କନକ ବ୍ୟୁରୋ: ସ୍ୱପ୍ନ ସତ ହୋଇଛି, ଉପାନ୍ତ ମାଲକାନଗିରି ସହ ଯୋଡି ହୋଇଛି ବିମାନ ସେବା । ସ୍ୱାଭିମାନ ଅଞ୍ଚଳର ଲୋକ ବି ଏଣିକି ନିଜ ମାଟିରେ ପାଇବେ ବିମାନ ଯାତ୍ରାର ସୁବିଧା । ଆଜି ମାଲକାନଗିରି ବିମାନ ବନ୍ଦରର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହଜାର ହଜାର ଲୋକଙ୍କୁ ସମ୍ବୋଧିତ କରିଛନ୍ତି । ବଣ୍ଡା ଆଦିବାସୀଙ୍କ ସହ ଫଟୋ ଉଠାଇଛନ୍ତି । ଆଉ ଜିଲ୍ଲା ପାଇଁ ୪ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ।

  • ଆକାଶପଥ ସହ ଯୋଡ଼ି ହେଲା ମାଲକାନଗିରି
  • ଲୋକାର୍ପଣ ହେଲା ମାଲକାନଗିରି ବିମାନବନ୍ଦର
  • ପୂରଣ ହେଲା ଉପାନ୍ତର ଆକାଶରେ ଉଡ଼ିବା ସ୍ୱପ୍ନ

ଦିନେ ସଡ଼କ ପଥରେ ଯେଉଁଠି ଯିବା ଆସିବା ସମ୍ଭବ ହେଉନଥିଲା, ଆଜି ସେଠି ବିମାନ ଉଠିଛି । ଉପାନ୍ତ ଓ ପଛୁଆ ପଣର ଆଖ୍ୟାକୁ ପଛରେ ପକାଇ ବିକାଶ ମାର୍ଗରେ ଆଗେଇ ଚାଲିଛି ମାଲକାନଗିରି । ଜିଲ୍ଲାର ବହୁ ଆକାଂକ୍ଷିତ ବିମାନବନ୍ଦରକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ପ୍ରାୟ ୧୨ଟା ୧୦ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ବିମାନରେ ମାଲକାନଗିରିର ନବନିର୍ମିତ ରନୱେରେ ଅବତରଣ କରିଥିଲେ । ଅବତରଣ ପରେ ବିମାନ ବନ୍ଦରକୁ ମୁଖ୍ୟମନ୍ତ୍ରୀ ପ୍ରଥମେ ବୁଲି ଦେଖିବା ପରେ ଏହାକୁ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ ।

ବିମାନବନ୍ଦର ପରିସରରେ ଉପସ୍ଥିତ ହଜାର ହଜାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବା ସହ ବଣ୍ଡା ଆଦିବାସୀଙ୍କ ସହ ଫଟୋ ଉଠାଇଲେ । ସେହିପରି ବିଭିନ୍ନ ପ୍ରକଳ୍ପକୁ ମଂଜୁରୀ ଦେଇ ୪୧୮୦ କୋଟି ଟଙ୍କାର ଭେଟି ପ୍ରଦାନ କରିିଥିଲେ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ ୫-ଟି ଅଧ୍ୟକ୍ଷ ।

ଜୟପୁର, ଉକ୍ରେଲା, ରାଉରକେଲା ଓ ରଙ୍ଗେଇଲୁଣ୍ଡା ପରେ ଆକାଶପଥ ମାନଚିତ୍ରରେ ସ୍ଥାନ ପାଇଛି ମାଲାକାନଗିରି । ୨୩୩ ଏକର ଜମିରେ ମାତ୍ର ୧୪ ମାସରେ ନିର୍ମିତ ଏହି ବିମାନ ବନ୍ଦରର ରନୱେ ଲମ୍ବ ୧୬୨୦ ମିଟର ହୋଇଥିବା ବେଳେ ଓସାର ୩୦ ମିଟର ରହିଛି । ପ୍ରାୟ ୭୦ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ଏହି ବିମାନ ବନ୍ଦରରେ ଖୁବଶୀଘ୍ର ଯାତ୍ରୀବାହି ବିମାନ ଉଡିବ ବୋଲି ଆଶା କରାଯାଉଛି ।

ତେବେ ଏହାରି ଭିତରେ ଗୋବିନ୍ଦପାଲି ବୃହତ ଜଳସେଚନ ପ୍ରକଳ୍ପକୁ ଅନୁମୋଦନ ଦେବା ସହ ଏହି ପ୍ରକଳ୍ପ ପାଇଁ ୪୦୦୦ କୋଟି ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ସପ୍ତଧାରା ନଦୀ ଉପରେ ଗୋଟିଏ ଓ ଗାରିଆ ନଦୀ ଉପରେ ଗୋଟିଏ ଡ୍ୟାମ ନିର୍ମାଣ ଦାବିକୁ ଗ୍ରହଣ କରିଛନ୍ତି ରାଜ୍ୟ ସରକାର ।