ଆନନ୍ଦ ମହିନ୍ଦ୍ରାଙ୍କ ଟ୍ୱିଟକୁ ଅପେକ୍ଷା କରିଥିଲା କି ମାଲକାନଗିରି ପ୍ରଶାସନ । ସ୍ୱାଭିମାନ ଅଂଚଳର ନେରୁଡପାଲି ନଦୀରେ ଯୋଗାଇ ଦିଆଗଲା ମୋଟର ବୋଟ୍ । ଅଙ୍ଗନୱାଡି କର୍ମୀ ନଦୀ ପାର ହେବା ଖବର ପ୍ରସାରଣ ପରେ ବୋଟ୍ ଦେବାକୁ ଆଗେଇ ଆସିଥିଲେ ଆନନ୍ଦ ମହିନ୍ଦ୍ରା

176

କନକ ବ୍ୟୁରୋ : ଓଡିଶାର ଏକ ଖବରକୁ ନେଇ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଟୁଇଟ୍ କରିବା ପରେ ରାଜ୍ୟର ସ୍ଥାନୀୟ ପ୍ରଶାସନ ହଠାତ ତତ୍ପର ହୋଇ ଉଠିଛି । ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳର ନେରୁଡ ପାଲି ନଦୀ ପାର ପାଇଁ ମୋଟର ବୋଟ୍ ଯୋଗାଇଦେଇଛି ମାଲକାନାଗିରି ଜିଲ୍ଳା ପ୍ରଶାସନ । ବିଛିନ୍ନାଂଚଳରେ ଦୁଇ ଜଣ ଅଙ୍ଗନୱାଡା କର୍ମୀ ଲାଉତୁମ୍ବା ସହାୟତାରେ ନଦୀ ପାର ହେଉଥିବାର ଦୃଶ୍ୟ ଗଣମାଧ୍ୟମରେ ପ୍ରସାରଣ ହୋଇଥିଲା । ଏଭଳି ଦୃଶ୍ୟ ଦେଖି ଆନନ୍ଦ ମହିନ୍ଦ୍ରା, ବୋଟ୍ ଯୋଗାଇ ଦେବା ପାଇଁ ଟୁଇଟ୍ କରି ଜଣାଇଥିଲେ ।

ମାଲକାନଗିରିର ଏହି ଖବର ଭୁବନେଶ୍ୱରରେ ପହଁଚିବା ଆଗରୁ ପହଁଚିଥିଲା ମୁମ୍ବାଇର ବିଶିଷ୍ଠ ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କ ନିକଟରେ । ନିଜର ଦାୟିତ୍ୱ ନିର୍ବାହ ପାଇଁ ଦୁଇ ଅଙ୍ଗନୱାଡି କର୍ମୀ ବିପଦପୂର୍ଣ୍ଣ ଅବସ୍ଥାରେ ଜଳଯାତ୍ରା କରୁଥିବାର ଦୃଶ୍ୟ ଆନନ୍ଦଙ୍କୁ ବିଚଳିତ କରିଥିଲା । ତାପରେ ନିଜ ଖର୍ଚ୍ଚରେ ସେମାନଙ୍କୁ ମୋଟର ବୋଟ୍ ଯୋଗାଇ ଦେବାକୁ ଟୁଇଟ୍ କରି ସୂଚନା ଦେଇଥିଲେ ।

ବୋଟ ଯୋଗାଇ ଦେବାକୁ ଆନନ୍ଦ ଘୋଷଣା କରିବା ପରେ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ । ବିପଦପୂର୍ଣ୍ଣ ଭାବେ ନଦୀରେ ଜଳଯାତ୍ରା କରୁଥିବା ନେରୁଡ ପାଲି ଓ ସୁଆପାଲି ଗାଁର ଲାକମାନଙ୍କ ପାଇଁ ପ୍ରଶାସନ ଯୋଗାଇ ଦେଇଛି ମୋଟର ବୋଟ । ଏଣିକି ନଦୀ ଆରପଟେ ରହୁଥିବା ଲୋକମାନେ ଏହି ବୋଟରେ ଯାତାୟତ କରିବେ ।

ସୁଆପାଲି ଓ ନେଡ଼ୁପାଲି ଗାଁକୁ ଯିବାଆସିବା ପାଇଁ କୌଣସି ସୁବିଧା ନାହିଁ । ଏଭଳି ସ୍ଥିତିରେ ଅଂଟାରେ ଲାଉତୁମ୍ବା ବାନ୍ଧି ଦୁଇ ଅଙ୍ଗନୱାଡି କର୍ମୀ ପ୍ରମିଳା ପେଲମେଲ ଓ ହେମଲତା ଶିଷା ଭରା ନଦୀ ପାର ହେଉଥିବା ସାମନାକୁ ଆସିବା ପରେ କନକ ନ୍ୟୁଜ୍ ଖବର ପ୍ରସାରଣ କରିଥିଲା ।