ମାଲକାନଗିରିରେ ଦଲାଲଙ୍କ କବଜାରେ ଧାନ ମଣ୍ଡି । କିଏ ଓ କେତେ ଜଣ ପାଇବେ ଟୋକନ ନିର୍ଦ୍ଧାରଣ କରୁଛନ୍ତି ଠକ !! କନକ ନ୍ୟୁଜ ହାତରେ ଲାଗିଲା ପ୍ରମାଣ

160

କନକ ବ୍ୟୁରୋ : ଦଲାଲ ଙ୍କ କବଜାରେ ଧାନ ମଣ୍ଡି । ଏକଥା ଆମେ ବାରମ୍ବାର କହି ଆସୁଛୁ । ତେବେ ପ୍ରଥମ ଥର କରି ଆଜି ଆମେ ଆପଣଙ୍କୁ ଦେଖାଇବୁ, କେମିତି ଦଲାଲ ମାନଙ୍କ ଦ୍ୱାରା ପରିଚାଳିତ ହେଉଛି ଧାନ ମଣ୍ଡି । ଉପାନ୍ତ ଅଂଚଳ ମାଲକାନଗିରି ଜିଲ୍ଲାରେ ଧାନ ମଣ୍ଡିକୁ ଦଲାଲ ମାନେ କେମିତି ନିୟନ୍ତ୍ରଣ କରୁଛନ୍ତି ତାହାର ପ୍ରମାଣ ଲାଗିଛି କନକ ନ୍ୟୁଜ ହାତରେ । କିଏ ଓ କେତେଜଣ ଟୋକନ ପାଇବେ,ତାହା ନିର୍ଧାରଣ କରୁଛନ୍ତି ଦଲାଲ । ଆଉ ଟୋକନ ପିଛା ମୋଟା ଅଙ୍କ ରୋଜଗାର କରୁଛନ୍ତି ଦଲାଲ ଓ ମଣ୍ଡି ଦାୟିତ୍ୱରେ ଥିବା ଅଧିକାରୀ । ଆଉ ଅବଶ୍ୟକ ସ୍ଥଳେ ବସ୍ତା ରୁ ଧାନ ଚୋରି ମଧ୍ୟ କରୁଛନ୍ତି ଦଲାଲ ।

ଦେଖନ୍ତୁ ଏହି ଏକ୍ସକ୍ଲୁସିଭ ଭିଡିଓ । ଏ ହେଉଛି ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୫ କିଲୋମିଟର ଦୂର ଚାଲାଣଗୁଡା ମଣ୍ଡି ର ଚିତ୍ର । କେମିତି ମଣ୍ଡି କୁ ନିଜ ନିୟନ୍ତ୍ରଣ ରେ ରଖିଛନ୍ତି ଦଲାଲ । ମଣ୍ଡି ରେ କିଏ କିଏ ଧାନ ବିକ୍ରୀ କରିବେ, କାହାର କାହାର ଟୋକନ ଲାଗି ସୁପାରିଶ କରା ଯିବା, ତାହା ପରିଚାଳିତ ହେଉଛି ଏହି ଦଲାଲ ମାନଙ୍କ ଦ୍ୱାରା । ଗୋଟିଏ ଟୋକନ ପିଛା ଡାଟା ଅପରେଟର ଠାରୁ ଆରମ୍ଭ କରି ମଣ୍ଡି ଅଧିକାରୀ, ସମସ୍ତଙ୍କ କିଛି କିଛି ଅଂଶ ରହିଛି ଏହି ମଣ୍ଡି ବ୍ୟବସ୍ଥାରେ । ବିଶେଷ କରି ଚାଲାଣଗୁଡା ମଣ୍ଡି ଏସ.ଏଚ.ଜି ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଥିବା ବେଳେ ମହିଳାଙ୍କ ସ୍ୱାମୀ, ଭାଇ କିମ୍ବା ସମ୍ପର୍କୀୟ ମାନଙ୍କ ମଧ୍ୟ ଏଥିରେ ଯଥେଷ୍ଟ ଭୂମିକା ରହିଛି ।

ବବଲୁ ନାମକ ଡାଟା ଏଂଟ୍ରୀ ଅପରେଟର କୁ ୧୫୦୦୦ ସମେତ ମଣ୍ଡି ପରିଚାଳନା କରୁଥିବା ମହିଳା ଙ୍କ ସ୍ୱାମୀଙ୍କୁ କେମିତି ଟଙ୍କା ଦିଆ ହେଉଛି । କେମିତି କାର୍ଡ ପିଛା ଟଙ୍କା ଆଦାୟ ହୋଇଛି ଆଉ ହିସାବ ନିକାଶ କରୁଛନ୍ତି ଦଲାଲ, ତାହାର ଚିତ୍ର ଆପଣଙ୍କ ଟେଲିଭିଜନ ସ୍କ୍ରୀନ ରେ । କେବଳ ଏତିକି ନୁହେଁ ଚାଷୀଙ୍କ ଛାତିରେ ଛୁରି ମାରି ମୋଟା ଅଙ୍କ ରୋଜଗାର କରୁଛନ୍ତି ଦଲାଲ । ଆଉ ଭାଗ ମାପ ରେ ଅସୁବିଧା ହେଲେ, ଧାନ ଚୋରି କରିବାକୁ ମଧ୍ୟ ପଛାଉ ନାହାନ୍ତି ଦଲାଲ । ଶୁଣନ୍ତୁ ୪୦ ହଜାର ଟଙ୍କା ଆଦାୟ କରିବା ଲାଗି କଣ କହୁଛନ୍ତି ଏହି ଦଲାଲ ଗୋଷ୍ଠୀ ।