ବର୍ଷାରେ ହେଲେ କାହିଁକି ଭାସେ ମାଲକାନଗିରି ରାସ୍ତା : ପୋଲ କାମ ଅଧାରେ ପଡିଥିବାରୁ କୋରୁକୋଣ୍ଡା, ଏମଭି ୧୧ ଭଳି ରାସ୍ତା ଉପରେ ବହେ ବନ୍ୟାପାଣି

46

କନକ ବ୍ୟୁରୋ : କେଇ ଘଣ୍ଟାର ବର୍ଷାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ ମାଲକାନଗିରି ଜିଲ୍ଲା । ଜୟପୁର ଠାରୁ ମୋଟୁ ଜାତୀୟ ରାଜପଥ ହେଉ ବା ମାଲକାନଗିରି-ବାଲିମେଳା କିମ୍ବା କାଲିମେଳା–ପୋଡିଆ ମୁଖ୍ୟ ରାସ୍ତା । ସବୁଠି ପୋଲ ଉପରେ ଚାଲେ ଅଂଟାଏ ଅଂଟ।।ଏ ପାଣି । ଏହି ସମସ୍ୟାର ସମାଧାନ ପାଇଁ ମାଲକାନଗିରି ଠାରୁ ବାଲିମେଳା ଭିତରେ ୩ଟି ଉଚ୍ଚ ପୋଲ କାମ ଗତ ୩ ବର୍ଷ ଧରି ଜାରି ରହିଛି । ହେଲେ ଠିକା ସଂସ୍ଥା ଓ ପୁର୍ତ୍ତ ବିଭାଗର ଟାଳଟୁଳ ନୀତି ଯୋଗୁ ପୋଲ ନିର୍ମାଣ ଶେଷ ହେଉନଥିବା ବେଳେ ବର୍ଷା ଦିନରେ ନାନା ଦୁର୍ଦ୍ଦଶାର ଭୋଗୁଛନ୍ତି ମାଲକାନଗିରି ଜିଲ୍ଲାବାସୀ ।

ବହୁ ଘାତ ପ୍ରତିଘାତ ସତ୍ୱେ ମାଓବାଦୀଙ୍କ ଗଡରେ ନିର୍ମାଣ ହେଲା ସମ୍ପର୍କର ସେତୁ । ହେଲେ ରାଜପଥ ଉପରେ ନିର୍ମାଣ ହେଉଥିବା ସେତୁ କାମ କିନ୍ତୁ ଶେଷ ହୋଇ ପାରୁନାହିଁ । ଘଟଣା ହେଉଛି ମାଲକାନଗିରି ସଦର ମହକୁମା ଠାରୁ ମାତ୍ର କେଇ କିଲୋମିଟର ଦୁରରେ ଥିବା କୋରୁକୋଣ୍ଡା ଏବଂ ଏମଭି ୧୧ ପୋଲର ।

କେଇ ଘଣ୍ଟାର ଲଗାଣ ବର୍ଷା ପରେ ଏହି ଦୁଇଟି ପୋଲ ଉପରେ ବହେ ୮ ରୁ ୧୦ ଫୁଟ ଉଚ୍ଚର ବନ୍ୟା ଜଳ । ଯାହାର ସ୍ଥାୟୀ ସମାଧାନ ପାଇଁ ୩ ବର୍ଷ ତଳୁ ଏମ.ଭି-୧୧ ଓ କୋରୁକୋଣ୍ଡା ପୋଲ ଉପରେ ଉଚ୍ଚ ପୋଲ ନିର୍ମାଣ କାମ ଚାଲିଛି । ହେଲେ ପୋଲର ପିଲର୍ ଗୁଡିକ ଏଯାଏଁ ମାଟି ଉପରକୁ ଉଠିପାରିନାହିଁ । ଫଳରେ ବର୍ଷା ହେଲେ ମାଲକାନଗିରି ଠାରୁ ଚିତ୍ରକୋଣ୍ଡା, ଖଇରପୁଟ, କୋରୁକୋଣ୍ଡା ବ୍ଲକ ଓ ବାଲିମେଳା ବିଜ୍ଞାପିତ ଅଂଚଳର ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ ।

ମାଲକାନଗିରି ଠାରୁ ବାଲିମେଳା ଭିତରେ ୩ଟି ଉଚ୍ଚ ପୋଲ ନିର୍ମାଣ ପାଇଁ ୨୦୧୬ରୁ ଟେଣ୍ଡର ଆହ୍ୱାନ କରାଯାଇଛି । ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ବିଭାଗ ପାଣ୍ଠିରୁ ପୋଲ ୩ଟି ପାଇଁ ୧ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ହାଇଦ୍ରାବାଦର ଆର.ଆର.ଇନଫ୍ରା ନାମକ କମ୍ପାନୀ ପୋଲ ନିର୍ମାଣ କାମ ହାତକୁ ନେଇ ଥିବା ବେଳେ ପୁର୍ତ୍ତ ବିଭାଗ ଓ ଠିକା ସଂସ୍ଥାର ଟାଳଟୁଳ ନୀତି ଯୋଗୁଁ ମନ୍ଥର ଗତିରେ ଚାଲିଛି ନିର୍ମାଣ କାମ । ତେବେ ଡିଜାଇନରେ ପରିବର୍ତ୍ତନ ଯୋଗୁ କାମ ଧିମେଇ ଥିବା କହିଛନ୍ତି ପୁର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ।