କନକ ବ୍ୟୁରୋ: ଜନ୍ମ ଜନ୍ମାନ୍ତରର ସାଥି । ହାତ ଧରି ସାରା ଜୀବନ ବିତାଇବାର ନିଷ୍ପତି । ସେଥିପାଇଁ ତ ଯେତେବେଳେ ବୟସ ଗଢେ ସେତେବେଳେ ଭଲପାଇବା ଆହୁରି ବଢେ । ସାବିତ୍ରୀ ନିଜ ସ୍ୱାମୀର ଜୀବନ ଫେରି ପାଇବା ପାଇଁ ଯମ ସହ ଲଢେଇ କରିଥିଲେ । ଠିକ୍ ସେମିତି ଏକ ଖବର ଆଦିବାସୀ ଇଲାକାରୁ ଆସିଛି । ଏଠି ସାବିତ୍ରୀ ନୁହେଁ ବରଂ ସତ୍ୟବାନ ନିଜ ସ୍ତ୍ରୀର ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି । ସ୍ତ୍ରୀ ପାଇଁ ସତ୍ୟବାନ ବି ଏଠି ସାବିତ୍ରୀ ଭଳି ଯମ ସହ ପ୍ରତିଦିନ ଲଢ଼େଇ କରୁଛନ୍ତି ।

Advertisment

ଆଖିରେ ଆଖିଏ ସ୍ୱପ୍ନ । କେବେ ଠିକ ହେବେ ଧର୍ମପତ୍ନୀ । ବିତିଗଲାଣି ୨୦ ବର୍ଷ ହେଲେ ବି ହାର ମାନିନାହାନ୍ତି ସ୍ୱାମୀ । ମାଲକାନଗିରି ଜିଲା ମାଥିଲି ବ୍ଲକର ଆଦିବାସୀ ଗାଁ ରୁ ଆସିଛି ବୟସ୍କ ଦମ୍ପତିଙ୍କ ନିଆରା କାହାଣୀ । ସ୍ତ୍ରୀ ପାଇଁ କେତେବେଳେ ଯେ ସ୍ୱାମୀ ସାବିତ୍ରୀ ବନୁଛି ଆଉ କେତେବେଳେ ସତ୍ୟବାନ । ନିଆରା ପ୍ରେମ ଭିତରେ ମାନସିକ ବିକାରଗ୍ରସ୍ତ ସ୍ତ୍ରୀର ସବୁ ସେବା କରୁଛି ସ୍ୱାମୀ । ମାଥିଲି ଆମ୍ବଗୁଡା ପଞ୍ଚାୟତ ସଦରରେ ରହୁନ୍ତି ଚନ୍ଦ୍ର ହନ୍ତାଳ ଓ ତାଙ୍କ ଧର୍ମପତ୍ନୀ ମୁକ୍ତା । ବୟସ ୫୦ ଟପିଲାଣି । ଏପଟେ ମୁକ୍ତା ୨୦ ବର୍ଷ ହେବ କୈଣସି କାରଣରୁ ମାନସିକ ଅସୁସ୍ଥ ଅଛନ୍ତି । ଗୁମସୁମ ରହୁଥିବା ମୁକ୍ତାର ଦାୟିତ୍ୱ ଗୋଟି ଗୋଟି କରି କରୁଛନ୍ତି ସ୍ୱାମୀ ଚନ୍ଦ୍ର । ବହୁ ସ୍ୱାସ୍ଥ୍ୟକେନ୍ଦ୍ର ନେଲେଣି ତଥାପି ମୁକ୍ତା ଠିକ ହୋଇପାରୁନାହାନ୍ତି । ଏତିକି ବେଳେ ସବୁ ଆଶା ଛାଡି ଭଗବାନଙ୍କ ଭରସାରେ ରହିଛନ୍ତି ଚନ୍ଦ୍ର ହନ୍ତାଳ ।

ସକାଳେ ଉଠିବା ମାତ୍ର ସ୍ତ୍ରୀ ମୁକ୍ତାର ସବୁ କାମ କରନ୍ତି ଚନ୍ଦ୍ର । ଶୌଚ ଠାରୁ ଆରମ୍ଭ କରି ଗାଧୋଇ ଦେବା ଖୁଆଇବା , ପିଆଇବା ରେ ଯତ୍ନ ନିଅନ୍ତି । ପରେ ଦିନରେ କୁଲି ମଜୁରୀ ଖଟି ସନ୍ଧ୍ୟାରେ ଘରକୁ ଫେରନ୍ତି । ୫୩ ବର୍ଷ ତଳେ ମୁକ୍ତାଙ୍କ ହାତ ଧରିଥିଲେ ଚନ୍ଦ୍ର । ସଂସାରର ସ୍ୱପ୍ନକୁ ଆଖିରେ ରଖି ଭଲପାଇ ବିବାହ କରିଥିଲେ ଏହି ଆଦିବାସୀ ଦମ୍ପତି । ଏବେ ଦୀର୍ଘ ୨୦ ବର୍ଷ ବିତିଯାଇଥିଲେ ବି ମାନସିକ ରୋଗରୁ ଠିକ ହୋଇପାରୁନାହାନ୍ତି ମୁକ୍ତା । ସତେ ଯେମିତି ଏମାନଙ୍କ ନିବିଡ ପ୍ରେମ ସମ୍ପର୍କକୁ ଆଜି ମଧ୍ୟ ସ୍ଥାନୀୟ ଲୋକେ ଉଦାହରଣ ଦିଅନ୍ତି । ସତ୍ୟବାନ ଭଳି ସ୍ୱାମୀ ଟିଏ । ସାବିତ୍ରୀ ପାଇଁ କରୁଛନ୍ତି ସଂଘର୍ଷ । ସବୁ ଦଇବ ହାତରେ ଟେକି ଦେଇ ଭଗ୍ୟକୁ ଆଦରି ଧରିଛନ୍ତି ଚନ୍ଦ୍ର ହନ୍ତାଳ ।

ସାବିତ୍ରୀ ଓଷାରେ ନିଜ ସ୍ୱାମୀର ଆୟୁଷ ମାଗିବା ଲାଗି ସାବିତ୍ରୀମାନେ ବ୍ରତ ପାଳନ୍ତି । ସତ୍ୟବାନ କିନ୍ତୁ ଏଠି ସାବିତ୍ରୀ ପାଇଁ ସଂଘର୍ଷ କରି ସ୍ତ୍ରୀ ଲାଗି ଭଗବାନଙ୍କୁ ଡାକୁଛନ୍ତି । ଆଦିବାସୀ ଇଲାକାର ଏହି ସତ୍ୟବାନଙ୍କ ସେବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।