ଲୁହ ଆଣିଦେବ ‘ପଦ୍ମିନୀ’ର କାହାଣୀ…ମାଆ ଚାଲିଗଲା ପରେ ୪ ଭାଇଉଭଣୀଙ୍କ ପାଇଁ ମାଆ ସାଜିଛି କୁନି ଝିଅ…ନିଜ ଭବିଷ୍ୟତକୁ ଜଳାଞ୍ଜଳି ଦେଇ ନେଇଛି ଏମାନଙ୍କୁ ମଣିଷ କରିବାର ଦାୟିତ୍ୱ

732

କନକ ବ୍ୟୁରୋ: ବୟସ ମାତ୍ର ୧୩ କିନ୍ତୁ ଏହି ବୟସରେ ୪ ଭାଇଭଉଣୀଙ୍କ ପାଇଁ ମା’ ସାଜିଛି ନାବାଳିକା । ଘର ଦାୟିତ୍ୱ ମୁଣ୍ଡାଇବା ପାଇଁ ପାଠ ଛାଡି ଦେବାକୁ ବି ପଛାଇ ନାହିଁ ସେ । ତା ବୟସର ଅନ୍ୟ ପିଲାମାନେ ଯେଉଁଠି ଖେଳି କୁଦି ଓ ପାଠପଢି ଦିନ କାଟୁଛନ୍ତି ସେଇଠି କିନ୍ତୁ ସାନ ଭାଇର ଯତ୍ନ ନେବା ସହ ଅନ୍ୟମାନଙ୍କୁ ପାଳିପୋଷି ବଡ କରିବାକୁ ପୂରା ଦିନ କାଟିଦେଉଛି ୧୩ ବର୍ଷର ଝିଅ ପଦ୍ମିନୀ । ତେବେ ସମୟ ସ୍ରୋତରେ ସେ ଏମିତି ବୋହି ଚାଲିଥିବା ବେଳେ ହରାଇ ସାରିଛି ଶୈଶବ ।

ମାଲକାନଗିରି ସତୀଗୁଡାରେ କୃଷ୍ଣ ଦଳେଇଙ୍କ ଘର । ବେଶ୍ ହସଖୁସିରେ ଚାଲିଥିଲା କୃଷ୍ଣଙ୍କ ପରିବାର ହେଲେ ହଠାତ୍ ହସଖୁସିର ଏହି ପରିବାର ଉପରେ ଛିଣ୍ଡିପଡିଲା ଦୁଃଖର ପାହାଡ । ପତ୍ନୀ କାନ୍ତାମା ଦଳେଇ ଅଜଣା ରୋଗରେ ଶିକାର ହୋଇ କିଛି ଦିନ ବିଛଣାରେ ପଡି ରହିବା ପରେ ଆରପାରିକୁ ଚାଲିଗଲେ ଆଉ ପଛରେ ଛାଡିଗଲେ ବଡ ଝିଅ ପଦ୍ମିନୀ ସହ ୪ ଭାଇଭଉଣୀଙ୍କୁ । ତେବେ କୋଳରୁ ଓହ୍ଲାଇନଥିବା ସାନ ପୁଅ ସ୍ନେହ ଏବଂ ଯତ୍ନ ପାଇବା ପୂର୍ବରୁ ହୋଇଗଲା ମା’ ଛେଉଣ୍ଡ ଆଉ ଏହାପରେ ଦୋହଲି ଯାଇଥିଲା ଘରର ସ୍ଥିତି । କାହିଁକି ନା ଯାହା କିଛି ରୋଜଗାର କରିଥିଲେ ତାକୁ ପତ୍ନୀଙ୍କ ଚିକିତ୍ସାରେ ସାରିଦେଲେ ଦିନ ମଜୁରିଆ କୃଷ୍ଣ । ଆଉ ପତ୍ନୀଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡି ବନ୍ଦ କରିଦେଲେ କାମଧନ୍ଦା । ଫଳରେ ଆହୁରୀ ବିଗିଡି ଯାଇଥିଲା ଘରର ଆର୍ଥିକ ସ୍ଥିତି ।

କିଛି ଦିନ ପରେ କାମ ପାଇଁ ଘରକୁ ଗୋଡ କାଢିଥିଲେ କୃଷ୍ଣ ହେଲେ ପିଲାଙ୍କ ଦାୟିତ୍ୱ ନେବ କିଏ ? ଦୁଇ ବେଳେ ଦୁଇ ଓଳି ମୁଠା ଯୋଗାଡ କରିବେ ନା ପିଲାଙ୍କ ଦାୟିତ୍ୱ ନେବେ ସେହି ଦ୍ୱନ୍ଦ୍ୱରେ ରହିଥିଲେ । ଆଉ ଏମିତି ସମୟରେ ଘରର ପୂରା ଦାୟିତ୍ୱ ନେବାକୁ ଆଗେଇ ଆସିଥିଲା ପଦ୍ମୀନୀ । ଭାଇଭଉଣୀଙ୍କ ଦାୟିତ୍ୱ ସହ ଘରର ସବୁ କାମ ହସି ହସି ଗ୍ରହଣ କରିନେଇଛି ପଦ୍ମିନୀ କିନ୍ତୁ ଏଥିପାଇଁ ତାକୁ ଦେବାକୁ ପଡିଛି ବଡ ବଳିଦାନ । ସପ୍ତମ ଶ୍ରେଣୀରେ ପଢୁଥିବା ପଦ୍ମିନୀର ପାଠପଢାରେ ଏବେ ବାନ୍ଧିଯାଇଛି ଡୋରି ଆଉ ନିଜ ଭବିଷ୍ୟତକୁ ଜଳାଂଜଳି ଦେଇ ଭାଇଭଉଣୀଙ୍କୁ ପାଳିପୋଷି ମଣିଷ କରିବାକୁ ସାଜିଯାଇଛି ସେମାନଙ୍କ ପାଇଁ ମାଆ ।

ଅନ୍ୟପଟେ କୃଷ୍ଣଙ୍କ ନିଜର ବୋଲି ଜମି କି ଘର ଖଣ୍ଡିଏ ବି ନାହିଁ । ଦୁଇ ଓଳି ଦୁଇ ମୁଠା ଦାନା ପାଇଁ ସେ ଅହରହ ପରିଶ୍ରମ କରିଚାଲିଥିଲେ ମଧ୍ୟ ପିଲାଙ୍କ ପାଠପଢା ଖର୍ଚ୍ଚ ଉଠାଇବାକୁ ତାଙ୍କ ପାଖରେ ଆଉ ସମର୍ଥ ନାହିଁ । ଯଦି ପ୍ରଶାସନ ପକ୍ଷରୁ ଏହି ପିଲାମାନଙ୍କ ପାଠପଢା ପାଇଁ କୌଣସି ପ୍ରକାରର ସହାୟତା ମିଳିପାରନ୍ତା ତେବେ ଏମାନେ ମଣିଷ ହୋଇଯାନ୍ତେ ବୋଲି ମତ ପ୍ରକାଶ ପାଇଛି ।