବା ମାତ୍ରେ ଯିଏ ଯେଉଁଠି ଥାଆନ୍ତୁ ନା କାହିିଁକି ଉଡି ଉଡି ଆସି ତାଙ୍କ ପାଖେ ହାଜର ହୁଅନ୍ତି । ବାସ୍ ତାପରେ ଚଢେଇଙ୍କ ସହ ଚାଲେ ଦୀପାଙ୍କ ଚୁପଚାପ କଥାବାର୍ତ୍ତା । କିଚିରିମିଚିରି ଶବ୍ଦକୁ ବୁଝି ପକ୍ଷୀଙ୍କ ମାଆ ସାଜିଛନ୍ତି ୨୫ ବର୍ଷର ଯୁବତୀ ଦୀପାରାଣୀ ସାହୁ । ଆଉ ମାଲକାନଗିରି ମାଟିରେ ବନିଛନ୍ତି ପକ୍ଷୀରାଣୀ ।

ମାତ୍ର ୧୫ ବର୍ଷ ବୟସରେ ବାପାଙ୍କ ଠାରୁ ଅନୁପ୍ରାଣିତ ହୋଇ ଏଇ ପକ୍ଷୀଙ୍କ ପ୍ରେମରେ ପଡି ସେବେଠାରୁ ଟିକିଟିକି ପକ୍ଷୀଙ୍କ ସେବା କରିବା ସହ ଘରଚଟିଆଙ୍କ ସଂରକ୍ଷଣରେ ନିଜକୁ ସମର୍ପିଦେଇଛନ୍ତି ଦୀପା  ଧିରେଧିରେ ସମାଜରୁ ଘରଚଟିଆ ହଜିଯାଉଥିବାରୁ, ବିଲୁପ୍ତମୁଖୀ ପକ୍ଷୀଙ୍କୁ ବାଞ୍ଚାଇବାକୁ ନିଜ ଅଞ୍ଚଳରେ ସେ ଚଲାଇଛନ୍ତି ଘରଚଟିଆ ସଂରକ୍ଷଣ ଅଭିଯାନ । ଦିନେ ବାପା ହାବିଲଦାର ଭାବେ ଚାକିରି କରୁଥିବା ବେଳେ ସେ ବି ପଶୁପକ୍ଷୀଙ୍କ ସେବା କରୁଥିଲେ । ଆଉ ୨୦୧୨ରେ ବାପାଙ୍କ ଦେହାନ୍ତ ହେବା ପରେ ତାଙ୍କ ଅଧୁରା ସ୍ୱପ୍ନକୁ ସାକାର କରୁଛନ୍ତି ଝିଅ ଦୀପା ।

ମାଲାକନଗିରିର ସ୍ପାରୋ ଗାର୍ଲ ଭାବେ ପରିଚିତ ଦୀପା କେବଳ ଘରଚଟିଆଙ୍କୁ ଖାଇବା, ପିଇବାକୁ ଦିଅନ୍ତିନି ବରଂ ଅନେକ ଭିନ୍ନ ଭିନ୍ନ ପକ୍ଷୀ ବି ତାଙ୍କ ଅଗଣାର ଅତିଥି ସାଜନ୍ତି । ଘର ବାହାରେ ଘରଚଟିଆଙ୍କ କିଚିରି ମିଚିର ଶବ୍ଦ ଶୁଣି ଦୀପାଙ୍କ ନିଦ ଭାଙ୍ଗେ । ଆଉ ଘରୁ ବାହାରକୁ ଆସିବା ମାତ୍ରେ ହିଁ ଆରମ୍ଭ ହୋଇଯାଏ ପକ୍ଷୀ ସେବା । ସତେ ଯେମିତି ପକ୍ଷୀମାନେ ଦୀପାଙ୍କ ଆସିବା ବାଟକୁ ଚାହିଁ ରହିଥାନ୍ତି । ପକ୍ଷୀଙ୍କୁ ଦାନା ଦେବା ସହ ସେମାନଙ୍କୁ ପିଇବା ଓ ଗାଧୋଇବା ପାଣି ଯୋଗାଇ ଦିଅନ୍ତି ଦୀପା । ସକାଳେ ନିଜ ଅଗଣାରେ ପକ୍ଷୀଙ୍କ ସେବା ସରିବା ପରେ ସେ ବାହାରିଯାଆନ୍ତି ବିଭିନ୍ନ ସାହି ବସ୍ତିକୁ । ସହରର ଗଳିକନ୍ଦି, ଦୋକାନ, ବଜାର, ସ୍କୁଲ, ଅଫିସ ଆଦିରେ ପକ୍ଷୀଙ୍କ ରହିବା ଲାଗି ବସା ବାନ୍ଧନ୍ତି ସେ । ଘରଚଟିଆଙ୍କ ସହ ପକ୍ଷୀଙ୍କ ସୁରକ୍ଷା ପାଇଁ ଗାଁ ପିଲାଙ୍ଗ ସହ ମାଟି, ପ୍ଲାଇ ଓ କାର୍ଡବୋର୍ଡ ତିଆରି ଏମିତି ଶତାଧିକ ବସା ବାନ୍ଧିବାକୁ ଘରଘର ବୁଲନ୍ତି ଦୀପା ।

ଗାଁ ଗଣ୍ଡାରୁ ସମୟକ୍ରମେ ଚାଳଘର ଲୋପ ପାଉଥିବା ବେଳେ ଘରଚଟିଆଙ୍କ ସଂଖ୍ୟାବି ଲୋପ ପାଉଛି । ଜଙ୍ଗଲ ନଷ୍ଟ, ପ୍ରକୃତି,ପରିବେଶର ପରିବର୍ତ୍ତନ ପାଇଁ ଚଢେଇମାନଙ୍କ ବିଲୁପ୍ତ ହେଉଥିବା ବେଳେ ମିତି ପରିସ୍ଥିତିରେ ଦୀପା ସାଜିଛନ୍ତି ପକ୍ଷୀଙ୍କ ଦରଦୀ ବନ୍ଧୁ । ଆଉ ପୁନଶ୍ଚ ପୃଥିବୀ ଗଢି ତୋଳିବାକୁ ଗଛ ଲଗାଇବା ଯେତିକି ଜରୁରୀ ପଶୁ ପକ୍ଷୀଙ୍କ ସୁରକ୍ଷା ବି ସେତିକି ଜରୁରୀ । ଯେଉଁ ପଥରେ ଆଗେଇ ଚାଲିଛନ୍ତି ମାଲକାନଗିରିର ପକ୍ଷୀ ରାଣୀ ଦୀପା ।