ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରୁ ଆସିଲା ଚକିତ କଲା ଭଳି ଖବର : ମାଲିକକୁ ମାରି ଥାନାରେ ବନ୍ଧା ପଡିଛି କୁକୁଡା

ଲଢେଇ ପାଇଁ ଗୋଡରେ ବନ୍ଧା ଯାଇଥିଲା ଛୁରୀ; ଉଗ୍ର ହୋଇ ମାଲିକ ତଳ ପେଟରେ ଭୁସିଦେବା ପରେ ଡାକ୍ତରଖାନା ନେବା ବାଟରେ ମୃତ୍ୟୁ

639

କନକ ବ୍ୟୁରୋ : ମାଲିକକୁ ହତ୍ୟା କଲଶ କୁକୁଡା । ଏଭଳି କଣ ସମ୍ଭବ ବୋଲି  ଆପଣଙ୍କ ମନରେ ପ୍ରଶ୍ନ ଉଠୁଥାଇପାରେ । ହେଲେ ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରୁ ଆସିଛି ଏଭଳି ଚମକାଇ ଦେଲା ଭଳି ଖବର । ଲଢୁଆ କୁକୁଡା ଏବେ ଥାନାରେ ଅଟକ ରହିଛି । ଲଢେଇ ପାଇଁ କୁକୁଡା ଗୋଡରେ ଧାରୁଆ ଛୁରି ବାନ୍ଧି ଥିଲେ ମାଲିକ । ଆଉ କୁକୁଡା ଟି ରାଗି ଯାଇ ନିଜ ମାଲିକ କୁ ହିଁ ଆକ୍ରମଣ କରି ଦେଇଥିଲା । କୁକୁଡା ଆକ୍ରମଣରେ ମାଲିକ ପ୍ରାଣ ହରାଇ ଥିବା ବେଳେ ଗତ ଏକ ସପ୍ତାହ ଧରି ଥାନାରେ ଅଟକ ରହିଛି ମାଲିକଙ୍କୁ ହତ୍ୟା କରିଥିବା କୁକୁଡା ।

ତେଲେଙ୍ଗାନା ଜିଲ୍ଲା ଜଗତିଆଲା ଜିଲ୍ଲା ଗୋଲାପାଲି ଥାନା ଅନ୍ତର୍ଗତ ଲୋଥନୁରୁ ଗାଁରେ କୁକୁଡା ଲଢେଇର ଆୟୋଜନ କରାଯାଇଥିଲା । ଆଉ ଟି. ସତିଶ ନାମକ ଜଣେ ୪୫ ବର୍ଷୀୟ ଗ୍ରାମବାସୀ ନିଜ କୁକୁଡାକୁ ପ୍ରସ୍ତୁତ କରିଥିଲେ । ତେବେ କୁକୁଡାଟି ସତିଶଙ୍କ ତଳ ପେଟରେ ଆକ୍ରମଣ କରିଦେଇ ଥିଲା । ଆଉ ରକ୍ତଶ୍ରାବ ଯୋଗୁ ମେଡିକାଲ ନେବା ବାଟରେ ସତିଶ ପ୍ରାଣ ହରାଇ ଥିଲେ । ତେବେ ଆବଶ୍ୟକ ସ୍ଥଳେ କୁକୁଡାକୁ କୋର୍ଟରେ ହାଜର କରାଯିବ ବୋଲି ଗୋଲାପାଲି ଥାନା ଅଧିକାରୀ କହିଛନ୍ତି । ମାସକ ପୂର୍ବରୁ ସେହି ତେଲେଙ୍ଗାନାର ଖମାମ ଜିଲ୍ଲାରୁ ଥାନାରେ ୨ କୁକୁଡା ଅଟକ ଥିବାର ଚିତ୍ର ସାମ୍ନାକୁ ଆସିଥିଲା ।