କନକ ବ୍ୟୁରୋ: ଖବର ବାଜିବା ପରେ ଚେତିଛି ଜିଲ୍ଲା ପ୍ରଶାସନ । ଅନୁସୁଚିତ ଜାତି ଓ ଜନଜାତି ବିଭାଗର ଆଇଟିଡିଏ ଦ୍ୱାରା ପରିଚାଳିତ ଦୁଇଟି ଅନଫିଟ୍ ଓ ଅସୁରକ୍ଷିତ ସ୍କୁଲ ବସକୁ ବଦଳାଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଅନ୍ୱେଶା ଯୋଜନାରେ ସହରାଞ୍ଚଳ ହଷ୍ଟେଲରେ ରହି ପାଠ ପଢୁଥିବା ପିଲାଙ୍କୁ ବିଭିନ୍ନ ବିଦ୍ୟାଳୟକୁ ପଠାଇବା ଲାଗି ଦୁଇଟି ବସ ନିୟୋଜିତ କରିଥିଲା ଆଇଟିଡିଏ । ତେବେ ବସ ଦୁଇଟିର ୧୦ ବର୍ଷରୁ ଅଧିକ ସମୟ ଧରି ଫିଟନେସ କିମ୍ବା ଇନ୍ସ୍ୟରାନ୍ସ କରାନଯାଇ ଆଦିବାସୀ ପିଲାଙ୍କୁ ବିପଦ ସଙ୍କୁଳ ଅବସ୍ଥାରେ ପରିବହନ କରାଯାଉଥିଲା । ଏନେଇ କନକ ନ୍ୟୁଜରେ ଗତ ମଙ୍ଗଳବାର ଦିନ ଖବର ପ୍ରସାରଣ ପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇ ଦୁଇଟି ବସକୁ ବନ୍ଦ କରିଛନ୍ତି ଆରଟିଓ । ଏବେ ଘରୋଇ ସ୍କୁଲର ଦୁଇଟି ବସକୁ ପିଲାଙ୍କ ପରିବହନ ଲାଗି ଅସ୍ଥାୟୀ ଭାବେ ନିୟୋଜିତ କରାଯାଇଛି ।