କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଲକାନଗିରି ୭ ଦିନ ପାଇଁ ଲକଡାଉନ: ଜାରି ରହିବ ଜରୁରୀକାଳୀନ ସେବା; ଆବଶ୍ୟକତା ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ

155

କନକ ବ୍ୟୁରୋ: ମାଲାକାନଗରି ସହରରେ ଲାଗୁ ହେବ ସାତ ଦିନିଆ ଲକଡାଉନ । ୧୩ ତାରିଖ ମଧ୍ୟ ରାତ୍ରିରୁ ୧୯ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ । ବାଲିମେଳା ଏନଏସି ଅଂଚଳରେ ମଧ୍ୟ ଏହି କଟକଣା ଲାଗୁ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ମାଲକାନଗିରି ଜିଲ୍ଲାର ଏହି ଦୁଇ ସହରାଂଚଳରେ କିଛି ଦିନ ମଧ୍ୟରେ ଅଧିକରୁ ଅଧିକ କରୋନା ପଜିଟିଭ୍ ମାମଲା ଚିହ୍ନଟ ହୋଇଛନ୍ତି । ପରିସ୍ଥିତିକୁ ନଜରରେ ରଖି ସଂକ୍ରମଣ ରୋକିବା ପାଇଁ ଉଭୟ ସହରାଂଚଳରେ ଲକଡାଉନ କଟକଣାକୁ କଡାକଡି ଲାଗୁ କରିବାକୁ ନିଷ୍ପତି ନେଇଛି ପ୍ରଶାସନ ।

ଏହି ସମୟରେ କୌଣସି ଟ୍ୟାକ୍ସି, ଅଟୋ- ରିକ୍ସା ଚଳପ୍ରଚଳ କରିପାରିବ ନାହିଁ । ତେବେ ସ୍ୱାସ୍ଥ୍ୟ ସେବାରେ ଜଡିତ ଗାଡି ଚଳପ୍ରଚଳ କରିପାରିବ । ସେହିପରି ଜରୁରୀ କାଳିନ ସାମଗ୍ରୀ ପରିବହନ କରୁଥିବା ଗାଡି ଯାତାୟତ କରିପାରିବ । ସମସ୍ତ ଦୋକାନ, ବାଣିଜ୍ୟକ ପ୍ରତିଷ୍ଠାନ, ଅଫିସ ଓ ଶିଳ୍ପ, ଗୋଦାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକମାନଙ୍କୁ ଘରୁ ନବାହାରିବାକୁ କୁହାଯାଇଛି । ତେବେ ଜରୁରୀ କାଳିନ ସେବା ଯୋଗାଉଥିବା ପୋଲିସ, ସ୍ୱାସ୍ଥ୍ୟ, ଅଗ୍ନିଶମ ଓ ଅନ୍ୟାନ୍ୟ ସେବା ଯୋଗାଉଥିବା କର୍ମଚାରୀଙ୍କ ଯିବା ଆସିବାକୁ ଅନୁମତି ରହିଛି ।