ବଣ୍ଡାଘାଟିରେ କରୋନା ସଂକ୍ରମଣକୁ ଗୁରୁତର ସହ ନେଲା ମାଲକାନଗିରି ପ୍ରଶାସନ । ଘାଟି ମଣିଷଙ୍କୁ ଭେଟିବା ସହ ସ୍ଥିତିର ଅନୁଧ୍ୟାନ କଲେ ଜିଲ୍ଲାପାଳ, ଘରକୁ ଘର ବୁଲି ସର୍ଭିଲାନ୍ସ କରିବାକୁ ନିର୍ଦ୍ଦେଶ

121

କନକ ବ୍ୟୁରୋ : ବଣ୍ଡା ଘାଟିରେ କରୋନା ବ୍ୟାପିବାର ଖବର ପ୍ରସାରଣ ପରେ ଏହାକୁ ଗୁରୁତର ସହ ଗ୍ରହଣ କରିଛି ମାଲାକନଗିରି ଜିଲ୍ଲା ପ୍ରଶାସନ । ମାଲକାନଗିରିର କରୋନା ପ୍ରଭାବିତ ବଣ୍ଡାଘାଟି ଗସ୍ତ କରିଛନ୍ତି ଜିଲ୍ଲାପାଳ । ଘାଟି ମଣିଷଙ୍କୁ ଭେଟିବା ସହ କରୋନା ସ୍ଥିତିର ଅନୁଧ୍ୟାନ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ୱାଇ. ବିଜୟ ।
କରୋନାକୁ ମାତ୍ ଦେବା ଲାଗି ସେ ବଣ୍ଡା ମଣିଷଙ୍କ ସହଯୋଗ ଲୋଡିଛନ୍ତି । ଘାଟି ଲୋକେ ନିର୍ଭର କରୁଥିବା ଅନକାଡେଲି ସାପ୍ତାହିକ ହାଟ ଯିବା ରାସ୍ତାକୁ ବନ୍ଦ କରାଯାଇଛି । ମୁଦୁଲିପଡା ଠାରେ କ୍ଲଷ୍ଟର ସଂଗରୋଧ କେନ୍ଦ୍ର କରାଯାଇଛି । ସେହିପରି ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବା ଲାଗି ମୁଦୁଲିପଡା ଠାରେ ପ୍ରଶାସନ ବ୍ୟବସ୍ଥା କରିଛି । ଏହା ସହିତ ବଣ୍ଡାଘାଟିକୁ ସ୍ୱତନ୍ତ୍ର ନଜର ରଖିଛି ଜିଲ୍ଲା ପ୍ରଶାସନ । ଘରକୁ ଘର ବୁଲି ମେଡିକାଲ ଟିମ୍ ସର୍ଭିଲାନ୍ସ କରାଯିବାକୁ ସ୍ୱାସ୍ଥ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ତେବେ କରୋନା ଚେନ କୁ ଭାଙ୍ଗିବା ଲାଗି କରୋନାର ସମସ୍ତ ନିୟମ ମାନି ସହଯୋଗ କରିବାକୁ ଜିଲ୍ଲାପାଳ ଘାଟି ମଣିଷଙ୍କୁ ପରାମର୍ଶ ଦେବା ସହିତ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ନେଇ ସଚେତନତା କରିଛନ୍ତି । ବଣ୍ଡାଘାଟିରେ ବର୍ତମାନ ସୁଦ୍ଧା ବଣ୍ଡାଘାଟିରେ ୧୨ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।