କନକ ବ୍ୟୁରୋ : ଶାଗ ମାଛ ଦରରେ ଜମି ଅଧିଗ୍ରହଣ । ସରକାରୀ ମୁଲ୍ୟ ୩ କୋଟି ୩୦ ଲକ୍ଷ । ଅଧିଗ୍ରହଣ ହେଉଛି ୬ ଲକ୍ଷ ଟଙ୍କା ଏକର ପିଛା ଦରରେ । ଏ ହେଉଛି ମାଲାକନଗିରି ଜିଲ୍ଲାରେ ଜାତୀୟ ରାଜପଥ ଲାଗି ଚାଲିଥିବା ଭୁମି ଅଧିଗ୍ରହଣର ବାସ୍ତବ ଚିତ୍ର । ମାଲକାନଗିରି ଜିଲ୍ଲା ଦେଇ ଯାଇ ଥିବା ୩୨୬ ନଂ ଜାତୀୟ ରାଜପଥରେ ଥିବା ୯ ଟି ତଳିଆ ପୋଲ ନିକଟରେ ସୁ-ଉଚ୍ଚ ପୋଲ ନିର୍ମାଣ ଚାଲିଛି । ମାଲକାନଗିରି ସିଖପାଲି ପଂଚାୟତ ଅନ୍ତର୍ଗତ ପାଲକୋଣ୍ଡା ଓ ଏମଭି-୧୯ ଗାଁ ନିକଟରେ ମଧ୍ୟ ଗୋଟିଏ ପୋଲ ନିର୍ମାଣ କାମ ଆଗେଇ ଚାଲି ଥିବାବେଳେ ଗରିବଙ୍କ ଜମିକୁ ଶାଗ ମାଛ ଦରରେ ଅଧିଗ୍ରହଣ କରାଯାଉଥିବା ଅଭିଯୋଗ ହୋଇଛି । ପାଲକୋଣ୍ଡା ଗାଁରେ ମଧ୍ୟ ୧୯ ସେନ୍ଟ ଜାଗା ଅଧିଗ୍ରହଣ କରାଯାଉ ଥିବାବେଳେ ଏକ କୋଟି ୮୭ ଲକ୍ଷ ଟଙ୍କା ହିସାବରେ ଜମିର ସରକାରୀ ମୁଲ୍ୟ ୩୫ ଲକ୍ଷ ୫୩ ହଜାର ଚଙ୍କା ହବା କଥା । ତେବେ ସରକାରୀ ଦରର ତିନି ଗୁଣ କହି ମାତ୍ର ୩ ଲକ୍ଷ ୫୯ ହଜାର ୯୯୫ ଟଙ୍କା ଦେବା ଲାଗି ନୋଟିସ ପ୍ରଦାନ କରିଛି ଭୁମି ଅଧିଗ୍ରହଣ ବିଭାଗ ।

Advertisment

ଜମି ହରାଙ୍କୁ କମ ଦର ପ୍ରଦାନ ପଛରେ ଅଜବ ଯୁକ୍ତି ସାମନାକୁ ଆସୁଛି । ଭୁଲ ବଶତ ଦର ସଂଖ୍ୟା ପଡି ଯାଇଥିବା କଥା ଏବେ ଭୁମି ଅଧିଗ୍ରହଣ କାର୍ଯ୍ୟାଳୟରୁ ଆସୁ ଥିବାବେଳେ ସେଠାକାର ଜମିର ପ୍ରକୃତ ମୁଲ୍ୟ କଣ ତାହାର ତର୍ଜମା କରାଯିବ । ଏହାପରେ ଯାଇ ଜମି ହରାଙ୍କୁ ମୁଲ୍ୟ ପ୍ରଦାନ କରାଯିବ ବୋଲି କହିଛନ୍ତି ମାଲକାନଗିରି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ।

ସେପଟେ ଜମି ଅଧିଗ୍ରହଣ ପ୍ରକ୍ରିୟା ନସରୁଣୁ ଠିକା କାମ କରୁଥିବା କମ୍ପାନୀ ଏକ ପାଖିଆ ଭାବେ ଲୋକଙ୍କ ଜମି ଉପରେ କାମ ଆରମ୍ଭ କରା ଯାଇଥିବା ଅଭିଯୋଗ ହୋଇଛି । ତେଣୁ ଜମି ହରାଙ୍କୁ ଉଚିତ ମୁଲ୍ୟ ପ୍ରଦାନ କରା ଯାଇ କାମ ଆରମ୍ଭ ନ କଲେ ଆଗାମି ଦିନରେ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ଚେତାବନି ଦେଇଛନ୍ତି ଗ୍ରାମବାସୀ ।