ପାସବୁକ୍ ପାଇଁ ୪୫ କିଲୋମିଟର ପଦଯାତ୍ରା । ବ୍ୟାଙ୍କ ଖାତା ଖୋଲି ଭତା ପାଇବା ପାଇଁ ତିନି ଦିନ ଧରି ଜଙ୍ଗଲ ରାସ୍ତାରେ ଚାଲିଲେ ବୟସ୍କ ବ୍ୟକ୍ତି, ଫୋନ ନମ୍ବର ନଥିବାରୁ ଫେରାଇ ଦେଲା ବ୍ୟାଙ୍କ ।

122

କନକ ବ୍ୟୁରୋ : ବ୍ୟାଙ୍କ ପାସବୁକ୍ ଲାଗି ପାଦରେ ଚାଲି ଚାଲି ସହରକୁ ଆସିଛନ୍ତି ଘାଟି ମଣିଷ । ପେନସନ୍ ପାଇଁ ସରକାର ପାସବୁକ୍ ସଂଯୋଗୀକରଣ ବାଧ୍ୟତାମୂଳକ କରିଥିବାରୁ ଘାଟିର ଆଦିବାସୀ ବୃଦ୍ଧବୃଦ୍ଧାଙ୍କୁ ଭତା ନ ମିଳିବାର ଭୟ ଘାରିଛି । ତେଣୁ ୪୫ କିଲୋମିଟର ରାସ୍ତା ଚାଲିବାକୁ ବାଧ୍ୟ ହୋଇଛନ୍ତି ତୁଳସୀ ଘାଟିର ବୟସ୍କ ବୃଦ୍ଧବୃଦ୍ଧା । ତେବେ ବ୍ୟାଙ୍କ ପାସବୁକ୍ ପାଇଁ ଆଦିବାସୀ ମଣିଷ ସିନା ପାହାଡ-ଜଙ୍ଗଲ ରାସ୍ତା ଚାଲିଲେ, ଜଙ୍ଗଲ ଭିତରେ ରାତି କାଟିଲେ, ହେଲେ ବ୍ୟାଙ୍କରୁ ପାସବୁକ୍ ମିଳିଲା ନାହିଁ । ମୋବାଇଲ ନଥିବା କହି ଆକାଉଂଟ ଖୋଲିଲେ ନାହିଁ ବ୍ୟାଙ୍କ କର୍ତ୍ତୃପକ୍ଷ । ଏଭଳି ସ୍ଥିତିରେ ଘାଟି ମଣିଷର ଯନ୍ତ୍ରଣା ବୁଝିବ କିଏ ।

ଘାଟି ମଣିଷ ପାଇଁ ପେନସନ୍ ଯୋଜନାର କଷ୍ଟ । ଭତା ଟଙ୍କା ପାଇଁ ଅଡୁଆ ବଢାଇଛି ବ୍ୟାଙ୍କ ପାସବୁକ୍ । ବ୍ୟାଙ୍କରେ ପାସବୁକ୍ ନଥିଲେ କାଳେ ପେନସନ୍ ତାଲିକାରୁ ନା କଟିଯିବ, ଆଉ ଟଙ୍କା ମିଳିବନି, ସେଇ ଭୟରେ ଆକାଉଂଟ ଖୋଲିବା ପାଇଁ ଜଙ୍ଗଲ ରାସ୍ତାରେ ଚାଲିଚାଲି ବ୍ଲକ ସଦର ମହୁକମାରେ ପହଞ୍ଚିଛନ୍ତି ମାଲକାନଗିରି ମାଥିଲି ବ୍ଲକ ଦୁର୍ଗମ ତୁଳସୀ ଗାଁର ବୃଦ୍ଧବୃଦ୍ଧା ।

ବ୍ୟାଙ୍କ ପାସବୁକ୍ ପାଇଁ ୪୫ କିଲୋମିଟର ପଦଯାତ୍ରା । ହାଡଭଙ୍ଗା ଶୀତରେ ଜଙ୍ଗଲରେ ବିତିଲା ରାତି । ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ତୁଳସୀ ପାହାଡରୁ ଆରମ୍ଭ ହୋଇଥିଲା ଘାଟି ମଣିଷଙ୍କ ପଦଯାତ୍ରା । ହାତରେ ମାଣ୍ଡିଆ ପେଜ । ଦୁର୍ବଳ ଲାଗିଲେ ଏହି ପେଜ ପିଇ ଆଗକୁ ବଢିବେ । ଜଙ୍ଗଲ ଭିତରେ ରାତି କଟିବା ପରେ ପୁଣି ଆରମ୍ଭ ହୋଇଥିଲା ପଦଯାତ୍ରା । ସବୁ ଯନ୍ତ୍ରଣାକୁ ଭୁଲି ବ୍ୟାଙ୍କରେ ପହଞ୍ଚିଥିଲେ । କିନ୍ତୁ ମୋବାଇଲ ନ ଥିଲେ ବ୍ୟାଙ୍କ ଆକାଉଣ୍ଟ ଖୋଲି ହେବନି କହି ଫେରାଇ ଦେଇଥିଲେ ବ୍ୟାଙ୍କ କର୍ତୃପକ୍ଷ ।

ଏବେ ପ୍ରଶ୍ନ ଉଠୁଛି
ଘାଟି ମଣିଷଙ୍କ ହାତରେ ମୋବାଇଲ ଆସିବ କୁଆଡୁ ?
ଖଟି ଖାଉଥିବା ମଣିଷ ମୋବାଇଲ୍ କିଣିବେ କେମିତି ?
ମୋବାଇଲ ନଥିଲେ କ’ଣ ବ୍ୟାଙ୍କରେ ଆକାଉଂଟ ଖୋଲି ହେବନାହିଁ ?
କ’ଣ ମୋବାଇଲର କୌଣସି ବିକଳ୍ପ ନାହିଁ ?

ବ୍ୟାଙ୍କରେ ପାସବୁକ୍ ଖୋଲିବା ପାଇଁ ମୋବାଇଲ୍ ଜରୁରୀ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହୁଥିବା ବେଳେ ହାତରେ ମୋବାଇଲ ଦେଖିଲେ କଠୋର ହେଉଛନ୍ତି ମାଓବାଦୀ । ଏଭଳି ସ୍ଥିତିରେ ଦୋ-ଛକିରେ ପଡିଛନ୍ତି ଘାଟି ଅଂଚଳର ବାସିନ୍ଦା ।