ପଛୁଆ ଜିଲ୍ଲାର ଆଗୁଆ ଡାକ୍ତରଖାନା । କେନ୍ଦ୍ର କାୟା କଳ୍ପ ପୁରସ୍କାର ତାଲିକାର ଶୀର୍ଷରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ । ନାଁ ଘୋଷଣା ପରେ ଉତ୍ସବ ପାଳିଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ।

142

କନକ ବ୍ୟୁରୋ: ପଛୁଆ ଜିଲ୍ଲାର ଆଗୁଆ ଡାକ୍ତରଖାନା । ରାଜ୍ୟର ଶ୍ରେଷ୍ଠ ଡାକ୍ତରଖାନା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । କେନ୍ଦ୍ରର ବହୁ ସମ୍ମାନୀୟ କାୟା କଳ୍ପ ପୁରସ୍କାର ଲାଗି ପ୍ରସ୍ତୁତ ତାଲିକାର ଶୀର୍ଘରେ ରହି ଚର୍ଚ୍ଚାକୁ ଆସିଛି ମାଲକାନଗିରି ଜିଲ୍ଲା ମୁଖ୍ୟଚିକିତ୍ସାଳୟ । ଏକ ସ୍ୱତନ୍ତ୍ର ମୁଲ୍ୟାଙ୍କନ ଦଳ ସମସ୍ତ ଡାକ୍ତରଖାନାକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି କାୟା କଳ୍ପ ପୁରସ୍କାର ପାଇଁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନାଁ ଘୋଷଣା କରିବା ପରେ ଉତ୍ସବ ମନେଇଛି ମାଲକାନଗିରି ସ୍ୱାସ୍ଥ୍ୟ ବିଭାଗ ।

ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କୋଠା । ଚାକ ଚକ୍ୟ ପରିବେଶରେ ଉତ୍ସବର ମାହୋଲ । କୌଣସି ଏକ କର୍ପୋରେଟ ହାଉସ୍ର ଭ୍ରମ ସୃଷ୍ଟି କରୁଥିବା ଚିତ୍ର ହେଉଛି ମାଓ ପ୍ରବଣ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର । ୭ ମହଲା କୋଠା, ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା, ରୋଗୀ ସେବା, ସ୍ୱଚ୍ଛତା ସବୁଥିରେ ଏକ ନମ୍ବର ଏହି ଡାକ୍ତରଖାନା । ତେଣୁ ଏହି ଡାକ୍ତରଖାନାକୁ କେନ୍ଦ୍ରର କାୟା କଳ୍ପ ପୁରସ୍କାର ତାଲିକାର ଶୀର୍ଷରେ ରଖାଯାଇଛି ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ଟିମ୍ ଡାକ୍ତରଖାନା ଭିତରେ ୩୭ଟି ବିଭାଗର ୬୩୫ଟି ପ୍ରସଙ୍ଗରେ ଅନୁଧ୍ୟାନ କରିଛନ୍ତି । ସବୁ ଦିଗରୁ ବିଚାର କରି ରାଜ୍ୟର ଏକ ନମ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସଳାୟ ଭାବେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବାଛିଛନ୍ତି । ଆଗକୁ ଆନୁଷ୍ଠାନିକ ଭାବେ ଏହି ଡାକ୍ତରଖାନା ସମ୍ମାନିତ ହେବା ସହ ୫୦ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପାଇବ ।

ପୂର୍ବରୁ ମାଲକାନଗିରି ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗର ବହୁ ବିକଳ ଚିତ୍ର ଆମେ ଦେଖିଛେ । ତେବେ ସମୟ ସହ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରରେ ମଧ୍ୟ ଚିତ୍ର ବଦଳୁଛି । ୭ଟି ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର ମଧ୍ୟରୁ ୫ଟି କେନ୍ଦ୍ର କାୟା କଳ୍ପ ଯୋଜନାରେ ସ୍ଥାନ ପାଇଛି । ଏମ.ଭି.୫୫ ନୂତନ ପ୍ରାଥମିକ ସ୍ୱାସ୍ଥକେନ୍ଦ୍ର ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି ।