ବିଧାନସଭାରେ ଉଠିଲା ମାଲକାନଗିରିରେ ମା’ଛୁଆ ବିଷ ପିଇ ଆତ୍ମହତ୍ୟା ଘଟଣା। ଜିଲ୍ଲାପାଳ ତଦନ୍ତ କରି ରିପୋର୍ଟ ଦେବାକୁ ରାଜସ୍ୱ ମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ହସ୍ପିଟାଲରେ ଟଙ୍କା ନଦେବାରୁ ଶବ ଛାଡୁନଥିବା ପ୍ରସଙ୍ଗ ଉଠାଇଲେ ବିଜେପି ବିଧାୟକ

130

କନକ ବ୍ୟୁରୋ: ବିଧାନସଭାରେ ଉଠିଲା ମାଲକାନଗିରି ପ୍ରସଙ୍ଗ । ଦାରିଦ୍ର‌୍ୟ ଯନ୍ତ୍ରଣାରେ ଅତିଷ୍ଠ ହୋଇ ନିଜର ଦୁଇ ଛୁଆକୁ ବିଷ ପିଆଇ ନିଜେ ଆତ୍ମହତ୍ୟା କରିବା ଘଟଣା ସଂପର୍କରେ ଆଜି ବିଧାନସଭା ଶୂନ୍ୟକାଳରେ ଉଠାଇଛନ୍ତି ମାଲକାନଗିରି ବିଧାୟକ ଆଦିତ୍ୟ ମାଡି । ତେବେ ଏହି ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଅନ୍ୟପଟେ, ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏହି ଘଟଣାର ତଦନ୍ତ କରିବେ ମାଲକାନଗିରି ଜିଲ୍ଲାପାଳ ଏବଂ ତଦନ୍ତ କରି ରାଜସ୍ୱ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

ଏହା ସହ ଶୂନ୍ୟକାଳରେ ଉଠିଲା ଘରୋଇ ହସ୍ପିଟାଲର ଶୋଷଣ ପ୍ରସଙ୍ଗ। ଘରୋଇ ହସ୍ପିଟାଲରେ ମନମୁଖୀ କାମ ଚାଲିଛି । ଟଙ୍କା ନଦେଲେ ରୋଗୀଙ୍କ ମର ଶରୀରକୁ ହସ୍ପିଟାଲ କତୃପକ୍ଷ ଛାଡୁନଥିବା ପ୍ରସଙ୍ଗ ଶୂନ୍ୟକାଳରେ ଉଠାଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଅଫିସର ସ୍ତରୀୟ କମିଟି ଗଠନ କରି ଏଭଳି ସମସ୍ୟାର ସମାଧାନ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ଉତର ରଖିଛନ୍ତି । ଅଭିଯୋଗ ପରେ ତଦନ୍ତ ଚାଲିଥିବା ନବ ଦାସ କହିଛନ୍ତି ।

ଉଲ୍ଲେଖ ଥାଉ କି, ଅସହ୍ୟ ଦାରିଦ୍ର ଯନ୍ତ୍ରଣା ସହି ନପାରି ମାଲକାନଗିରି ଜିଲ୍ଲା ସଦର ମହକୁମା ଗୋରେଇଗୁଡା ଗାଁରେ ଜଣେ ମା’ ତାର ଦୁଇ ନିରୀହ ଶିଶୁକୁ ବିଷ ପିଆଇ ନିଜେ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ସ୍ୱାମୀ ମୃତ୍ୟୁ ପରେ ଦୁଇ ସନ୍ତାନକୁ ନେଇ ଅତି କଷ୍ଟରେ ମଜୁରି କରି ଜୀବନ ବିତାଉ ଥିଲେ ସିତା । ଓଳିଏ ଖାଇଲେ ଦୁଇ ଓଳି ଭୋକିଲା ପେଟରେ ଦିନ କଟୁଥିଲା । ତେବେ ଆର୍ଥିକ ଅନାଟନ ଓ ଦାରିଦ୍ର ଯନ୍ତ୍ରଣା ଏତେ ଅଧିକ ହୋଇ ଗଲା ଯେ ଶେଷରେ ଆତ୍ମହତ୍ୟାକୁ ସବୁ ସମସ୍ୟାର ବାଟ ବୋଲି ବାଛି ନେଇଥିଲେ ସିତା । ତେବେ ଦାରିଦ୍ରତ୍ୟ କାରଣରୁ ଏପରି ଜଣେ ମା’ ନିଜେ ଆତ୍ମହତ୍ୟା କରିବା ସହ ନିଜ ପିଲାଙ୍କୁ ବିଷ ଦେବା ଘଟଣା ସବୁଆଡେ ଚାଂଚଲ୍ୟ ଖେଳାଇ ଦେଇଛି ।