କନକ ବ୍ୟୁରୋ: ୫ ଟଙ୍କିଆ ଆହାରରେ ପୁରୁଛି ୩ ପ୍ରାଣୀଙ୍କ ପେଟ । ଆଉ ଦୁଇଖଣ୍ଡ ପଲିଥିନ ତଳେ ବିତୁଛି ଜୀବନ । ଆମେ କହୁଛୁ ମାଲକାନଗିରି ଜିଲ୍ଲାର ଜଣେ ପଂଜିକୃତ ନିର୍ମାଣ ଶ୍ରମିକଙ୍କ କଥା । ଅଜଣା ରୋଗରେ ପୀଡିତ ହୋଇ ସର୍ବଶାନ୍ତ ହୋଇ ଗଲେ ରାଜମିସ୍ତ୍ରୀ । ଘର ଦ୍ୱାର ବିକିବା ପରେ ଖୋଲା ଆକାଶ ତଳେ ପଲିଥିଲ ଟାଣି ବଂଚିଛନ୍ତି ଗୋଟିଏ ପରିବାର । ତେବେ ଏନ୍ତୁଡିଶାଳ ଠାରୁ ମଶାଣି ଯାଏଁ ସବୁ ପାଇଁ ରହିଛି ସରକାରୀ ଯୋଜନା । କିନ୍ତୁ ଅସହାୟ ଶ୍ରମିକଙ୍କ ନିକଟରେ ପହଁଚି ପାରିନାହିଁ ସେ ସବୁ ଯୋଜନା । ଆଉ ସୋସିଆଲ ମିଡିଆରେ ନିର୍ମାଣ ଶ୍ରମିକଙ୍କ ଦୁର୍ଦଶାର ବିକଳ ଚିତ୍ର ଘୁରି ବୁଲିବା ପରେ ସହୃଦୟ ବ୍ୟକ୍ତିମାନେ କିଂଚିତ ସହାୟତା କରୁଛନ୍ତି ସତ, କିନ୍ତୁ ସରକାରୀ କଳ ସବୁ ଦେଖି ଚୁପ ବସିବା ପରିତାପର ବିଷୟ ।
ସମୟ ସ୍ରୋତରେ ବଦଳିଛି ଜୀବନ
ସର୍ବହରା ହୋଇଛନ୍ତି ନିର୍ମାଣ ଶ୍ରମିକ
୫ ଟଙ୍କିଆ ଆହାରରେ ପୂରୁଛି ପେଟ
ଜମି ବାଡି ବିକ୍ରୀ କରିବା ପରେ କିଛି ବର୍ଷ ଶ୍ୱଶୁର ଘରେ ରହୁଥିଲେ ପରିମଳଙ୍କ ପରିବାର । ପରେ ସେଠାରୁ ଆସି ବର୍ଷ ବର୍ଷ ଧରି ଭଡା ଘରେ ରହିଲେ । ଭଡା ଟଙ୍କା ଦେଇ ନପାରି ଭଡା ଘରେ ଖଟ, ଆଲମିରା ପରି ଆସବାବ ପତ୍ର ଛାଡିି ମାଲକାନଗିରି ଡାକ୍ତରଖାନା ନିକଟସ୍ଥ ରାଇସ ମିଲ ପଛରେ ବସବାସ କରୁଛନ୍ତି ପରିମଳଙ୍କ ପରିବାର । ଅଦିନିଆ ବର୍ଷାରେ ପଲା ଭିତରେ ସବୁ ଆସବାବ ପତ୍ର ଓ କାଠ ଓଦା ହୋଇଯିବା ପରେ ରୋଷେଇ ବାସ ବି ବନ୍ଦ । ତେଣୁ ଡାକ୍ତରଖାନା ଆହାର କେନ୍ଦ୍ରରୁ ଦୁଇ ଓଳା ଦୁଇ ପ୍ୟାକେଟ ଆହାର ଆଣି ସ୍ୱାମି ଓ ଝିଅ ମୁହଁରେ ମୁଠା ଆହାର ଦେଉଛନ୍ତି ପରିମଳଙ୍କ ସ୍ତ୍ରୀ ପ୍ରଭାତି ।
ପରିମଳଙ୍କ ଦୁର୍ଦଶାର ଖବର ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ସ୍ଥାନୀୟ ଯୁବକ ତଥା ସମାଜ ସେବୀ ବିନୋଦ ଟାୱାରୀ ତାଙ୍କୁ ୨୦ ହଜାର ଟଙ୍କା ଆର୍ଥୀକ ସହାୟତା ଓ କିଛି ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି । କିନ୍ତୁ ପ୍ରଶାସନିକ ବାବୁଙ୍କ ଦୃଷ୍ଟି ଏଯାଏଁ ଏହି ବିକଳ ଚିତ୍ର ଉପରେ ପଡିପାରି ନାହିଁ ।
Follow Us