ମାଲକାନଗିରି ଜିଲ୍ଲାପାଳଙ୍କୁ ମହଙ୍ଗା ପଡ଼ିଲା ପଥର ଖଣି ଟେଣ୍ଡର ଫିକ୍ସିଂ ଅଭିଯୋଗ : ଆନ୍ଧ୍ର ନିର୍ଦ୍ଧିଷ୍ଟ କଂପାନୀକୁ ଅନୁକମ୍ପା ନେଇ ଅଭିଯୋଗ ଆଣିଥିଲା କଂଗ୍ରେସ

138

କନକ ବ୍ୟୁରୋ : ବଦଳିଛନ୍ତି ମାଲକାନଗିରି ଜିଲ୍ଲାପାଳ । ଲଘୁ ଖଣିଜ ସଂପଦ ଟେଣ୍ଡର ଫିକ୍ସିଂ ଅଭିଯୋଗ ଆସିବା ପରେ ତାଙ୍କୁ ବଦଳି କରାଯାଇଛି । ଜିଲ୍ଲାପାଳ ୱାଇ ବିଜୟଙ୍କୁ କଟକ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ତାଙ୍କ ସ୍ଥାନରେ ଯାଜପୁର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଥିବା ବିଶାଲ ସିଂହଙ୍କୁ ମାଲକାନଗିରିର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।

ସେପଟେ ପଥର ଖଣି ଲିଜ ଚଂଚକତା ନେଇ ବିବାଦ ଘେରକୁ ଆସିବା ପରେ ଜିଲ୍ଲାପାଳ ୱାଇ ବିଜୟ, ନିଜ ସୌଖୀନ ମିଜାଜ ପାଇଁ ସରକାରୀ ଅର୍ଥର ଅପବ୍ୟବହାର କରୁଥିବା ସାନି ଅଭିଯୋଗ କରିଛି କଂଗ୍ରେସ । ବଦଳିର ମାତ୍ର କେଇ ଘଂଟା ପୂର୍ବରୁ ଜିଲ୍ଲାପାଳଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିଲେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ । ଆବଶ୍ୟକତା ନଥାଇ ଜିଲ୍ଲାପାଳ ନିଜ ଚ୍ୟାମ୍ବରର ପୁନଃନିର୍ମାଣ କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିବା ଅଭିଯୋଗ ଆଣିଥିଲେ କଂଗ୍ରେସ ନେତା ।

କରୋନା ସମୟରେ ସରକାର ଅଯଥା ଖର୍ଚ୍ଚକୁ ବନ୍ଦ କରିଥିବାବେଳେ ମାଲକାନଗିରି ଜିଲ୍ଲାରେ ଏହାର ବ୍ୟତିକ୍ରମ ହୋଇଥିବା ସେ କହିଥିଲେ । ସେପଟେ କିଛିଦିନ ତଳେ ବିଏମସିରୁ ବଦଳି ହୋଇଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ସିଇଓ ଭାବେ ନୂଆ ନିଯୁକ୍ତି ମିଳିଛି । ଏଥିସହ ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ସରକାର । ମାଲକାନଗିରି ସମେତ ୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳା ଯାଇଛି ।