ଭୋକ ଆଗରେ ଆତ୍ମସମର୍ପଣ ବଦଳରେ ଆତ୍ମହତ୍ୟାକୁ ବାଛିନେଲା ମା’ । ନିଜେ ମଲା, ୨ ଛୁଆଙ୍କୁ ମାରିଲା…ପଢନ୍ତୁ ମାଲକାନଗିରି ମାଆର କୋହଭରା କାହାଣୀ

1,819

କନକ ବ୍ୟୁରୋ: ‘ଘରେ କିଛି ନାହିଁରେ ଧନ…ଏଇ ଦି ମୁଠା ଚାଉଳ ଆଉ ଗୋଟେ ଦିଟା ପିଆଜ । ୟାକୁ ଖାଇ କଣ ଜୀବନ ବଞ୍ଚିହେବ । ତୋ ବାପା ଥିଲେ ଯେ, ତମର ସବୁ ଅଳି ଅର୍ଦଳି ବୁଝୁଥିଲେ । କଣ ଖାଇବ, କଣ ପିନ୍ଧିବ, ତମେମାନେ କେମିତି ଭଲରେ ରହିବ ସେ ସବୁ କଥା ବୁଝୁଥିଲେ । ହେଲେ ଏ ନିଆଁ ଲଗା ଭାଗ୍ୟଟା ତାଙ୍କୁ ତମ ଠାରୁ ଛଡେଇ ନେବା ପରେ ତମ ମୁହଁରେ କିଏ ଗୁଣ୍ଡେ ଖାଇବାକୁ ଦବରେ…ମୁଁ ମାଇକିନା ଲୋକଟା କେଉଁଠୁ କଣ ଆଣି କି ଦେବି ଯେ ? ମୋ ମୁଣ୍ଡ ଖରାପ ହେଇ ଯାଉଛି…ମୁଁ ପାରୁନିରେ ଧନ ପାରୁନି… । କେତେ ଦିନ ଆଉ ତମକୁ ଉପାସ ରଖିବି, କେତେ ଦିନ ତମ ଶୁଖିଲା ମୁହଁ ଦେଖିକି ରହିିବି… ଆଉ ପାରୁନିରେ ବାବା, ତମମାନଙ୍କ ଏ ଅବସ୍ଥା ମୁଁ ଦେଖିପାରୁନି…ସେଇଥିପାଇଁ ତମ ଲାଗି ଏ ବୋତଲଟା ଆଣିଛି । ନିଅ ଦି ଜଣ ଭାଗ କରି ପିଇଦିଅ… ୟାକୁ ପିଇଲା ପରେ ଆଉ ଜମା ଭୋକ ହେବନି… ନିଅରେ ବାବା ନିଅ…ଟିକେ ବିଷ ପିଇଦିଅ…’’ । ହୁଏତ, ଜୀବନ ଯିବା ବେଳେ ଏଭଳି କିଛି ତାଙ୍କ ମନକୁ ଆସିଥାଇପାରେ । ନହେଲେ କିଏ ବା କାହିଁକି, ନିଜ ଜନ୍ମ କଲା ପୁଅକୁ ନିଜ ହାତରେ ବିଷ ବଢ଼ାଇ ଦେବ ।

ଦାରିଦ୍ରତା ଆଗରେ ଦମ୍ଭ ଭାଙ୍ଗି ଦେଇଥିବା ଗୋଟେ ମାଆର ଏ ହେଉଛି କୋହଭରା ନିବେଦନ । ଭୋକ ଆଗରେ ଭିକାରୀ ସାଜିଥିବା ଗୋଟେ ମାଆର ଏ ହେଉଛି ମରି ଯାଇଥିବା ମମତା । ସ୍ୱାମୀ ଆରପାରିକୁ ଗଲା ପରେ ନିଜ ଛୁଆଙ୍କୁ ଖାଇବାକୁ ଗଣ୍ଡେ ନଦେଇପାରି ଏକ ନିଷ୍ଠୁର ନିଷ୍ପତ୍ତି ନେଇଛି ଜଣେ ନିର୍ଦ୍ଦୟୀ ମାଆ । ଭୋକ ଆଗରେ ଆତ୍ମସମର୍ପଣ ନକରି ଆତ୍ମହତ୍ୟା କରିଛି ମାଆ । ନିଜେ ଆତ୍ମହତ୍ୟା ତ’ କରିଛି ନିଜ ଛୁଆଙ୍କୁ ବି ସେଇ ବାଟରେ ଗଡ଼େଇ ନେଇଛି । ଦାରିଦ୍ର‌୍ୟ ଯନ୍ତ୍ରଣାରୁ ସବୁଦିନ ମୁକ୍ତି ପାଇବାକୁ ନିଜେ ପିଇ ନିଜ ଛୁଆଙ୍କୁ ବିଷ ପିଆଇ ଦେଇଛି ମାଆ ।

ମାଲକାନଗିରି ସଦର ମହକୁମା ଗୋରେଗୁଡା ଗାଁରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା । ଗିରବୀରୁ ସବୁଦିନ ମୁକ୍ତି ପାଇବାକୁ ମାଆ ନେଇଛି ଚରମ ନିଷ୍ପତ୍ତି । ପଲିଥିନ ଘେରା ମାଟି କାନ୍ଥ ଘରେ ଜୀବନ ସହ ଯୁଝୁଥିବା ସୀତା ମାଡକାମି ନେଇଛନ୍ତି ଏମିତି ଏକ ତାଜୁବ କରିଦେଲା ଭଳି ନିଷ୍ପତ୍ତି । ଗତ ଦୁଇ ମାସ ତଳେ ସୀତାଙ୍କ ସ୍ୱାମୀ ଟିବି ରୋଗରେ ପୀଡିତ ହୋଇ ପ୍ରାଣ ହରାଇ ଥିଲେ । ଆଉ ଦୁଇ ସନ୍ତାନକୁ ନେଇ ଅତି କଷ୍ଟରେ ମଜୁରି କରି ଜୀବନ ବିତାଉ ଥିଲେ ସୀତା । ଓଳିଏ ଖାଇଲେ ଦୁଇ ଓଳି ଭୋକିଲା ପେଟରେ ଦିନ କଟୁଥିଲା । ତେବେ ଆର୍ଥିକ ଅନଟନ ଓ ଦାରିଦ୍ର ଯନ୍ତ୍ରଣା ଏତେ ଅଧିକ ହୋଇ ଗଲା ଯେ, ନିଜ ୭ ବର୍ଷର ପୁଅ ଓ ୫ ବର୍ଷର ଝିଅକୁ ବିଷ ଦେଇ ଆତ୍ମହତ୍ୟା କଲେ ସୀତା । ନିଜ ଦୁଇ ସନ୍ତାକୁ କୀଟନାଶକ ଦେଇ ନିଜେ କୀଟନାଶକ ପିଇଦେଲା ମା ।

ତେବେ ଘଟଣା ପରେ ମାଲକାନଗିରି ବି.ଡି.ଓ. ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛନ୍ତି । ସୀତାଙ୍କ ପାଖରେ ରାସନ କାର୍ଡ ରହିଥିବା ସହ ସେ ଟଙ୍କିକିଆ ଚାଉଳ ପାଉଥିବା ସ୍ପଷ୍ଟ କରିଛନ୍ତି ବି.ଡି.ଓ । ତେବେ ପକ୍କା ଘର କିନ୍ତୁ ଦେଖିବାକୁ ମିଳିନାହିଁ । ତାଙ୍କ ୭ ଏକର ଜମି ରହି ଥିବା ବେଳେ କାଳିଆ ଟଙ୍କା ମଧ୍ୟ ଆସି ନ ଥିବା ଜଣା ପଡିଛି । ତେବେ ସ୍ୱାମୀଙ୍କ ମୃତ୍ୟୁ ପରେ ମାନସିକ ବିକୃତ ହୋଇ ସୀତା ପ୍ରାଣ ହରାଇ ଥିବା ବି.ଡି.ଓ କହିଛନ୍ତି ।