ସବୁଠି ସମାନ ଅବସ୍ଥା, ବିକାଶର ନାହିଁ ଚିହ୍ନବର୍ଣ୍ଣ : ବିଚ୍ଚିନ୍ନାଂଚଳରେ ଟୋକେଇରେ ବୁହା ହେଲେ ମା ଓ ଛୁଆ

ସବୁଠି ସମାନ ଅବସ୍ଥା, ବିକାଶର ନାହିଁ ଚିହ୍ନବର୍ଣ୍ଣ : ବିଚ୍ଚିନ୍ନାଂଚଳରେ ଟୋକେଇରେ ବୁହା ହେଲେ ମା ଓ ଛୁଆ

ମାଲକାନଗିରି : ସାରା ରାଜ୍ୟରେ ସମାନ ଚିତ୍ର। କେବେ ସୁଧୁରିବ ଏ ବ୍ୟବସ୍ଥାଗତ ତ୍ରୁଟି । ସାମ୍ନାକୁ ଆସିଛି ବିଚ୍ଛିନ୍ନାଂଚଳର ବିଚିତ୍ର ଦୃଶ୍ୟ । ଭଙ୍ଗା ଦଦରା ଟୋକେଇରେ ଜରି ପାଲ ଘୋଡାଇ ବୁହାହେଲେ ମାଆ ଓ ନବଜାତ ଶିଶୁ ଭାରା କରି ବୋହି ନେଉଛନ୍ତି ମହିଳାଙ୍କ ଭାଇ ଓ ସ୍ୱାମୀ । ମାଲକାନଗିରି ବିଚ୍ଛିନ୍ନାଂଚଳର ଏମିତି ଏକ ଚିତ୍ରଆସିଛି ସାମ୍ନାକୁ । ଚିତ୍ରକୋଣ୍ଡା ଜଳଭଣ୍ଡାରର ବୁଡି ଅଂଚଳରେ ଥିବା ତୋଂଟାଗୁଡା ଗାଁର ମହିଳା ମୁଲତା ହନ୍ତାଳ ପ୍ରସବ ବେଦନା ଅନୁଭବ କରିବା ପରେ ସ୍ଥାନୀୟ ଆଙ୍ଗନୱାଡି ଦିଦିଙ୍କ ସହାୟତାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ।

ତଥାପି ପ୍ରସବ ବେଦନା ନକମିବାରୁ ଆଉଏକ ଶିଶୁ ପେଟରେ ଥିବା ଅନୁମାନ କରିଥିଲେ ପରିବାର ଲୋକ।ଧିରେଧିରେ ପ୍ରସବ ଯନ୍ତ୍ରଣା ବଢିବାରୁ ଯାନବାଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ସ୍ଥିର କରିଥିଲେ । ହେଲେ ରାସ୍ତାଘାଟ ନଥିବାରୁ ଏକ ଭଙ୍ଗା ଟୋକେଇରେ ଭାରା ତିଆରି କରିଥିଲେ ମୁଲତାଙ୍କ ସ୍ୱାମୀ ଓ ଭାଇ। ଏହି ଭଙ୍ଗା ଟୋକେଇ ଓ ବାଉଁଶ ଲାଠି ସାହାଯ୍ୟରେ ଭାରା କରି ପ୍ରାୟ ୧୩ କିଲୋମିଟର ବାଟ ନେଇଥିଲେ ।

ଏତିକିରେ ସରିନଥିଲା ଦୁର୍ଦ୍ଦଶା । ଯାନବାଇ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ହେଲେ ଗୁରୁପ୍ରିୟା ନଦୀ ପାର ହେବାକୁ ପଡେ। ତେଣୁ ନଦୀ ଘାଟରେ ପ୍ରାୟ ୩ ଘଂଟା ଧରି ଡଙ୍ଗାକୁ ଅପେକ୍ଷା କରି ରହିଥିଲେ । ତେବେ ମହିଳାଙ୍କ ଏପରି ଅବସ୍ଥା ଦେଖି ସହାୟତାର ହାତ ବଢାଇଥିଲା କନକ ନ୍ୟୁଜ୍, ଡଙ୍ଗାରେ ମହିଳାଙ୍କୁ ନଦୀ ପାର କରାଇଥିଲେ । ନଦୀ ଆରପଟେ ପହଂଚିବା ପରେ ବି ଆସିନଥିଲା ଆମ୍ବୁଲାନ୍ସ । କନକ ନ୍ୟୁଜ୍ ଟିମ୍ ସହାୟତାରେ ଏକ କମାଣ୍ଡର ଗାଡି ଡକାଇ ମହିଳାଙ୍କୁ ଚିତ୍ରକୋଣ୍ଡା ଡାକ୍ତରଖାନାକୁ ପଠାଯାଇଥିଲା । ସେଠାରେ ମହିଳାଜଣକ ପୁଣିଏକ ଶିଶୁକୁ ଜନ୍ମ ଦେଇଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe