ପଛୁଆ ଜିଲ୍ଲାର ଆଗୁଆ ପୁଅ ଭକ୍ତରାମ ଦୋସ୍ତି । ଅଷ୍ଟ୍ରେଲିଆରେ ପ୍ରତିଭା ପ୍ରଦର୍ଶନ କରିବେ ମାଲକାନଗିରିର ଆଦିବାସୀ ପୁଅ

ଆସନ୍ତା ୯ ତାରିଖରୁ ଅଷ୍ଟ୍ରେଲିଆରେ ହେବ ଆନ୍ତର୍ଜାତୀୟ ଭାରୋତ୍ତଳନ ପ୍ରତିଯୋଗୀତା

154

କନକ ବ୍ୟୁରୋ: ଅଷ୍ଟ୍ରେଲିଆରେ ନିଜ ପ୍ରତିଭା ପ୍ରଦର୍ଶନ କରିବେ ଲାଲଗଡର ଆଦିବାସୀ ପୁଅ । ଆସନ୍ତା ୯ ତାରିଖରୁ ଅଷ୍ଟ୍ରେଲିଆରେ ହେବାରୁ ଥିବା ଆନ୍ତର୍ଜାତୀୟ ଭାରୋତ୍ତଳନ ପ୍ରତିଯୋଗୀତାରେ ଭାରତରୁ ଅଂଶ ଗ୍ରହଣ କରିବେ ମାଲକାନଗିରି ଚିତ୍ରକୋଣ୍ଡାର ଭକ୍ତରାମ ଦୋସ୍ତି । ରାଜ୍ୟସ୍ତରରେ ଅନେକ ସଫଳତା ପାଇଥିବା ଭକ୍ତ ବିଦେଶରେ ବି ଗୌରବ ଅର୍ଜନ କରିବେ ବୋଲି ଆଶା ରଖିଛନ୍ତି ଅଂଚଳବାସୀ ।

ଦୃଢମନା ହେଲେ ଯେକୌଣସି ପ୍ରତିଭା ଦିନେ ନା ଦିନେ ବିକଶିତ ହେବ । ପରିଶ୍ରମର ମୂଲ କେବେ ବୁଡେ ନାହିଁ । ଏହାର ପ୍ରମାଣ ହେଉଛନ୍ତି ମାଲକାନଗିରି ଭଳି ପଛୁଆ ଜିଲ୍ଲାର ଆଗୁଆ ଆଦିବାସୀ ଯୁବକ ଭକ୍ତରାମ ଦୋସ୍ତି । ଯିଏ ନିଜ ପ୍ରତିଭା ବଳରେ ଲାଲଗଡ କୁହାଯାଉଥିବା ଚିତ୍ରକୋଣ୍ଡାରୁ ଅଷ୍ଟ୍ରେଲିଆ ଯିବା ପାଇଁ ମନୋନିତ ହୋଇଛନ୍ତି । ଭାରୋତ୍ତଳନକାରୀ ଭକ୍ତରାମ ଆସନ୍ତା ୯ରୁ ୧୪ ତାରିଖ ଯାଏଁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଭାର ଉତ୍ତୋଳନ ପ୍ରତିଯୋଗୀତାରେ ଭାରତ ପକ୍ଷରୁ ସାମିଲ ହେବା ପାଇଁ ମନୋନିତ ହୋଇଛନ୍ତି । ଏଥିପାଇଁ ଏବେ ସେ ପଂଜାବର ପଟିଆଲା ସ୍ଥିତ ଜାତୀୟ ପ୍ରଶିକ୍ଷଣ ଶିବିରରେ ନିଜକୁ ପ୍ରସ୍ତୁତ କରୁଛନ୍ତି ।

ଚିତ୍ରକୋଣ୍ଡା ବ୍ଲକ ଦୋରାଗୁଡା ପଂଚାୟତର ଆଦିବାସୀ ଯୁବକ ଭକ୍ତରାମ । ବାପା ସଦନ ଦୋସ୍ତି, ଚାଷ କାମ କରି ପେଟ ପୋଷୁଥିବା ବେଳେ ଭକ୍ତ ପ୍ରଥମେ ମାଲକାଗିରି କ୍ରୀଡା ଛାତ୍ରାବାସରେ ରହି ନିଜକୁ ପ୍ରସ୍ତୁତ କରୁଥିଲେ । ପରେ ସେ ବ୍ରହ୍ମପୁର କ୍ରିଡା ଛାତ୍ରାବସରେ ଭରୋଉତ୍ତୋଳନ ତାଲିମ ନେଇଛନ୍ତି । ରାଜ୍ୟସ୍ତରରେ ଆୟୋଜିତ ପ୍ରତିଯୋଗୀତାରେ ସାମିଲ ହୋଇ ସଫଳତା ହାସଲ କରିଥିବା ଭକ୍ତରାମ ଜାତୀୟସ୍ତରରେ ମଧ୍ୟ ସଫଳତାର ମୁକୁଟ ପିନ୍ଧିବେ ବୋଲି ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା ଆଶା ରଖିଛନ୍ତି ।