ବାବୁ ଥିଲେ ବାବୁ ରହିଲେ, ଆଇଏଏସଙ୍କ ପାଇଁ କ’ଣ ସବୁ ମାଫ୍: ବ୍ୟକ୍ତିଗତ ସହାୟକଙ୍କ ହତ୍ୟା ମାମଲାରେ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳଙ୍କୁ କେବେ ଜେରା କରିବ ପୁଲିସ୍?

ଏଫଆଇଆରରେ ସଙ୍ଗୀନ୍ ଅଭିଯୋଗ ଆଣିଲେ ମୃତକଙ୍କ ପତ୍ନୀ

254

କନକ ବ୍ୟୁରୋ: ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁରେ ହତ୍ୟା ମାମଲା ଦାୟର ହୋଇଥିବା ମାଲକାନଗିରିର ପୂର୍ବତନ ଜିଲ୍ଲାପାଳଙ୍କୁ ମୃତ୍ୟୁ ମାମଲାରେ ପଚରା ଉଚରା କରାଯିବ କି ନାହିଁ । ନା ଜଣେ ବଡ ବାବୁ ହୋଇଥିବାରୁ ପୁଲିସ ତାଙ୍କୁ ପଚରା ଉଚାର କରିବାକୁ ସାହାସ କରିବ ନାହିଁ । ଏମିତି ଅନେକ ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା ଚାଲିଛି । କେବଳ ବଦଳି କରି ସରକାର କାମ ସାରିଦେଲେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ବାବୁଙ୍କ ପାଇଁ କଣ ସାତ ଖୁନ ମାଫ? ମାଲକାନଗିରି ଜିଲ୍ଲାପାଳ ଥିବା ସମୟରେ ମନିଷ ଅଗ୍ରୱାଲଙ୍କ ନାଁରେ ଆସିଥିବା ହତ୍ୟା ଅଭିଯୋଗର କେବେ ହେବ ଯାଂଚ ? କେବେ ପୋଲିସ ଏହି ବଡ ବାବୁଙ୍କୁ ପଚରାଉଚରା କରିବ ? କାରଣ ମନିଷଙ୍କ ନାଁରେ ତାଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କୁ ହତ୍ୟା କରିଥିବା ନେଇ ସଙ୍ଗିନ ଅଭିଯୋଗ ଆସିଛି । ଥାନାରେ ଏଫଆଇଆର କରିଛନ୍ତି ମୃତ ଦେବ ନାରାୟଣ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେତେବେଳେ ଜିଲ୍ଲାପାଳଙ୍କ ନାଁରେ ହତ୍ୟା ଅଭିଯୋଗ ଆସିଲା, ଏବଂ ଗଣମାଧ୍ୟମରେ କଥା ପ୍ରଘଟ ହେଲା, ତତକ୍ଷଣାତ ଜିଲ୍ଲାପାଳଙ୍କୁ ବଦଳି କରାଯାଇ ଯୋଜନା ସଂଯୋଜନାର ଉପ-ସଚିବ ଭାବେ ଦାୟିତ୍ୱ ଦିଆଗଲା ।

ଏପଟେ ଥାନାରେ ହୋଇଥିବା ଏଫଆଇଆରରେ ଦେବ ନାରାୟଣଙ୍କ ପତ୍ନୀ ସିଧା ସିଧା ଅଭିଯୋଗ ଆଣିଛନ୍ତି, ପିସି କାରବାର ପାଇଁ ତାଙ୍କ ସ୍ୱାମୀଙ୍କୁ ମାଧ୍ୟମ କରିବାକୁ ଉଦ୍ୟମ କରିଥିଲେ ଜିଲ୍ଲାପାଳ । ପିସି ଟଙ୍କା ରଖିବାର ଦାୟିତ୍ୱ ନେବେ କି ବୋଲି ଜିଲ୍ଲାପାଳ ତାଙ୍କ ସ୍ୱାମୀଙ୍କୁ ପ୍ରଶ୍ନ ମଧ୍ୟ କରିଥିଲେ । ତେବେ ଏଥିରେ ସେ ଅରାଜି ହେବାରୁ ତାଙ୍କ ସ୍ଥାନରେ ଆଉ ଜଣଙ୍କୁ ନିଯୁକ୍ତି କରାଗଲା । ୨୭.୧୨.୨୦୧୯ରେ ସକାଳ ପ୍ରାୟ ୧୦ଟା ସମୟରେ ଜିଲ୍ଲାପାଳଙ୍କ ଘରୋଇ କାର୍ଯ୍ୟାଳୟକୁ ଯାଇଥିଲେ ଦେବ ନାରାୟଣ । ହେଲେ ଆଉ ଫେରିନଥିଲେ । ୨୮.୧୨.୨୦୧୯ରେ ତାଙ୍କର ମୃତଦେହ ମିଳିଥିଲା । ଏହି ହତ୍ୟାକାଣ୍ଡରେ ପୂର୍ବତନ ଜିଲ୍ଲପାଳ ମନିଷ ଅଗ୍ରୱାଲ, ଡିଇଓ ଭି. ଭେନୁ, ଷ୍ଟେନୋ ପ୍ରକାଶ ସ୍ୱାଇଁ ଏବଂ ଅବସରପ୍ରାପ୍ତ ଓଆରଏସ ଅଫିସର ଭଗବାନ ପାଣିଗ୍ରାହୀଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି ।

ତେବେ ଯଦି ସାଧାରଣ ଲୋକଙ୍କ ପାଇଁ ଆଇନ ଯେପରି କଡାକଡି ହେଉଛି, ଠିକ ସେହିପରି ଜଣେ ପ୍ରଶାସନିକ ଅଧିକାରୀ ଏଥିରୁ କେମିତି ବାଦ ପଡୁଛନ୍ତି ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ହୋଇଛି । କାରଣ ଏଠି ଅଭିଯୁକ୍ତ କୁହାଯାଉଥିବା ପୂର୍ବତନ ଜିଲ୍ଲାପାଳଙ୍କୁ ପଚରା ଉଚରା କରିବା ତ ଦୁରର କଥା, ଜିଲ୍ଲା ମୁଖ୍ୟାଳୟରୁ ତାଙ୍କୁ ଅନ୍ୟତ୍ର ପଠାଇ ଦିଆଯାଉଛି । ସେପଟେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ହତ୍ୟା ମାମଲାରେ ମନୀଷଙ୍କ ସମେତ ୪ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ନଜର ପକାନ୍ତୁ ଏହି ଏଫଆଇଆର ଉପରେ । ଜିଲ୍ଲାପାଳଙ୍କ ସମେତ ୪ଜଣ ଅଭିଯୁକ୍ତଙ୍କ ନାଁରେ ଲାଗିଛି ସଙ୍ଗିନ ଦଫା ।

ଧାରା ୩୦୨-ହତ୍ୟା

ଧାରା ୫୦୬-ଅପରାଧିକ ଭୟଭିତତା

ଧାରା ୨୦୧-ପ୍ରମାଣ ନଷ୍ଟ କରିବା

ଧାରା ୨୦୪-ପ୍ରମାଣ ପାଇଁ ଥିବା କାଗଜପତ୍ରକୁ ନଷ୍ଟ କରିବା

ଧାରା ୧୨୦-ବି-ଅପରାଧିକ ଷଡଯନ୍ତ୍ର

ଧାରା ୩୪-ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି

୨୦୧୯ ଡିସେମ୍ବର ୨୮ରେ ସତୀଗୁଡା ଜଳଭଣ୍ଡାରରୁ ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ଉଦ୍ଧାର କରିଥିଲା ପୁଲିସ । ମୃତ୍ୟୁର ୭ ମାସ ପରେ ଅର୍ଥାତ ୨୦୨୦ ଅଗଷ୍ଟ ମାସରେ ଦେବନାରାୟଣଙ୍କ ପରିବାର ଲୋକ ଜିଲ୍ଲାପାଳଙ୍କ ସମେତ ୪ ଜଣଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ । ୨୦୨୦ ନଭେମ୍ବର ୧୩ରେ ମାମଲାରୁ ଶୁଣାଣି କରି ଏସଡିଜେଏମ କୋର୍ଟ ୪ଜଣଙ୍କ ନାଁରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।