ଶିକ୍ଷା ନାଁରେ ଶୋଷଣ ! ମାଲକାନଗିରିରେ କାୟା ମେଲାଉଛି ଜାଲ୍ ସାର୍ଟିଫିକେଟ୍ ଜାଲ, ପୋଲିସ୍ ପଞ୍ଝାରେ ପଡ଼ିଲା ମହାଠକ ।

1,198

କନକ ବ୍ୟୁରୋ: ଟଙ୍କା ଦିଅ ସାର୍ଟିଫିକେଟ ନିଅ । ବଜାରରେ ବିକ୍ରି ହେଉଛି ସାର୍ଟିଫିକେଟ । ବିନା କଷ୍ଟରେ, ପାଠ ନ ପଢି କେମିିତି ମୋଟା ଅଙ୍କ ଦେଇ ନକଲି ସାର୍ଟିଫିକେଟ କିଣି ଦହଗଂଜ ହେଉଛନ୍ତି ଛାତ୍ରଛାତ୍ରୀ । ଉପାନ୍ତ ଅଂଚଳରେ ବେଶ ଫଳପ୍ରଦ ହେଉଛି ଜାଲ ସାର୍ଟିଫିକେଟର ଗୋଲକଧନ୍ଦା । ମାଲାକନଗିରି ଜିଲ୍ଲାରେ ଏବେ ବି ସକ୍ରୀୟ ରହିଛି ଜାଲ ସାର୍ଟିଫିକେଟ ରାକେଟ ।

ବି.ଇ.ଡି ପାଠ୍ୟକ୍ରମରେ ନାମ ଲେଖାଇବା ଲାଗି ଜଣେ ଠକ ଶିକ୍ଷକଙ୍କୁ ୨ ରୁ ୪ଲକ୍ଷ ଟଙ୍କା ଦେଇ ଥିଲେ ଅନେକ ଗରିବ ଛାତ୍ର ଛାତ୍ରୀ । ତେବେ ବିନା ପରୀକ୍ଷାରେ ଜାଲ ସାର୍ଟିଫିକେଟ ପାଇବା ପରେ, ଠକ ଶିକ୍ଷକଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ଛାତ୍ରଛାତ୍ରୀ । ଆଉ ଅଭିଯୋଗ ପାଇବା ପରେ ଠକ ଶିକ୍ଷକଙ୍କୁ ଜେଲ ପଠେଇଛି ମାଲକାନଗିରି ପୁଲିସ । ପିଲାଙ୍କୁ ଡିଷ୍ଟାନ୍ସ ବିଏଡରେ ନାମ ଲେଖାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ ମାଲକାନଗିରି ଜିଲ୍ଲା ଚେଡେଙ୍ଗା ସେବାଶ୍ରମର ଶିକ୍ଷକ ଅରୁଣ ସେନ୍ । ହେଲେ ନାମ ଲେଖା ପରେ ପିଲାଙ୍କ ପରୀକ୍ଷା କରଗଲା ନାହିଁ । ଯାହାକୁ ନେଇ ଚାପ ବଢିବାରୁୁ ପିଲାଙ୍କ ହାତରେ ଜାଲ ସାର୍ଟିଫିକେଟ ଧରେଇଥିଲେ ଠକ ଅରୁଣ ।

ବିନା ପରୀକ୍ଷାରେ ସାର୍ଟିଫିକେଟ ପାଇ ସୂଚନା ଅଧିକାର ଆଇନ ବଳରେ ସାର୍ଟିଫିକେଟର ବୈଧତା ଜାଣିବାକୁ ଆବେଦନ କରିଥିଲେ ଛାତ୍ରଛାତ୍ରୀ । ହେଲେ କୌଣସି ଜବାବ ଆସିନଥିଲା । ଏହାପରେ ଦୁଇ ଛାତ୍ର ଠକ ଶିକ୍ଷକଙ୍କ ନାମରେ ଥାନାରେ ଏତାଲ ଦେଇଥିଲେ । ଛାତ୍ରଙ୍କ ଏତଲାକୁ ଭିତି କରି ଏହି ଧୂର୍ତ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମାଲକାନଗିରି ପୁଲିସ । ତେବେ ଏମିତି ଜାଲ ସାର୍ଟିଫିକେଟ ଦେଇ ଅରୁଣ ସରକାରୀ ଚାକିରି କରୁ ଥିଲେ କି? ସେନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।