ମାଲକାନଗିରିରେ ମାଓବାଦୀଙ୍କୁ ମୁକାବିଲା କଲେ ଗ୍ରାମବାସୀ । ପଥର ଓ ତୀର ମାଡ଼ରେ ଗଲା ଜଣେ ମାଓବାଦୀର ଜୀବନ । ଲାଲବାହିନୀର ପାଲଟା ଆକ୍ରମଣ, ଗାଁରେ ପଶି ପୋଡିଦେଲେ ୧୫ ଘର ।

310

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ମାଓବାଦୀଙ୍କ ଖାତିର୍ ନକରି ମୁକାବିଲା କରିଛନ୍ତି ମାଲକାନଗିରି ସ୍ୱାଭିମାନ ଅଂଚଳର ଲୋକେ । ରାସ୍ତାକାମକୁ ସମର୍ଥନ କରୁଥିବାରୁ ଗାଁ ଲୋକଙ୍କୁ ନାଲିଆଖି ଦେଖାଇଥିଲା ଲାଲବାହିନୀ । ହେଲେ ଏଥିରେ ବିବତ୍ର ନହୋଇ ମାଓବାଦୀଙ୍କ ସାମ୍ନା କରିଥିଲେ ସ୍ଥାନୀୟ ବାସିନ୍ଦା । ଆଉ ଏହି ମୁହାମୁହିଁରେ ଚାଲିଗଲା ଜଣେ ମାଓବାଦୀଙ୍କ ଜୀବନ । ଆଉ ଏହି ଘଟଣା ଲାଲବାହିନୀର ସର୍ଦ୍ଦାରମାନଙ୍କୁ ରକ୍ତମୁଖା କରିଦେଇଛି । ପ୍ରତିଶୋଧ ନେବା ଲକ୍ଷ୍ୟରେ ମାଲକାନିଗିରି ଯନ୍ତୁରାଇ ଗାଁରେ ୧୫ଟି ଘର ପୋଡ଼ି ଦେଇଛନ୍ତି ମାଓବାଦୀ । ଏହି ଘଟଣା ପରେ ଏବେ ସ୍ୱାଭିମାନ ଅଂଚଳରେ ଏକ ଉତେଜନା ଭଳି ସ୍ଥିତି ଲାଗି ରହିଛି ।

ଜାନୁଆରି ୨୫ ତାରିଖ ବିଳମ୍ବିତ ରାତି । ସ୍ଥାନ – ମାଲକାନଗିରିର ସ୍ୱାଭିମାନ ଅଂଚଳ । ରାତିର ଅନ୍ଧାର ଭିତରେ ଚିତ୍ରକୋଣ୍ଡା ବ୍ଳକ ସ୍ୱାଭିମାନ ଅଂଚଳର ଯନ୍ତୁରାଇ ଗାଁରେ ପହଂଚିଥିଲେ ପ୍ରାୟ ୨୫ରୁ ୩୦ ସଶସ୍ତ୍ର ମାଓବାଦୀ । ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିବା ରାସ୍ତା କାମକୁ ଗ୍ରାମବାସୀ ସମର୍ଥନ କରୁଥିବାରୁ ନାଲି ଆଖି ଦେଖାଇଥିଲେ ମାଓବାଦୀ । ଏହାକୁ ନେଇ ଗ୍ରାମବାସୀ ଓ ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବଚସା ହୋଇଥିଲା । ଗତ ୩୦ ବର୍ଷ ଧରି ମାଓବାଦୀମାନେ ସେମାନଙ୍କ ପାଇଁ କ’ଣ କରିଛନ୍ତି ବୋଲି ପାଲଟା ପ୍ରଶ୍ନ କରିଥିଲେ ଗାଁ ଲୋକ ।

ନିରୀହ ଆଦିବାସୀଙ୍କୁ ମାଡ ମାରିବା ସହ ସେମାନଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ଗୁଳିମାଡ଼ କରିଥିଲେ ମାଓବାଦୀ । ଏହାକୁ ନେଇ ଉତ୍ୟକ୍ତ ହୋଇ ଉଠିଲେ ଗ୍ରାମବାସୀ ।

ମାଓବାଦୀଙ୍କ ଆକ୍ରମଣ ପରେ ପ୍ରତିରକ୍ଷା ପାଇଁ ଟେକା ପଥର ବର୍ଷା କରିଦେଲେ ଗାଁ ଲୋକ । ଆଦିବାସୀ ପାରମ୍ପରିକ ଟାଙ୍ଗିଆ ଓ ଧନୁତୀରରେ ଆକ୍ରମଣ କରିବା ପରେ ଛତ୍ର ଭଙ୍ଗ ଦେଇଥିଲେ ମାଓବାଦୀ । ଗ୍ରାମବାସୀଙ୍କ ଆକ୍ରମଣରେ ଆଡମା ନାମକ ଜଣେ ମାଓବାଦୀର ମୃତ୍ୟୁ ଘଟିଛି । ଜିପ୍ରୋ ହାବିକା ନାମକ ଜଣେ ନକ୍ସଲ କମାଣ୍ଡର ଆହତ ହୋଇଛି ।

ଗାଁ ଲୋକଙ୍କ ଆକ୍ରମଣ ପରେ ରକ୍ତମୁଖା ହୋଇ ଉଠିଛି ଲାଲବାହିନୀ । ପ୍ରତିଶୋଧ ପରାୟଣ ହୋଇ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଂଚଳ ଯୋଡାମ୍ବ ଗାଁରେ ପ୍ରାୟ ୧୫ଟି ଘରକୁ ଜାଳି ଦେଇଛନ୍ତି ମାଓବାଦୀ । ୭ଟି ମୋଟର ସାଇକେଲ ଓ ଆସବାବ ପତ୍ର ପୋଡି ପାଉଁଶ ହୋଇ ଯାଇଛି । ଫଳରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବିଏସଏଫ କ୍ୟାମ୍ପରେ କିଛି ଗାଁ ଲୋକ ଆଶ୍ରୟ ନେଇଥିବା ସୂଚନା ମିଳିଛି । ସ୍ୱାଭିମାନ ଅଂଚଳ ଅଶାନ୍ତ ହୋଇପଡିଥିବା ବେଳେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

ଗ୍ରାମବାସୀମାନେ ଏକାଠି ହୋଇ ମାଓବାଦୀଙ୍କ ଆକ୍ରମଣ କରିବା ପ୍ରଥମ ଥର ଘଟିଛି ସ୍ୱାଭିମାନ ଅଂଚଳରେ । ମାଓବାଦୀଙ୍କ ବିରୋଧରେ ତିନିଟି ଗାଁର ଆଦିବାସୀ ମେଳି ବାନ୍ଧିଛନ୍ତି । ଗୁରୁପ୍ରିୟା ବ୍ରିଜ୍ ନିର୍ମାଣ ପରେ ବଦଳୁଛି ସ୍ଥାନୀୟ ଲୋକଙ୍କ ଚିନ୍ତାଧାରା । ବିକାଶକୁ ବାଛିଛନ୍ତି ଗାଁ ଲୋକ, ଫଳରେ ଦୀଘଦିନ ଧରି ସମାନ୍ତରାଳ ଶାସନ ଚଳାଇଥିବା ମାଓବାଦୀଙ୍କ ଚିନ୍ତା ବଢ଼ିଯାଇଛି ।