ଉପାନ୍ତ ଅଞ୍ଚଳର ସମ୍ଭ୍ରାନ୍ତ ହସ୍ପିଟାଲ । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମିଳିଛି ଜାତୀୟ ସ୍ତରର ଏନକ୍ୱାସ୍ ମାନ୍ୟତା

118

କନକ ବ୍ୟୁରୋ: ପଛୁଆ ଜିଲ୍ଲାର ଆଗୁଆ ଡାକ୍ତରଖାନା । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମିଳିଲା ଜାତୀୟ ସ୍ତରର ଏନକ୍ୱାଶ ମାନ୍ୟତା । ଡାକ୍ତରଖାନର ପ୍ରସୂତି ବିଭାଗକୁ ମିଳିଛି କେନ୍ଦ୍ରର ଲକ୍ଷ୍ୟ ପ୍ରମାଣପତ୍ର । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ଏକମାତ୍ର ଡାକ୍ତରଖାନା ଭାବେ ମାଲକାନଗିରି ଡିଏଚଏଚକୁ ଏହି ଜାତୀୟ ଗୁଣବତ୍ତା ମାନ୍ୟତା ମିଳିଥିବା ଘୋଷଣା କରାଯାଇଛି । ଏହାପରେ ଜିଲ୍ଲାବାସୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ କହିଲେ ନସରେ ।

  • ପଛୁଆ ଜିଲ୍ଲାର ଆଗୁଆ ଡାକ୍ତରଖାନା
  • ଏନକ୍ୱାସ୍ ତାଲିକା ଭୁକ୍ତ ମାଲକାନଗିର ମେଡିକାଲ

୭ ମହଲା ବିଶିଷ୍ଟ ମାଲାକନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାଇଲ ଖୁଂଟ ଅତିକ୍ରମ କରିଛି ଏହି ଡାକ୍ତରଖାନା । ଜାତୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ଏନକ୍ୱାଶ ବା ନାସନାଲ କ୍ୱାଲିଟି ଆସୁରାନ୍ସ ଷ୍ଟାଣ୍ଡାର୍ଡ ପ୍ରମାଣ ପତ୍ର ଡାକ୍ତରଖାନାର ମାନକୁ ବଢାଇ ଦେଇଛି । ସେବା, ସ୍ୱଚ୍ଛତା ପରି ବିଭିନ୍ନ ଦିଗକୁ ଅନୁଧ୍ୟାନ ଜାତୀୟ ଗୁଣବତା ନିଶ୍ଚିତତା ମାନକ ପ୍ରମାଣ ପତ୍ର ପ୍ରଦାନ କରାଇଛି । ଏହାସହ ଡାକ୍ତରଖାନାର ପ୍ରସବ କକ୍ଷ ଓ ମାତୃତ୍ୱ ବିଭାଗର ଅପରେସନ ଥିଏଟରକୁ ମିଳିଛି ସ୍ୱତନ୍ତ୍ର ଲକ୍ଷ୍ୟ ମାନ୍ୟତା ।

ଏନକ୍ୱାସ୍ ମାନ୍ୟତା ପାଇଁ ଡାକ୍ତରଖାନାରେ ସମସ୍ତ ବିଭାଗର ଭିତିଭୂମି, ଗୁଣବତା ଓ ସ୍ୱାସ୍ଥ୍ୟ ସେବାକୁ ତନ୍ନତନ୍ନ କରି ଯାଞ୍ଚ କରାଯାଏ । ପ୍ରତି କ୍ଷେତ୍ରରେ ୭୦ ପ୍ରତିଶତରୁ ଅଧିକ ନମ୍ବର ରଖିଲେ ତାଲିକାଭୁକ୍ତ ହୋଇପାରିବ ଡାକ୍ତରଖାନା । ମାଲକାନଗିରି ଚିକିତ୍ସାଳୟ ସବୁଥିରେ ପ୍ରାୟ ୮୮% ନମ୍ବର ରଖି ଏହି ମାନ୍ୟତା ହାସଲ କରିଛି । ଏହି ମାନ୍ୟତା ପରେ ଆସନ୍ତା ୩ ବର୍ଷ ଯାଏଁ ଡାକ୍ତରଖାନାର ଶଯ୍ୟା ପିଚ୍ଛା ବାର୍ଷିକ ୧୦ ହଜାର ଟଙ୍କା ଅନୁଦାନ ମିଳିବ ବୋଲି ସିଡିଏମଓ କହିଛନ୍ତି । ପୂର୍ବରୁ ଏହି ଚିକିତ୍ସାଳୟ ଲଗାତାର ଭାବେ ୩-୩ ଥର କାୟାକଳ୍ପ ପୁରସ୍କାର ପାଇସାରିଛି । ଏବେ ଜିଲ୍ଲାରେ ଡାକ୍ତର ସଂଖ୍ୟା ମଧ୍ୟ ଦୁଇ ଗୁଣିତ ହୋଇଛି । ଯାହା ମାଲକାନଗିରି ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟ ସେବାର ବାର୍ତା ଦେଉଛି ।