ଚାଷୀଙ୍କ ଖାତାକୁ ଆସି ଉଠିଯାଉଛି ଲକ୍ଷାଧିକ ଟଙ୍କା, ହେଲେ ଚାଷୀ ଜାଣୁନି! ମାଲକାନଗିରି ଜିଲ୍ଲାରୁ ଆସିଲା ବ୍ୟାଙ୍କ ଦୁର୍ନୀତିର ବଡ଼ ଖବର

୨ଶହରୁ ଅଧିକ ଚାଷୀଙ୍କ ଖାତାରେ କୋଟି କୋଟି ଟଙ୍କାର କାରବାର

570

କନକ ବ୍ୟୁରୋ: ଚାଷୀଙ୍କ ଖାତାକୁ ଆସୁଛି ହଜାର ହଜାର ଟଙ୍କା । ନା ଚାଷୀ ଜାଣୁଛି, ନା ଚାଷୀ ଟଙ୍କା ଉଠାଉଛି । ହେଲେ ଚାଷୀର ବ୍ୟାଙ୍କ ଖାତାରୁ ୨୪ ଘଂଟା ଭିତରେ ଉଠିଯାଉଛି ସବୁ ଟଙ୍କା । ବ୍ୟାଙ୍କ ଦୁର୍ନୀତିର ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ପରି ଉପାନ୍ତ ଜିଲ୍ଲାରେ । ଚାଷୀ ଖାତାକୁ ଆସୁଥିବା ଏହି ଟଙ୍କାକୁ କିଏ ଜମା କରୁଛି ଜଣାପଡୁନି । କିନ୍ତୁ ଟଙ୍କାକୁ ବ୍ୟାଙ୍କ କର୍ମଚାରୀ ଉଠାଇ ନେଉଥିବା ଅଭିଯୋଗ ହେଉଛି । ମାଲକାନଗିରି ସ୍ଥିତ କୋରାପୁଟ କୋପରେଟିଭ୍ ବ୍ୟାଙ୍କ ଶାଖାରେ ଦେଖିବାକୁ ମିଳିଛି ଏପରି ଦୁର୍ନୀତି । ଚାଷୀଙ୍କ ନାଁରେ ୪୦ରୁ ୭୦ ହଜାର ଟଙ୍କା ଜମା ହେଉଛି ।

ଆଉ ଟଙ୍କା ଜମା ହେବାର ଠିକ୍ ଦିନକ ପରେ ଏହି ଟଙ୍କାକୁ ଉଠାଇ ନେଉଛନ୍ତି ବ୍ୟାଙ୍କ କର୍ମଚାରୀ । ଜଣେ କି ଦୁଇ ଜଣ ନୁହଁ ପ୍ରାୟ ୨ ଶହରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତା ସହିତ ଚାଲିଛି ଏମିତି କୋଟି କୋଟି ଟଙ୍କାର ଖେଳ । ମାଲକାନଗିରିର ବଦଲି ଗାଁର ଦେବା ମାଢୀଙ୍କ ଖାତାରେ ଗତ ୪ ମାସରେ ୪ କିସ୍ତିରେ ଜମା ହୋଇଛି ୧ ଲକ୍ଷ ୫୪ ହଜାର ୬ ଶହ ଟଙ୍କା । ଇମା ମାଢୀଙ୍କ ଖାତାରେ ୬ଟି କିସ୍ତିରେ ଜମା ହୋଇଛି ୨ ଲକ୍ଷ ୭୦ ହଜାର ୮୨୦ ଟଙ୍କା । ହେଲେ ଏହି ଘଟଣା ନେଇ ଦେବା ଏବଂ ଇମା ମାଢୀଙ୍କ ନିକଟରେ ଏନେଇ କୌଣସି ଖବର ନାହିଁ । ଏହି ଘଟଣା ଜଣାପଡିବା ପରେ ଖାତା ଧାରକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।