କନକ ବ୍ୟୁରୋ: ଅନାହାର ଆଁରେ ମାଲକାନଗିରି ମାଆ ମରିଯିବା ପରେ ଏବେ ନିଜ ମୁଣ୍ଡରୁ ଦୋଷ ଖାସାଇବାକୁ ଚେଷ୍ଟା କରୁଛି ଜିଲ୍ଲା ପ୍ରଶାସନ । ମୃତା ସୀତା ମାଡକାମୀର ଅବର୍ତ୍ତମାନରେ ଡାହା ମିଛ କହି ଦୋଷ ଦୁର୍ବଳତାକୁ ଲୁଚାଇବାକୁ ପଛାଉନି ଜିଲ୍ଲା ପ୍ରଶାସନ । ସୀତା ତ ଆଉ ଏପାରିରେ ନାହିଁ ତେଣୁ ମିଛ କହିଲେ ଶୁଣିବ କିଏ ? ପ୍ରତିବାଦ କରିବ କିଏ ? କହିବାକୁ ତ କେହି ନାହିଁ, ସ୍ୱାମୀ ଯିବାର ପଛେ ପଛେ ସେ ତ ସେଇ ବାଟରେ ଚାଲିଗଲା । ଆଉ ପିଲା ଦିଟାଙ୍କର ବୟସ ହୋଇନି, ତାଙ୍କ ଜିଭ ପାକଳ ହୋଇନି ମିଛକୁ ଧରି ଜବାବ ଦେଲାଭଳି । ତେଣୁ ଯେନେତେନେ ଯାହା କହି ନିଜ ମୁଣ୍ଡରୁ ଦୋଷ ଖସାଇ ଦେଲେ ଗଲା ।

Advertisment

publive-image
ମାଲକାନଗିରି ମାଆର ବିଷ ପିଆ ଘଟଣା ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଗୃହ ଗରମ ହୋଇଛି । ଭୋକ ଉପାସରେ ସୀତା ବିଷ ପିଇବା ପରେ ସରକାରଙ୍କ ଯୋଜନା ଉପରେ ଆଙ୍ଗୁଠି ଉଠିଛି । ହେଲେ ଏତିକି ବେଳେ ସ୍ଥାନୀୟ ବିଡିଓଙ୍କ ବେଫିକର ବୟାନ ସମସ୍ତଙ୍କୁ ଚକିତ କରି ଦେଇଛି ।
ସୀତା ଦାରିଦ୍ର‌୍ୟତା ପାଇଁ ନୁହେଁ ବରଂ ପାରିବାରିକ କଳହ ପାଇଁ ଜୀବନ ହାରିଛି । ନିଜ ପରିବାରର ମନୋମାଳିନ୍ୟ, ଗଣ୍ଡଗୋଳ, ଝଗଡା ପାଇଁ ସୀତା ଆତ୍ମହତ୍ୟାର ପନ୍ଥା ବାଛି ନେଇଥିବା କହିଛନ୍ତି ମାଲକାନଗିରି ବିଡିଓ ଗୁଣନିଧି ନାୟକ । ସୀତା ଓ ତା ପରିବାର ସବୁ ସରକାରୀ ଯୋଜନାର ଲାଭ ପାଉଥିଲେ । ଖାଇବାକୁ ପାଉନଥିବା କଥା ଭୁଲ । ଭୋକ କି ଗରିବୀ ପାଇଁ ନୁହେଁ ବରଂ ପାରିବାରିକ ସମସ୍ୟା ପାଇଁ ସୀତା ବିଷ ପିଇ ଆତ୍ମହତ୍ୟା କରିଥିବା ଅତି ସହଜରେ, ଅତି ନିଷ୍ଠୁର ଭାବେ କହିଛନ୍ତି ବିଡିଓ ଗୁଣନିଧି ନାୟକ ।

publive-image
ବିଡିଓଙ୍କ ଏ ବେଫିକର ବୟାନ ପରେ ପୁଞ୍ଜିଭୂତ ହୋଇଛି ପ୍ରଶ୍ନ । ଯଦି ବିଡିଓଙ୍କ କଥା ସତ ତାହାଲେ ତଦନ୍ତ କରୁଥିବା ଅଧିକାରୀମାନେ କଣ ମିଛ ? ତଦନ୍ତରେ ସାମିଲ ଥିବା ଅଧିକାରୀ, ଏଏନଏମ ଦିଦି, ସିଡିପିଓ ଓ ଜନ ପ୍ରତିନିଧି କହୁଥିବା କାହାଣୀ କଣ କପୋଳ କଳ୍ପିତ ? ନିଜ ଛୁଆଙ୍କୁ ଗଣ୍ଡେ ଖାଇବାକୁ ଦେବାକୁ ସୀତା ଅଙ୍ଗନବାଡିର ବଳକା ଖାଦ୍ୟ ପାଇଁ ଘଣ୍ଟା ଘଣ୍ଟା ଧରି ଅଙ୍ଗନବାଡି ଆଗରେ ଛିଡା ହେବା କଥା କଣ ଭୁଲ ? ଦିନେ ଖାଇ ଦିନେ ଉପାସ ରହୁଥିବା ସୀତାର ପରିବାରକୁ ପଡୋଶୀମାନେ ପାଳି କରି ଖାଇବାକୁ ଦେବା କଥା କଣ ଭୁଲ ?

publive-image
‘ସୀତା ଓ ସତ’ର ସପକ୍ଷରେ ତଦନ୍ତକାରୀ ଅଧିକାରୀ ଓ ସିଡିପିଓଙ୍କ ଏହି ବୟାନ ବିଡିଓଙ୍କ ଖାମଖିଆଲି କଥାକୁ ଏକ ଶକ୍ତ ଚାପୁଡା ଦେଇଥିବ ନିଶ୍ଚିତ । ତେବେ ଭୋକ ଆଗରେ ମମତା ମାରି ନିଜ ଛୁଆକୁ କଣ ପାଇଁ ଗୋଟେ ମାଆ ବିଷ ପିଆଇ ଦେବ ଏଭଳି ଏକ ସମ୍ବେଦନଶୀଳ ଘଟଣା ଉପରେ ବିଡିଓ କେମିତି ଏମିତି କହିଲେ ? ଏସବୁ କହିବାକୁ ତାଙ୍କ ଜିଭ ଲେଉଟିଲା କିପରି ? କେଉଁ ତଥ୍ୟ ପ୍ରମାଣ ଆଧାରରେ ପାରିବାରିକ ସମସ୍ୟା କହି ବିଡିଓ କଥାକୁ ଆଡେଇ ଦେଉଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ତେବେ ସମ୍ବେଦନଶୀଳ ଘଟଣା ଯେତେବେଳେ ଗୃହରେ ଉଠୁଛି । ଅନାହାର, ଅଭାବ, ଭୋକ ପାଇଁ ଯେତେବେଳେ ଜଣେ ଜୀବନ ଦେଉଛି । ଆଉ ତାର ମୂଳକୁ ଯାଇ ତଦନ୍ତ କରିବାକୁ ଯେତେବେଳେ ନିର୍ଦ୍ଦେଶ ଦିଆ ଯାଉଛି ସେତେବେଳେ ବିଡିଓଙ୍କ ଏଭଳି ବୟାନ ଟିକେ କାନକୁ ଅଡୁଆ ଶୁଭୁଛି । ତେବେ ସୀତା ସତ ନା ବିଡିଓ ସତ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।