ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଘଟଣାରେ ଚିଠି ଲେଖି ପ୍ରଶ୍ନ ଉଠାଇଲେ ପତ୍ନୀ । ପଚାରିଲେ, କାହିଁକି କରିଛନ୍ତି ଆତ୍ମହତ୍ୟା, କାରଣ କୁହନ୍ତୁ ଜିଲ୍ଲାପାଳ?

150

କନକ ବ୍ୟୁରୋ : ବର୍ଷେ ପରେ ବି ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ହଟିନି । ଆଉ ଏହାରି ଭିତରେ ନ୍ୟାୟ ପାଇବାକୁ ସଂଘର୍ଷ ଜାରି ରଖିଛନ୍ତି ମୃତ ଦେବନାରାୟଣ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା । ତକ୍ରାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ପ୍ରତି ପୁରା ଘଟଣାରେ କାହିଁକି ଏତେ ଅନୁକମ୍ପା ପ୍ରଦର୍ଶନ କରାଯାଉଛି ବୋଲି ସଂବାଦ ସମ୍ପାଦକଙ୍କୁ ପତ୍ର ଲେଖିଛନ୍ତି ବନଜା ।

ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ନ୍ୟାୟ ପାଇବାକୁ ସଂଘର୍ଷ ଜାରି ରଖିଛନ୍ତି ମୃତ ଦେବନାରାୟଣ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା । ଘଟଣାକୁ ବର୍ଷେ ପୁରିଥିଲେ ମଧ୍ୟ ପରିବାର ଏବେ ରହିଛି ନ୍ୟାୟ ଅପେକ୍ଷାରେ । ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ଏହା ମଧ୍ୟରେ ବନଜା ଉଠାଇଛନ୍ତି ପୁଳା ପୁଳା ପ୍ରଶ୍ନ ।

ଦେବ ନାରାୟଣ ପଣ୍ଡା ଯଦି ଆତ୍ମହତ୍ୟା କରିଛନ୍ତି, ତାହାର କାରଣ କଣ?
ଯଦି ଏହା ହତ୍ୟାକାଣ୍ଡ, ଏଥିରେ କେଉଁମାନେ ସଂପୃକ୍ତ ?
ଅଗ୍ନିଶମ ବିଭାଗକୁ ପୁଲିସ ପକ୍ଷରୁ କୌଣସି ଫୋନ୍ କଲ୍ ଯାଇନଥିଲା
ଶବ ପଡିଥିବା ସ୍ଥାନ ମାଲକାନଗିରି ପୋଲିସ ଜାଣିଲା କେମିତି ?
ଆତ୍ମହତ୍ୟାର ଆଗରୁ ଦେଖିଥିବା ଲୋକଙ୍କ ତଥ୍ୟ ସାର୍ବଜନୀନ କରୁ ପୋଲିସ
ପୋଲିସ ଏହି ଘଟଣାରେ ସେମାନଙ୍କୁ ଡାକି ଜେରା କରିଛି କେବେ ?
ପାଣିରେ ବୁଡି ମରିଥିବା ଲୋକର ନାକରେ ରକ୍ତ ଆସିଲା କୁଆଡୁ ?
ପୁରା ଘଟଣାରେ ମାଲକାନଗିରି ତକ୍ରାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ପୋଲିସ ଜେରା କରୁନି କାହିଁକି ?

ସଂବାଦକୁ ଲେଖିଥିବା ଚିଠିରେ ଏମିତି ଅନେକ ପ୍ରଶ୍ନ ଉଠାଇଛନ୍ତି ବନଜା । ଆଗରୁ ମଧ୍ୟ ବନଜା ୪୦ରୁ ଅଧିକ ପ୍ରଶ୍ନ କରି ମାଲକାନଗିରି ପୋଲିସକୁ ଟାଣିଥିଲେ କାଠଗଡାକୁ । ଏବେ ସଂବାଦକୁ ଚିଠି ଲେଖି ତକ୍ରାଳୀନ ଜିଲ୍ଲାପାଳଙ୍କ ପ୍ରତି ଅନୁକମ୍ପାର କାରଣ ଖୋଜିବାକୁ ଅନୁରୋଧ କରିଛନ୍ତି ।

୨୦୧୯ ଡିସେମ୍ୱର ୨୮ରେ ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ରହସ୍ୟଜନକ ମୃତ୍ୟୁ ଘଟିଥିଲା । ସତୀଗୁଡା ଡ୍ୟାମ ପିଣି ଭିତରୁ ଉଦ୍ଧାର ହୋଇଥିଲା ତାଙ୍କର ମୃତଦେହ । ତେବେ ଏପ୍ରିଲ ୧୨ ତାରିଖରେ କାହିଁକି ଭୁବନେଶ୍ୱରକୁ ଏତେ ବିଳମ୍ୱରେ ପରୀକ୍ଷା ପାଇଁ ପଠା ଯାଇଥିଲା ଭିସେରା , ସେ ନେଇ ପ୍ରଶ୍ନ ଉଠାଇଛନ୍ତି ବନଜା । ଏହାରି ଭିତରେ ବର୍ଷେ ପରେ ବି ସ୍ୱାମୀଙ୍କ ରହସ୍ୟଜନକ ମୃତ୍ୟୁ ନେଇ ନ୍ୟାୟ ଅପେକ୍ଷାରେ ବନଜା