ବନ୍ଧା ପଡ଼ିଛି ଆଦିବାସୀ ଛାତ୍ରୀଙ୍କ ଭବିଷ୍ୟତ । ୩ ବର୍ଷ ହେଲା ସାର୍ଟିଫିକେଟ୍ ଦେଉନି ସ୍କୁଲ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ମାଲକାନଗିରି ନର୍ସିଂ ସ୍କୁଲର ଭାଙ୍ଗୁନି ନିଦ

332

କନକ ବ୍ୟୁରୋ: ବର୍ଷ ବର୍ଷ ଧରି ବନ୍ଧା ପଡିଛି ଆଦିବାସୀ ଛାତ୍ରୀଙ୍କ ସାର୍ଟିଫିକେଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଛାତ୍ରୀଙ୍କୁ ଶିକ୍ଷାଗତ ପ୍ରମାଣପତ୍ର ଫେରାଉନାହିଁ ଏଏନଏମ୍ ତାଲିମ କେନ୍ଦ୍ର । ଏପରି ଅଭାବନୀୟ ଖବର ଆସିଛି ମାଲକାନଗିରି ଜିଲ୍ଲାରୁ । ଗତ ୩ ବର୍ଷ ଧରି ପିଲାଙ୍କ ସମସ୍ତ ସାର୍ଟିଫିକେଟ ରଖି ସେମାନଙ୍କୁ ଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରିଚାଲିଥିବା ଅଭିଯୋଗ ହୋଇଛି । ମାଲକାନଗିରି ଜିଲ୍ଲାର ୫୦ ରୁ ଅଧିକ ଛାତ୍ରୀଙ୍କ ସାର୍ଟିଫିକେଟ ଏବେ ମାଲକାନଗିରି ସ୍ଥିତ ଓଡିଶା ହେଲ୍ଥ ଏଜୁକେଶନ ଫର ସ୍କୁଲ ଅଫ ନର୍ସିଂ ନାମକ ଅନୁଷ୍ଠାନ ନିକଟରେ ରହିଛି ।

ଗତ ୧୨ ବର୍ଷ ଧରି ମାଲକାନଗିରି ଠରେ ପିଲାଙ୍କୁ ନର୍ସିଂ ତାଲିମ ଦେବା ନାଁରେ ଏହି ନର୍ସିଂ ତାଲିମ କେନ୍ଦ୍ର ଆଦିବାସୀ ଇଲାକାରେ ନିରୀହ ପିଲାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଏପରି ହଇରାଣ କରି ଆସୁଛି । ୨୦୧୭-୧୮ ଓ ୨୦୧୮-୧୯ ଶିକ୍ଷା ବର୍ଷର ଛାତ୍ରୀମାନେ ନିଜ ପାଠ୍ୟକ୍ରମ ସାରିବା ପରେବି ଏଯାଏଁ ସଂସ୍ଥା ଫେରାଉନି ପ୍ରମାଣପତ୍ର । ଦଶମ ଓ ଯୁକ୍ତଦୁଇର ଶିକ୍ଷାଗତ ଅସଲି ପ୍ରମାଣପତ୍ର ରହିଛି ନର୍ସିଂ ସ୍କୁଲ କବଜାରେ । ୬ ସପ୍ତାହ ଭିତରେ ପିଲାଙ୍କ ସାର୍ଟିଫିକେଟ ଉଦ୍ଧାର କରିବା ଲାଗି ମାନ୍ୟବର ହାଇ କୋର୍ଟ ମାଲକାନଗିରି ପୁଲିସ କୁ ନିରଦେଶ ଦେଇ ଥିବା ଜଣା ପଡିଛି । ତେବେ ଇତି ମଧ୍ୟ ରେ ମାସ ପରେ ମାସ ବିତି ଯାଇ ଥିଲେ ହେଁ ସାର୍ଟିଫିକଟେ କିନ୍ତୁ ମିଳି ପାରି ନାହିଁ । ଜିଲ୍ଲାପାଳ ଓ ମାଲକାନଗିରି ପୁଲିସ କୁ ଗୁହାରି କରି ମଧ୍ୟ କୌଣସି ସୁଫଳ ପାଇ ନାହାନ୍ତି ଛାତ୍ରୀ ମାନେ ।