କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ଜଣାଇ ଅଡୁଆରେ ମାଲକାନଗିରି ସମନ୍ୱିତ ଆଦିବାଦୀ ଉନ୍ନୟନ ସଂସ୍ଥା ବା ‘ଆଇ.ଟି.ଡି.ଏ’ର କନିଷ୍ଠ ଜନ୍ତ୍ରୀ ଲକ୍ଷ୍ମୀଧର ବିହାରୀ । ଦରମା ସାଙ୍ଗକୁ ବକୟା ବିଲ ପୈଠ କରାଯାଉନଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୋହନ ମାଝିଙ୍କୁ ଭେଟି ଅଭିଯୋଗ ଜଣାଇଥିଲେ ଦିବ୍ୟାଙ୍ଗ କନିଷ୍ଠ ଯନ୍ତ୍ରୀ । ହେଲେ ସମସ୍ୟାର ସମାଧାନ ପରିବର୍ତେ ମାଲକାନଗିରି ଆଇ.ଟି.ଡି.ଏ ପ୍ରକଳ୍ପ ପ୍ରଶାସକ ତାଙ୍କୁ ବିରୋଧରେ ଥାନାରେ ମାମଲା ରୁଜୁ କରି ଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇ ଫସି ଗଲେ କନିଷ୍ଠ ଯନ୍ତ୍ରୀ । ଡିସେମ୍ବର ୨୦୨୨ ରେ ଏକ ସଡକ ଦୁର୍ଘଟଣା ରେ ନିଜ ଡାହାଣ ଗୋଡ ହରାଇ ଥିଲେ କନିଷ୍ଠ ଜନ୍ତ୍ରୀ । ଆଉ ଅସୁସ୍ଥତା କାରଣରୁ ସେ ଦୀର୍ଘ ପାଂଚ ମାସ ଧରି କାର୍ଯ୍ୟରେ ଯୋଗ ଦେଇ ପାରି ନ ଥିଲେ । ତେଣୁ ତାଙ୍କୁ ୬ ମାସର ଦରମା, ମେଡିକାଲ ବିଲ ଓ ୨୭ ଟି ଡିପାର୍ଟମେଣ୍ଟାଲ କାମର ପ୍ରାୟ ୨ କୋଟି ୧୪ ଲକ୍ଷ ଟଙ୍କା ବକୟା ବିଲ ପୈଠ ହୋଇନଥିବା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଥିଲେ ଲକ୍ଷ୍ମୀଧର । ବିଲ ପେମେଣ୍ଟ ଲାଗି ପିଏ ଆଇଟିଡିଏଙ୍କୁ ୭ ଲକ୍ଷ ଟଙ୍କାର ହାତ ଗୁଂଜା ମଧ୍ୟ ଦେଇ ଥିବା କହିଥିଲେ ଲକ୍ଷ୍ମୀଧର । କିନ୍ତୁ ମାଲକାନଗିରି ଆଇ.ଟି.ଡି.ଏ ପ୍ରକଳ୍ପ ପ୍ରଶାସକ ଜୟଶ୍ରୀଙ୍କ କହିବା ଅନୁଯାଇ ନିଜ କାର୍ୟ୍ୟକାଳରେ ଅନାଧିକୃତ ଭାବେ ଅନୁପସ୍ଥିତ ରହୁଥିଲେ । ଫଲ୍ସ ବିଲ୍ କରିବାକୁ ଚାପ ପକାଉଥିଲେ । କାର୍ଯ୍ୟରେ ଅସନ୍ତୋଷ ଯୋଗୁ ତାଙ୍କୁ ବଦଳି ପରେ ଶ୍ରୀ ବିହାରୀଙ୍କ ନିକଟରେ ଥିବା ୧୩୬ ଟି କେସ ରେକର୍ଡ ରହି ଥିବା ବେଳେ ସେଥିରୁ ୮୮ ଟି କେସ ରେକର୍ଡ ଆଇଟିଡିଏକୁ ଫେରାଇଛନ୍ତି, ସେଥିରୁ ୪୦ ଟିର ଅର୍ଥ ପୈଠ ହୋଇଛି । ଏବେ ମଧ୍ୟ ତାଙ୍କ ଦାୟିତ୍ୱରେ ଥିବା କାଗଜପତ୍ର ଫେରାଇ ନାହାଁନ୍ତି। ତେଣୁ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ପ୍ରକଳ୍ପ ପ୍ରଶାସକ।