କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ ସରଗରମ ହୋଇଛି ଅପହରଣ ରାଜନୀତି । କାଲିମେଳା ଜୋନ -୨ର ବିଜେପି ପ୍ରାର୍ଥୀ ରିନା କଓାସୀଙ୍କୁ ଅର୍ଥ ପ୍ରଲୋଭନ ଦେଇ ଅପହରଣ ଅଭିଯୋଗ ଘଟଣା ପରେ ଏବେ କୋରୁକୋଣ୍ଡା ଜୋନ- ୨ର ବିଜେପି ପ୍ରାର୍ଥୀ ପ୍ରଦୀପ କୁମାର ମାଡକାମୀଙ୍କୁ ଅପହରଣ କରାଯାଇ ପ୍ରଚାର ନ କରିବାକୁ ଧମକ ଚମକ ଦିଆଯାଉଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।
ପ୍ରଦୀପଙ୍କୁ କିଛି ମୁଖା ପିନ୍ଧା ଲୋକ ବାଲିମେଳା ପେଟ୍ରୋଲ ପମ୍ପ ରୁ ଉଠାଇ ନେଇ ଧମକ ଚମକ ଦେଇ ଛାଡି ଥିବା ନେଇ ଓରକେଲ ଥାନା ରେ ଅଭିଯୋଗ କରି ଥିଲେ ପ୍ରଦୀପ ମାଡକାମୀ । ଏହି ଦୁଇ ଘଟଣାକୁ କେନ୍ଦ୍ର କରି ବିଜେପିର ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ମାଲକାନଗିରି ଜିଲ୍ଲାପାଳଙ୍କୁ ଭେଟି ସମ୍ପୃକ୍ତ ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପଦକ୍ଷେପ ନେବା ଲାଗି ଅନୁରୋଧ କରିଛନ୍ତି । ତେବେ ପରାଜୟ ଭୟରେ ବିଜେପି ଏଭଳି ଅଭିଯୋଗ ଆଣୁଛି ବୋଲି କହିଛି ବିଜେଡି ।
ଏପରିକି ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କୁ ବିଜେଡି ଟଙ୍କାର ପ୍ରଲୋଭନ ଦେଖାଇ କିଣିବାକୁ ଚେଷ୍ଟା ମଧ୍ୟ କରୁଥିବା ଅଭିଯୋଗ କରିଥିଲେ। ତେବେ ବିଜେପିର ପ୍ରାର୍ଥୀମାନେ ଶାସକ ଦଳର ଏହି ପ୍ରଲୋଭନକୁ ଖାତିର ନକରି ଲଢେଇ କରିବା ପାଇଁ କହିଥିଲେ।ଗତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରି ଜିଲ୍ଲା ପରିଷଦ ଆସନକୁ ହାତେଇଥିବା ବେଳେ ଏଥର ମଧ୍ୟ ବିଜେପି ସମସ୍ତ ଜିଲ୍ଲା ପରିଷଦ ଆସନକୁ ହାତେଇବ ବୋଲି ଭୟ କରି ବିଜେଡି ଏଭଳି କାଣ୍ଡ କରୁଥିବା ବିଜେପି ଅଭିଯୋଗ କରିଥିଲା।
ସମସ୍ତ ବିଜେପି ନେତାଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ବିଜେପି ଦାବି କରିଥିଲା। ସ୍ବଚ୍ଛ ନିର୍ବାଚନ କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଥିଲା। ବିଜେଡିର ଏଭଳି ଚାଲକୁ ବିଜେପି ଏବଂ ଲୋକେ ଜାଣିସାରିଲେଣି। ତେଣୁ ବିଜେଡି ହାରିବାରେ ଭୟ କରି ଏଭଳି କରୁଥିବା ବିଜେପି ଅଭିଯୋଗ କରିଥିଲା।
Follow Us