ସ୍ୱାଭିମାନ ଅଂଚଳର ଭାତ ହାଣ୍ଡି ପାଲଟିବ ବାଲିମେଳା ଜଳଭଣ୍ଡାର: ମାଛ ମାରି ଜୀବିକା ନିର୍ବାହ ପାଇଁ ଲୋକଙ୍କୁ ସହାୟତା କରୁଛି ମତ୍ସ୍ୟ ବିଭାଗ

୧୦ ହଜାର ଲୋକଙ୍କୁ ରୋଜଗାର ଯୋଗାଇବାକୁ ୩ ବର୍ଷ ହେଲା ମାଛ ଯାଆଁଳ ଛାଡି ଆସୁଛି ଜିଲ୍ଲା ପ୍ରଶାସନ

82

କନକ ବ୍ୟୁରୋ: ସ୍ୱାଭିମାନ ଅଂଚଳବାସୀଙ୍କୁ ରୋଜଗାର ଯୋଗାଉଛି ବାଲିମେଳା ଜଳଭଣ୍ଡାର । ସ୍ୱାଭିମାନ ଅଂଚଳବାସୀଙ୍କୁ ସ୍ୱାବଳମ୍ବୀ କରିବା ଉଦେଶ୍ୟରେ ବାଲିମେଳା ଜଳଭଣ୍ଡାରରେ ୩ ବର୍ଷ ହେଲା ମାଛ ଯାଅଁଳା ଛାଡୁଛି ଜିଲ୍ଲା ପ୍ରଶାସନ । ୨୦୧୮ରେ ଗୁରୁପ୍ରୀୟା ସେତୁ ଉଦଘାଟନ କରି ୧୦୦ କୋଟି ଟଙ୍କାର ସେତୁ ଯୋଜନା ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ସେଥିରେ ମତ୍ସ୍ୟ ଚାଷ ପାଇଁ ୨୦ କୋଟି ଅଂଶ ରଖାଯାଇଥିଲା । ଆଉ ସେହି ସେତୁ ଯୋଜନା ଏବେ ସ୍ୱାଭିମାନ ଅଂଚଳର ସ୍ୱାଭିମାନୀ ମଣିଷକୁ ରୋଜଗାରକ୍ଷମ କରିବା ସହ ଜୀବିକା ନିର୍ବାହର ବାଟ ଫିଟାଇଛି ।

ବାଲିମେଳା ଜଳଭଣ୍ଡାରରେ ସଫଳ ହେଉଛି ମାଛ ଚାଷ । ୧୦ ହଜାର ଲୋକଙ୍କ ଜୀବିକା ନିର୍ବାହ କରିବା ପାଇଁ ୩ ବର୍ଷ ହେଲା ବାଲିମେଳା ଜଳଭଣ୍ଡାରରେ ମାଛ ଯାଆଁଳ ଛାଡି ଆସୁଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଏଯାଏଁ ୫ କୋଟିରୁ ଅଧିକ ମାଛ ଯାଅାଁଳ ଛାଡିଛି ମତ୍ସ୍ୟ ବିଭାଗ । ମାଲେସିଆ ସ୍ଥିତ ୱାର୍ଲଡ ଫିସ୍ ଫେଡେରେଶନର ବୈଷୟିକ ତତ୍ୱବଧାନରେ ରୋହି, ଭାକୁର, ମିର୍କାଲି, ଚାଇନା ରୋହି ପ୍ରଜାତିର ୩୦୦ ଗ୍ରାମରୁ ଅଧିକ ଓଜନର ବଡ ମାଛ ଯାଅଁଳା ଛାଡିଛି ମତ୍ସବିଭାଗ । ଏହାସହ ମାଛ ମାରି ଜୀବିକା ନିର୍ବାହ କରିବା ପାଇଁ ସ୍ୱାଭିମାନ ଅଂଚଳବାସୀଙ୍କୁ ଜାଲ, ମାଛ ଧରା ଡଙ୍ଗ ଯୋଗାଇ ଦେଇଛି ମତ୍ସ୍ୟ ବିଭାଗ ।

୨୦୧୮ରେ ପ୍ରଥମ ପର୍ଯ୍ୟାୟରେ ୪୦ ଲକ୍ଷ ଅଙ୍ଗୁଳିକା ମାଛ ଛଡା ଯାଇଥିଲା । ପର୍ଯ୍ୟାୟ କ୍ରମେ ବାଲିମେଳା ଜଳଭଣ୍ଡାରରେ କୋଟିଏ ଯାଅାଁଳ ମାଛ ଛଡା ଯିବ । ଚଳିତ ବର୍ଷ ୮୦ ଲକ୍ଷ ଯାଅାଁଳ ମାଛ ଛାଡିବା ଲକ୍ଷ୍ୟ ରଖିଛି ମତ୍ସ୍ୟବିଭାଗ । ଏ ବର୍ଷର ପ୍ରଥମ ପର୍ଯ୍ୟାୟରେ ୨୦ କ୍ୱିଂଟାଲ ମାଛ ଯାଆଁଳ ଛଡା ଯାଇଥିବା ବେଳେ ମାଛ ବଢିବା ଲାଗି ଜଳଭଣ୍ଡାର ୫ ଏକର ସ୍ଥାନରେ ପେନ୍ କଲ୍ଟିଭେସନ ପଦ୍ଧତିରେ ଫିଶ ଫାର୍ମିଙ୍ଗ କରାଯାଇଛି । ଏବେ ବିପୁଳ ପରିମାଣର ମାଛ ଛଡା ଯାଉଥିବାରୁ ଆଗାମୀ ୫ ବର୍ଷ ପରେ ଆଉ ମାଛ ଯାଆଁଳ ଛଡିବାକୁ ପଡିବ ନାହିଁ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀ ୨୦୧୮ ଜୁଲାଇରେ ଗୁରୁପ୍ରୀୟା ସେତୁ ଉଦଘାଟନ କରି ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ । ସେଥିରେ ମତ୍ସ୍ୟ ଚାଷ ପାଇଁ ୨୦ କୋଟି ଅଂଶ ରଖାଯାଇଥିଲା । ଯାହା ଏବେ ସ୍ୱାଭିମାନ ଅଂଚଳବାସୀଙ୍କ ଜୀବିକା ନିର୍ବାହ କରିବା ଦିଗରେ ବେଶ ସଫଳ ହୋଇପରିଛି ।