ମାଲକାନଗିରିରେ ବର୍ଷାର ତାଣ୍ଡବ ! କାଲିମେଳାରେ ପୋଲ ଉପରେ ଚାଲୁଛି ୨ ଫୁଟର ପାଣି । ମାଲକାନଗିରି-କାଲିମେଳା ମଧ୍ୟରେ ଯୋଗାଯୋଗ ବିଛିନ୍ନ

128

ମାଲକାନଗିରିରେ ପ୍ରବଳ ବର୍ଷା । ଏହାର ପ୍ରଭାବରେ ଜିଲ୍ଲାର ଅନେକ ନଦୀରେ ଏବେ ଜଳସ୍ତର ବଢିବାରେ ଲାଗିଛି । ଯେଉଁ ସ୍ଥାନରେ ନଦୀ ଅଛି, କିନ୍ତୁ ପୋଲ ନାହିଁ କି ଡଙ୍ଗା ନାହିଁ , କେମିତି ହେଉଥିବ ଗମନାଗମନ ଥରେ ଚିନ୍ତା କରନ୍ତୁ । ପ୍ରବଳ ବର୍ଷା ପରେ ବଢୁଛି ନଦୀର ଜଳସ୍ତର । ଆଉ ଏହି ଭରା ନଦୀରେ ଲୋକେ କରୁଛନ୍ତି ବିପଦ ପୂୁର୍ଣ୍ଣଯାତ୍ରା । ନା ଅଛି ଡଙ୍ଗା , ନା ଅଛି ପୋଲ , ନା ଗମନାଗମନ ପାଇଁ ଅନ୍ୟ କିଛି ବିକଳ୍ପ ରହିଛି । ଜୀବନକୁ ବାଜି ଲଗାଇ ପ୍ରତିଦିନ ଏପରି ନଦୀ ପାର ହେଉଛନ୍ତି ଗ୍ରାମବାସୀ । ମାଲକାନଗିରି ମାଥିଲି ବ୍ଲକର ଅଟାଳଗୁଡ଼ା ନଦୀ ଘାଟରେ ବର୍ଷାରେ ନଦୀର ଜଳସ୍ତର ବଢିବା ଯୋଗୁଁ ଲୋକମାନେ ଏପରି ବିପଦସଙ୍କୁଳ ଅବସ୍ଥାରେ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି । ନଦୀ ଆର ପଟେ ବ୍ଲକର ନନ୍ଦପୁରିଆଗୁଡ଼ା, ଗାଙ୍ଗରାଜଗୁମ୍ମା, ଗେଲାଗୁଡା, ସର୍ଗୀଗୁଡା, ପେଦାଗୁଡା ଭଳି ୬ଟି ଗାଁର ପ୍ରାୟ ୪୦୦ ଲୋକେ ବସବାସ କରନ୍ତି । ବ୍ଲକ ଅଫିସ ଓ ପଂଚାୟତ ସହ ଯୋଗାଯୋଗ କରିବାକୁ ହେଲେ ଲୋକଙ୍କୁ ଗାରିଆ ନଦୀ ପାର ହେବାକୁ ପଡେ । ପ୍ରତିଦିନ ଯିବା ଆସିବା କରିବାକୁ ହେଲେ ନଦୀ ପାର ହେବାକୁ ପଡିଥାଏ । ପୋଲଟିଏ ନ ଥିବାରୁ ଲୋକେ ଏବେ ଏପରି ସ୍ଥିତିରେ ନଦୀ ପାର ହେଉଛନ୍ତି । କେବଳ ଚଳିତ ବର୍ଷ ନୁହଁ, ବର୍ଷ ବର୍ଷ ଧରି ଚାଲି ଆସିଛି ଏପରି ସ୍ଥିତି । କହିବାକୁ ଗଲେ ନଦୀ ପାର ହେବାକୁ ଜୀବନକୁ ପ୍ରତିଦିନ ବାଜି ଲଗାଉଛନ୍ତି ଲୋକେ । ବାରମ୍ବାର ଅଭିଯୋଗ ପରେ ବି ନା ଶୁଣୁଛନ୍ତି ସରକାର, ନା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ପ୍ରବଳ ବର୍ଷା ଯୋଗୁଁ ପୋଲ ଉପରେ ୨ ଫୁଟ ଉଚ୍ଚର ପାଣି । କାଲିମେଳାରେ ଲଗାଣ ବର୍ଷା ଯୋଗୁଁ କାଙ୍ଗୁରକୋଣ୍ଡା ପୋଲ ଉପରେ ପାଣି । ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ୨ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ମାଲକାନାଗିରି-କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ସ୍ଥାନୀୟ ଲୋକ ଯାତାୟାତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜାତୀୟ ରାଜପଥ ଉପରେ ଅଟକି ରହିଛି ଶହ ଶହ ଗାଡ଼ି । ମାଲକାନାଗିରିରେ ଗତ ତିନିଦିନ ହେଲା ଲଗାଣ ବର୍ଷା ଜାରି ରହିଛି । ବର୍ଷା ଯୋଗୁଁ ଲୋକେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡ଼ୁଛି ।