କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଅତି ଯତ୍ନରେ ଗାଈ ପାଳନ୍ତି। କିନ୍ତୁ କ୍ଷୀର ଟୋପାଏ ଦୁହିଁବାକୁ ସଂକୋଚ କରନ୍ତି । ପିଢି ପରେ ପିଢି ଏହି ପରମ୍ପରା ଚାଲିଆସିଛି । ତେବେ କାହିଁକି ସେମାନେ କ୍ଷୀର ଦୁହିଁବାକୁ ସଂକୋଚ କରନ୍ତି ତାହାର କିଛି ତଥ୍ୟ ସେମାନଙ୍କ ପାଖରେ ନାହିଁ । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଏବେ ବି ଏମିତି କିଛି ଅଜବ ବିଶ୍ୱାସ ବଞ୍ଚିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବହୁ ପ୍ରତିକ୍ଷିତ ଗୁରୁପ୍ରିୟା ସେତୁ ହେବା ପରେ ବାହ୍ୟ ଜଗତ ସହ ଯୋଡି ହୋଇଛି ଚିତ୍ରକୋଣ୍ଡା ବ୍ଲକର ୭ଟି ପଂଚାୟତ । ଏମାନେ ସମସ୍ତେ ପ୍ରାୟ ଗୋ-ପାଳନ କରନ୍ତି, ଗାଇ ଗୋବରକୁ ଖତ ଭାବେ ଚାଷ ଜମିରେ ବ୍ୟବହାର କରନ୍ତି । କିନ୍ତୁ ଗାଈଠାରୁ କ୍ଷୀର ଦୁହନ୍ତି ନାହିଁ । କାହିଁକି ଏମିତି କରନ୍ତି ବୋଲ ପଚାରିବାରୁ ଜଣାପଡିଲା, ଏମାନଙ୍କ ବିଶ୍ୱାସ ଗାଈ କ୍ଷୀର କେବଳ ବାଛୁରୀର, ଭଗବାନଙ୍କର ।
ସ୍ୱାଭିମାନ ଅଂଚଳରେ ପିଢି ପରେ ପିଢି ଏହି ପରମ୍ପରା ରହିଛି । କେବଳ ପୂଜା ପର୍ବାଣୀରେ ଗାଇ ଦୁହାଁ ହୁଏ । ଆଉ ସେଇ କ୍ଷୀରକୁ କେବଳ ପୂଜାରେ ହିଁ ବ୍ୟବହାର କରାଯାଏ । ପୂର୍ବ ପୁରୁଷଙ୍କ ନିଷ୍ପତିକୁ ଅନୁପାଳନ କରିବା ସହ ଦେବାଦେବୀଙ୍କୁ ସନ୍ତୁଷ୍ଟ କରିବା ଉଦେଶ୍ୟରେ ଆଜି ଯାଏଁ ବଂଚି ରହିଛି ଏହି ଅଜବ ପରମ୍ପରା । ସରକାରଙ୍କ ଉଦ୍ୟମରେ ସ୍ୱାଭିମାନ ଅଂଚଳରେ ବିକାଶ ପହଂଚୁଛି । ରାସ୍ତାଘାଟ, ମେଡିକାଲ ସେବା, ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ କାମ ଚାଲିଛି । କିନ୍ତୁ ଆଜି ବି ଏହି ଏହି ଅଂଚଳରେ ଅନ୍ଧବିଶ୍ୱାସକୁ ଧରି ରଖିଛନ୍ତି ସ୍ୱାଭିମାନ ଅଂଚଳବାସୀ ।