ମାଲକାନଗିରି ମାଲ୍ୟବନ୍ତ ମହୋତ୍ସବରେ ଜମିଲା ଆଦିବାସୀ ମହିଳାଙ୍କ ବେପାର । ୫ ଦିନ ଭିତରେ ସାଢ଼େ ୪କୋଟି ଟଙ୍କାର ବ୍ୟବସାୟ ହୋଇଥିବା ଆକଳନ

74

କନକ ବ୍ୟୁରୋ : ମାଲକାନଗିରି ମାଲ୍ୟବନ୍ତ ମହୋତ୍ସବରେ ଆଦିବାସୀ ମହିଳାଙ୍କ ଦ୍ୱାରା ସଂଗୃହିତ ଜଙ୍ଗଲଜାତ ଦ୍ରବ୍ୟ କିଣିବାକୁ ଗ୍ରାକଙ୍କ ଅହେତୁକ ଭିଡ଼ । ସୁଆଁ, ମାଣ୍ଡିଆ, ବିରି, ମୁଗ, ହଳଦି, କ୍ଷୀରି ଚାଉଳ, ଝାଡୁ କିଣିବାକୁ ପ୍ରବଳ ଗହଳି ଲାଗିଥିଲା । ଚଳିତ ବର୍ଷ ମିଶନ ଶକ୍ତିର ବ୍ରାଣ୍ଡିଙ୍ଗ କରାଯାଇ ସ୍ୱତନ୍ତ୍ର ପ୍ୟାକେଜିଙ୍ଗ କରି ଏହି ସବୁ ସାମଗ୍ରୀ ବିକ୍ରି ହଉଥିବାରୁ ଗ୍ରାହକଙ୍କ ଚାହିଦା ଅଧିକ ରହିଥିଲା   । ବିଶେଷକରି କୋରାପୁଟ ମିଶନ ଶକ୍ତି ଷ୍ଟଲରେ ପ୍ୟାକେଟ ହଳଦି, ପ୍ୟାକେଟ ମାଣ୍ଡିଆ, ତେନ୍ତୁଳି, ଗୁଡ, ହଳଦି ସାବୁନ ଓ ଲେମନ ଗ୍ରାସ ମୁଖ୍ୟ ଆକର୍ଷଣ ପାଲଟିଥିଲା । ସେହିପରି ମାଲାକନଗିରି କାଲିମେଳା ବ୍ଲକର ଏସଏଚଜି ମହିଳାଙ୍କ ଦ୍ୱାର ପ୍ରସ୍ତୁତ ଆଦିବାସୀଙ୍କ ପାରମ୍ପାରିକ ଗହଣା, ବାଦ୍ୟଯନ୍ତ୍ର, ଅସ୍ତ୍ରଶସ୍ତ୍ର କଣିବାକୁ ବେଶ ଉତ୍ସାହିତ ଥିଲେ ଗ୍ରାହକ ।

ସେହିପରି ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ଟେରାକୋଟା, କାଠ ଶିଳ୍ପ ସହ ହସ୍ତତନ୍ତ ଓ ବୟନଶିଳ୍ପ ଥିଲା ମାଲକାନଗିରି ପଲ୍ଲିଶ୍ରୀ ମେଳା ବ୍ୟବସାୟର କେନ୍ଦ୍ରବିନ୍ଦୁ । ପ୍ରାୟ ୧୦ରୁ ଅଧିକ ଷ୍ଟଲରେ ପଡ଼ିଥିଲା ସମ୍ବଲପୁରୀ ଶାଢ଼ୀ ଷ୍ଟଲ । ବିଶେଷକରି ଯାଜପୁରର ବୟନ ଶିଳ୍ପ ସହ କୋରାପୁଟ ମଣ୍ଡଳ କାରିଗରଙ୍କ ହସ୍ତତନ୍ତ ଜିନିଷ କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ଯେମିତି ପ୍ରତିଯୋଗୀତା ଲାଗିଥିଲା । ଏହା ସହ କାଶ୍ମୀର ଶାଲ, କାରପେଟ, ବେତ ତିଆରି ସୋଫା କିଣିବା ପାଇଁ ଗ୍ରାହକଙ୍କ ଭିଡ ଜମୁଥିଲା ।

ସେହିପରି ପଲ୍ଲିଶ୍ରୀ ମେଳାରେ ପଡ଼ିଥିବା ଖାଇବା ଷ୍ଟଲରେ ଲାଗିଥିଲା ଲୋକଙ୍କ ଭିଡ଼ । ଶାଓରମା ଚିକେନ, ଚିକେନ ବିରିଆନି ସେଂଟରର ଲୋକମାନେ ଗହଳି ଲଗାଇଥିଲେ । ଆଇସକ୍ରିମ ଓ ସ୍ମୋକ୍ ବିସ୍କୁଟ୍ ମାଣ୍ଡିଆ ସ୍ନାକ୍ସ ଷ୍ଟଲ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଓରମାସ ପକ୍ଷରୁ ଆୟୋଜିତ ଏହି ପଲ୍ଲିଶ୍ରୀ ମେଳାରେ ଚଳିତ ବର୍ଷ ପ୍ରାୟ ୨୦୦ଟି ଷ୍ଟଲ ଖୋଲା ଯାଇଥିବା ବେଳେ ୫ ଦିନରେ ୫କୋଟି ଟଙ୍କାର ବ୍ୟବସାୟ ହୋଇଥିବା କହିଛନ୍ତି ଅଧିକାରୀ ।

ଚଳିତ ବର୍ଷ ମାଲ୍ୟବନ୍ତ ମହୋତ୍ସବ ଜାନୁଆରି ୧୫ରୁ ଆରମ୍ଭ ହୋଇ ୧୯ ତାରିଖ ଯାଏଁ ଜାରି ରହିଥିଲା । ଆଉ ପ୍ରତି ବର୍ଷ ପରି ଗ୍ରାମାଂଚଳର ଉଦ୍ୟୋଗୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ରୋଜଗାରର ଏକ ମାଧ୍ୟମ ପାଲଟିଥିଲା ପଲ୍ଲିଶ୍ରୀ ମେଳା ।