ଅଦରକାରୀ ଜିନିଷରୁ ବିରାଟ ଗିଟାର…ମାତ୍ର ୨୧ ଦିନରେ ୨୬ଫୁଟର ଗିଟାର ତିଆରି କଲେ ଆଦିବାସୀ ଇଲାକାର ୩୦ ଛାତ୍ରଛାତ୍ରୀ

324

କନକ ବ୍ୟୁରୋ: ବର୍ଜ୍ୟବସ୍ତୁରୁ ୨୬ ଫୁଟର ଗିଟାର । ବ୍ରହ୍ମପୁର ପରେ ଏବେ ଚର୍ଚ୍ଚାରେ ଆଦିବାସୀ ଅଂଚଳର ଆଇଟିଆଇ ଛାତ୍ରଛାତ୍ରୀ । ଅଦରକାରୀ ଜିନିଷକୁ ଏକାଠି କରି ୨୧ ଦିନ ଭିତରେ ତିଆରି କରିଛନ୍ତି ଗିଟାର । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଶିକ୍ଷାନୁଷ୍ଠାନର ୩୦ ଜଣ ଆଦିବାସୀ ପିଲା ମିଶି ମାତ୍ର ୨୧ ଦିନରେ ତିଆରି କରିଛନ୍ତି ଏହି ଗିଟାର ।

ବର୍ଜବସ୍ତୁରୁ ୨୬ ଫୁଟର ଗିଟାର । ୨୧ ଦିନରେ ତିଆରି କଲେ ଆଦିବାସୀ ଛାତ୍ରଛାତ୍ରୀ । ସୁନ୍ଦର ଓ ସୁଉଚ୍ଚତାର ଗିଟାର କରି ଉଦାହରଣ ସୃଷ୍ଟି କରିଛନ୍ତି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲିର ଆଇଟିଆଇର ଛାତ୍ରଛାତ୍ରୀ । ବ୍ରହ୍ମପୁରରେ ୭୦ ଫୁଟର ଗିଟାର ପ୍ରସ୍ତୁତ ହେବା ପରେ ଏବେ ମାଥିଲିରେ ମଧ୍ୟ ଅନୁରୂପ ଭାବେ ଏକ ଗିଟାର କରିବାକୁ ମନ ବଳାଇଥିଲେ ଛାତ୍ରଛାତ୍ରୀ । ପରେ ଯୋଜନା କରି ତାଲିମ କେନ୍ଦ୍ର ତାଲିମ ସମୟରେ ଏହି ଗିଟାରକୁ ତିଆରି କରିଥିଲେ । ତେବେ କ୍ୟାମ୍ପସ ପରିସରରେ ପଡି ରହିଥିବା ଅଦରକାରୀ ବର୍ଜବସ୍ତୁ ତଥା ଲୁହା, ଟିଣ ଆଦି ଅଦରକାରୀ ଜିନିଷକୁ ସଂଗ୍ରହ କରି କାନ୍ଥରେ ୨୬ ଫୁଟ ଉଚ୍ଚର ଏହି ଗିଟାରଟିକୁ ତିଆରି କରିଛନ୍ତି । ଯାହାକୁ ତିଆରି କରିବା ପାଇଁ ଏମାନଙ୍କୁ ମାତ୍ର ୨୧ ଦିନ ସମୟ ଲାଗିଥିଲା ।

ତେବେ ଆଦିବାସୀ ଅଧ୍ୟୁଷିତ ଏହି ତାଲିମ କେନ୍ଦ୍ରରେ ୨୬ ଫୁଟର ଗିଟାର ପ୍ରସ୍ତୁତ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଏମାନେ । ଶିକ୍ଷାନୁଷ୍ଠାନ କାନ୍ଥରେ ଏହି ଗିଟାରକୁ ପ୍ରଦର୍ଶନ କରାଯାଇଥିବା ବେଳେ ଗିଟାରକୁ ଦେଖିବାକୁ ଲୋକଙ୍କର ବେଶ୍ ଭିଡ ଜମୁଥିବାର ଦେଖିବାକୁ ମିଳିଛି ।