ଦୁର୍ଗମ ଅଂଚଳକୁ ଯାଇପାରିଲାନି ଆମ୍ବୁଲାନ୍ସ । ଦେବଦୂତ ପାଲଟିଲେ ଡାକ୍ତର ଓ ଆମ୍ବୁଲାନ୍ସ ଡ୍ରାଇଭର । ରୋଗଶଯ୍ୟାରେ ପଡିଥିବା ନାବାଳକକୁ ୫ କିମି ଆଣିଲେ ବୋହି

279

କନକ ବ୍ୟୁରୋ: ଦୁର୍ଗମ ଅଂଚଳ ବୋଲି ଯାଇପାରିଲାନି ଆମ୍ବୁଲାନ୍ସ । ରାସ୍ତା ନଥିବାରୁ ୫ କିଲୋମିଟର ଦୂରରେ ରହିଲା ଆମ୍ବୁଲାନ୍ସ ଆଉ ଏତିକି ବେଳେ ଦେବଦୂତ ସାଜିଲେ ଉଭୟ ଡାକ୍ତର ଏବଂ ଆମ୍ବୁଲାନ୍ସ ଡ୍ରାଇଭର । ରୋଗ ଶଯ୍ୟାରେ ପଡିଥିବା ୧୨ ବର୍ଷିୟ ନାବାଳକକୁ ଭାରରେ ବୋହି ଦୁର୍ଗମ ଗଡରୁ ପାର କରାଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଛନ୍ତି ଏହି ଡ୍ରାଇଭର ଏବଂ ଡାକ୍ତର । ଏହି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଡଡୁରାଲ ପଂଚାୟତ ଅଧିନ ନୂଆଗୁଡା ଗାଁରେ ।

ସୂଚନା ମୁତାବକ, ଗାଁର ଜଣେ ରୋଗୀ ଭୀଷଣ ଜ୍ୱରରେ ପୀଡିତ ଥିଲେ । ଏଥିପାଇଁ ତାଙ୍କ ଦେହ ଫୁଲିଯାଉଥିଲା । ତେବେ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇପାରିନଥିଲା । ଉଳରେ ଆମ୍ବୁଲାନ୍ସଟି ଗାଁଠାରୁ ପାଖାପାଖି ୫ କିମି ଦୂରରେ ଅଟକି ରହିଥିଲା । ପରେ ସ୍ୱେଚ୍ଛାସେବୀ ସଂସ୍ଥାର ଡାକ୍ତର ଶକ୍ତି ପ୍ରସାଦ ମିଶ୍ର ଓ ଆମ୍ବୁଲାନ୍ସ ଡ୍ରାଇଭର ରୋଗୀଙ୍କ ପାଖକୁ ଯାଇଥିଲେ । ଆଉ ରୋଗୀଟିକୁ ଭାରରେ ନୂଆଗୁଡା ଗାଁରୁ ବେଲବାଡି ଯାଏଁ ୫ କିଲୋମିଟର ଯାଏଁ ବୋହି ଆଣିଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ ମାଲକାନଗିରି ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା ।