ଚର୍ଚ୍ଚାରେ ମାଲକାନଗିରିର ମଲାଲା : ବିଛିନ୍ନାଞ୍ଚଳ ଗୋରାସେତୁ ଗାଁରେ ଶିକ୍ଷାର ଆଲୋକ ବାଣ୍ଟୁଛନ୍ତି କୁସୁମଣୀ ଖିଲୋ; ଶିକ୍ଷକଙ୍କ ପାଦ ପଡୁନଥବା ଅଂଚଳରେ କୁନି କୁନି ପିଲାଙ୍କୁ ପଢାଉଛନ୍ତି ପାଠ

53

କନକ ବ୍ୟୁରୋ : ମାଲକାନଗିରି ବିଛିନ୍ନାଞ୍ଚଳର ଗୋରାସେତୁ ଗାଁ । ଲାଲଗଡ ଭାବେ ପରିଚିତ ଏହି ଅଞ୍ଚଳରେ ଏବେ ଶୁଭୁଛି ଛୋଟଛୋଟ ପିଲାଙ୍କ ପାଠପଢା ସ୍ୱର । ଆଗରୁ ଏଠି ବନ୍ଧୁକ ଗର୍ଜୁଥିଲା । ମାଓ ବାହିନୀର ଭୟରେ ଶିକ୍ଷକ କେବଳ ଗାଁକୁ ଆସି ପିଲାଙ୍କୁ ପଢା ବହି ଓ ସ୍କୁଲ ୟୁନିଫର୍ମ ଧରାଇ ଫଟୋ ଉଠାଇ ଫେରିଆସୁଥିଲେ । ତେଣୁ ପିଲାଙ୍କ ବହି ଫିଟୁନଥିଲା କିମ୍ବା ସିଲଟ, ଖାତାରେ ଗାରଟିଏ ଟଣା ହେଉନଥିଲା । ହେଲେ ଲାଲ ଇଲାକାର ଏହି ଚିତ୍ର ବଦଳାଇଛନ୍ତି ମାଲକାନଗିରିର ମଲାଲା ।

ସେହି ଗୋରାସେତୁ ଗାଁର ଯୁକ୍ତ ୩ରେ ପାଠ ପଢୁଥିବା ଝିଅ କୁଷ୍ମଣୀ ଖିଲୋ ଏବେ ଏହି ଅନ୍ଧାରୀ ମୂଲକରେ ଶିକ୍ଷାର ଆଲୋକ ପହଂଚାଇବାକୁ ଅଂଟା ଭିଡିଛନ୍ତି । କଲେଜରେ ପାଠ ପଢୁଥିବା ଏହି ଝିଅ ଦିନରେ ବିଲ, ବାଡିରେ କାମ କରନ୍ତି ଆଉ ରାତିରେ ଛୋଟଛୋଟ ପିଲାଙ୍କୁ କରୁଛନ୍ତି ଶିକ୍ଷାଦାନ । ବିଶେଷ କରି କରୋନା ଲକଡାଉନ ସମୟରେ ଏକ ପରିତ୍ୟକ୍ତ ଘରେ ପ୍ରାୟ ୪୦ ଜଣ ପିଲାଙ୍କୁ ପାଠ ପଢାଇବା ସହିତ ଶାନ୍ତି ଓ ମୈତ୍ରୀର ବାର୍ତା ଦେଉଛନ୍ତି କୁଷ୍ମଣୀ । ଠିକ ଯେମିତି ଆତଙ୍କର ଉପତ୍ୟକା ପାକିସ୍ତାନରେ ଶିକ୍ଷାର ଆଲୋକ ବାଂଟୁଥିଲେ ମଲାଲା ୟୁସୁଫଜାଇ ।