ଆନ୍ଧ୍ର-ଓଡିଶା ସୀମାରେ ବ୍ୟାକ ଫୁଟରେ ମାଓବାଦୀ: ସେଫ ଜୋନ ସନ୍ଧାନରେ ଲାଲ ସଙ୍ଗଠନ; ଯବାନଙ୍କ କଡା ପହରା ଯୋଗୁଁ ନକ୍ସଲଙ୍କ ନୂଆ ଠିକଣା ପାଲଟିଛି କନ୍ଧମାଳ-କଳାହାଣ୍ଡି ଓ ବୌଦ୍ଧ

ତୁମୁଡିବନ୍ଧରେ ୨ ଦିନରେ ୨ଟି ଅପରେସନ୍ ପରେ ମାଓବାଦୀଙ୍କ ଉପସ୍ଥିତି ନେଇ ବଢିଲା ଆଶଙ୍କା

330

କନକ ବ୍ୟୁରୋ: ଆନ୍ଧ୍ର-ଓଡିଶାରେ ମାଓ ଦୁର୍ଗ ଭୁଷୁଡିବାରେ ଲାଗିଛି । ତେବେ ଏହାର ଠିକ ବିପରିତ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର ଓ ନାୟାଗଡ ଆଦି ଅଂଚଳ ରେ ମାଓ ଗତି ବିଧି ବୃଦ୍ଧୀ ପାଇବାରେ ଲାଗିଛି । ନୂଆ ନୂଆ ସଙ୍ଗଠନ ଗଠନ କରାଯାଇ ଦଳକୁ ମଜବୁତ କରିବାର ନୂଆ ରଣନୀତି ପ୍ରସ୍ତୁତ କରିଛି ମାଓ ସଙ୍ଗଠନ । ଆଉ ଛତିଶଗଡି କ୍ୟାଡରମାନେ ଓଡିଶାର ମଧ୍ୟ ଭାଗ ଦଖଲ କରିବାକୁ ଆପ୍ରାଣ ଉଦ୍ୟମ କରୁଥିବା ଘଟଣା, କନ୍ଧମାଳ ଜିଲ୍ଲାରେ ଦୁଇ ଦୁଇଟି ଏନକାଉଣ୍ଟର ସ୍ପଷ୍ଟ ପ୍ରମାଣିତ ହୋଇଛି । ଆଉ ସବ୍ୟସାଚୀଙ୍କ ଗିରଫଦାରୀ ପରେ ଦୀର୍ଘ ଦିନ ଧରି ଶୁନ୍ୟ ପଡି ଥିବା ଅଂଚଳକୁ କବଜା କରିବା ଏବେ ଆନ୍ଧ୍ର ଓ ଛତିଶଗଡି ମାଓବାଦୀଙ୍କ ଲକ୍ଷ୍ୟ ।

ଆନ୍ଧ୍ର ଓଡିଶା ସୀମାରେ ବ୍ୟାକ ଫୁଟରେ ମାଓବାଦୀ । ସେଫ ଜୋନ ସନ୍ଧାନରେ ମାଓ ସଙ୍ଗଠନ । ଏକଦା ମାଓବାଦୀଙ୍କ ଚରା ଭୂଇଁ କୁହାଯାଉ ଥିବା ମାଲକାନଗିରି କୋରାପୁଟ ଆଦି ଅଂଚଳରେ ଯବାନମାନଙ୍କ ଉପସ୍ଥିତି ବଢି ଚାଲି ଥିବାରୁ ଏବେ ନୂଆ ନୂଆ ଆଡ୍ଡା ସ୍ଥଳି ଖୋଜୁଛନ୍ତି ମାଓବାଦୀ । ସେହିପରି ଛତିଶଗଡରେ ମଧ୍ୟ ଅପରେସନ ପ୍ରହାରକୁ ଜୋରଦାର କରାଯାଇ ଥିବାରୁ ନୂତନ ଠିକଣା ଖୋଜୁଛନ୍ତି ଛତିଶଗଡି କ୍ୟାଡର । ତେବେ ଛତିଶଗଡ ଓ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳ ଓ କୋରାପୁଟ ଆନ୍ଧ୍ର ସୀମାବର୍ତୀ ଇଲାକା ପରି ଏବେ କନ୍ଧମାଳ, କଳାହାଣ୍ଡୀ, ବୌଦ୍ଧ ଓ ନୟାଗଡର ଭୌଗୋଳିକ ସ୍ଥିତି ମାଓବାଦୀଙ୍କୁ ସୁହାଉ ଥିବାରୁ ଏହି ସବୁ ଅଂଚଳରେ ଆଡ୍ଡା ଜଜାଇଛନ୍ତି ଲାଲବାହିନୀ । ଆଉ କନ୍ଧମାଳ ତୁମିଡିବନ୍ଧ ଥାନା ସିର୍ଲା ଜଙ୍ଗଲରେ ଗତ ୨ ଦିନ ରେ ଦୁଇ ଦୁଇଟି ଘଟଣାରେ ଜଣେ ଷ୍ଟେଟ କମିଟି ମେମ୍ବର ଶୁକ୍ରୁ ମାଡକାମୀଙ୍କ ସମେତ ୪ ଛତିଶଗଡି ମାଓବାଦୀ ପ୍ରାଣ ହରାଇବା ଘଟଣା ଏହାକୁ ସ୍ପଷ୍ଟ ପ୍ରମାଣିତ କରୁଛି । ଆଉ ସେମାନଙ୍କଠାରୁ ଜବତ କରାଯାଇଥିବା ଅତ୍ୟାଧୂନିକ ଅସ୍ତ୍ର ସସ୍ତ୍ର ପ୍ରମାଣିତ କରୁଛି, ପୁଲିସ ସହ ମୁକାବିଲା ଲାଗି କେତେ ପ୍ରସ୍ତୁତ ଲାଲବାହୀନି ।

ଆନ୍ଧ୍ର ଓ ଛତିଶଗଡକୁ ରାୟଗଡାର ନିୟମଗିରି, କନ୍ଧମାଳ, କଳାହାଣ୍ଡି ଦେଇ ସିଧାସଳଖ ପାହାଡିଆ ପଥ ଦେଇ ଯୋଗାଯୋଗ ରହିଛି । ଆଉ ଘଂଚ ଜଙ୍ଗଲ ଓ ପର୍ବତ ମାଳ ମାଓବାଦୀଙ୍କୁ ସୁହାଉ ଥିବାରୁ ଏଠାରେ କାୟା ବିସ୍ତାର କରିବାକୁ ଉଦ୍ୟମ ଚଳାଇଛି ମାଓ ସଙ୍ଗଠନ । ବିଶେଷ କରି ଛତିଶଗଡ ଓ ଆନ୍ଧ୍ର କ୍ୟାଡରମାନଙ୍କ ଆଖି ଏହି ଅଂଚଳ ଉପରେ । ତେଣୁ ବିଜିଏନ ଅର୍ଥାତ ବାଂଶଧାରା – ଘୁମୁସର ନାଗାବଳି ଓ କେକେବିଏନ ଅର୍ଥାତ କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର ଓ ନୟାଗଡ ପରି ଦୁଇ ଦୁଇଟି ନୂଆ ଡିଭିଜନ ସ୍ଥାପନ କରି, ଛୋଟ ଛୋଟ ଏରିଆ କମିଟି ଗଠନ କରି ସଙ୍ଗଠନକୁ ବିସ୍ତାର କରିବା ଆରମ୍ଭ କରିଛନ୍ତି ମାଓବାଦୀ । ବାଂଶଧାରା – ଘୁମୁସର ନାଗାବଳି ଡିଭିଜନର ନେତୃତ୍ୱ ମାଲାକନଗିରି ଜିଲ୍ଲାର ଶୁକ୍ରୁ ମାଡକାମି ନେଉ ଥିବା ବେଳେ ସିର୍ଲା ଏନକାଉଣ୍ଟରରେ ତାଙ୍କର ମୃତ୍ୟୁ ଘଟିଛି । ସେହିପରି କେକବିଏନର ନେତୃତ୍ୱ ନେଇଛନ୍ତି ଛତିଶଗଡି କ୍ୟାଡର ନିଖିଲ ଓ ଏମାନଙ୍କ ଅଧିନରେ ପ୍ରାୟ ସମସ୍ତେ ଛତିଶଗଡି ଓ ଆନ୍ଧ୍ର କ୍ୟାଡର କାମ କରୁଥିବା ଜଣା ପଡିଛି ।