ଶିଖରରେ ଶିକ୍ଷା ଗ୍ରହଣ । ବିକାଶର ବହୁ ଦୂରରେ ଆଦିବାସୀ ଅଂଚଳ । ଅନଲାଇନ ପାଠପଢା ପାଇଁ ପାହାଡ ଚଢୁଛନ୍ତି ଛାତ୍ରଛାତ୍ରୀ

41

କନକ ବ୍ୟୁରୋ: ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରି। ବିକାଶ ଏଠି ସାତ ସପନ। ଜିଲ୍ଲା ସଦର ମହକୁମା, ବ୍ଲକ ସଦର ମହକୁମା ଏବଂ କିଛି ପଞ୍ଚାୟତ ସଦର ମହକୁମାକୁ ଛାଡି ଦେଲେ ଅନ୍ୟ ସବୁ ଅଂଚଳ ଦୁର୍ଗମ ଏବଂ ଅପହଞ୍ଚ। ପୁଣି ଜିଲ୍ଲା ନକ୍ସଲ ପ୍ରବଣ ଭାବେ ବେଶ ପରିଚିତ। ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ଭୁଷୁଡି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଗତ ୯ ମାସ ହେଲା ସ୍କୁଲ କଲେଜ ବନ୍ଦ ଥିବାରୁ ପିଲାମାନେ ନିଜର ପୂର୍ବ ପାଠ ମଧ୍ୟ ଭୁଲିଗଲେଣି। ସରକାର ଅନଲାଇନ ଶିକ୍ଷାର ବ୍ୟବସ୍ଥା କରିଥିଲେ ମଧ୍ୟ ଜିଲ୍ଲାରେ ନେଟଵର୍କର ସମସ୍ୟା ରହିଥିବାରୁ ଏହା ଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ।

ମାଲକାନଗିରି ଭଳି ଅନୁନ୍ନତ ଜିଲ୍ଲାରେ ଲୋକେ ଦୁଇ ବେଳା ପେଟ ପୁରାଇବା ପାଇଁ କାମଧନ୍ଦା ଖୋଜୁଥିବା ବେଳେ ସ୍ମାର୍ଟଫୋନ୍‌ କିଣି ପିଲାଙ୍କୁ ପାଠ ପଢାଇବା ଦୂରର କଥା। ତେବେ କାଁ ଭାଁ ଅଂଚଳରେ କିଛି ଅଭିଭାବକମାନେ ନିଜର ପିଲାଙ୍କୁ ପାଠ ପଢାଇବା ପାଇଁ ଘରେ ଥିବା ଗୋଟିଏ ମାତ୍ର ମୋବାଇଲକୁ ଦେଉଥିବା ଦେଖିବାକୁ ମିଳୁଛି। ତେବେ ଦୁର୍ଗମ ଅଂଚଳରେ ନେଟଵର୍କର ଅସୁବିଧା ରହିଥିବାରୁ ପିଲାମାନେ ପାହାଡ ଉପରେ କିମ୍ବା ମଞ୍ଚା କରି ତାହାରି ଉପରେ ବସି ପାଠ ପଢୁଥିବା ଦେଖିବାକୁ ମିଳିଛି। ତାହା ମଧ୍ୟ ବେଳେ ବେଳେ ନେଟଵର୍କ ଲାଗେ ବେଳେ ବେଳେ କଟିଯାଏ। ବହୁ କଷ୍ଟରେ ପିଲାମାନେ ପାଠ ପଢୁଥିବା ଲକ୍ଷ୍ୟ କରାଯାଇଛି।

ଜିଲ୍ଲାରେ ଗରିବରୁ ଅଦି ଗରିବ ପିଲାମାନେ ସରକାରୀ ସ୍କୁଲରେ ପାଠ ପଢୁଥିବା ବେଳେ ଅନଲାଇନ ପାଠ ସେମାନଙ୍କ ପାଇଁ ସ୍ବପ୍ନ। ତେବେ ସରକାର ଜିଲ୍ଲାରେ କିଭଳି ନେଟୱାର୍କ ସେବା ସୁରୁଖୁରୁରେ ଚାଲିବ ସେନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି ସତ କିନ୍ତୁ ଏହା କେବେ କାର୍ଯ୍ୟକ୍ଷମ ହେବ ତାହା ଦେଖିବାକୁ ବାକି ରହିଲା। ସ୍ବାଭିମାନ ଅଂଚଳରେ ଦୀର୍ଘ ସାତ ଦଶନ୍ଧି ପରେ ଏବେ ଲୋକେ ପକ୍କା ରାସ୍ତା ଦେଖିଥିବା ବେଳେ ମୋବାଇଲ ସେବା ମଧ୍ୟ ଧିରେ ଧିରେ ପହଞ୍ଚିବାକୁ ଲାଗିଲାଣି। ସ୍ବାଭିମାନ ଅଂଚଳର ୬୭୧୯ ଜଣ ପରିବାରକୁ ସରକାର ମୋବାଇଲ ସେବା ଯୋଗାଇ ଦେଉଛନ୍ତି।

ତେବେ ସଂପୂର୍ଣ୍ଣ ସ୍ବାଭିମାନ ଅଂଚଳରେ କିନ୍ତୁ ମୋବାଇଲ ସେବା ନଥିବା ଦେଖିବାକୁ ମିଳିଛି। ତେବେ ଲୋକେ କିପରି ମୋବାଇଲ ଧରି କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି। ବଣ୍ଡାଘାଟି ଅଂଚଳରେ ମୋବାଇଲ ନେଟଵର୍କ ନଥିବାରୁ ପିଲାମାନେ ଏଠାରେ ମଧ୍ୟ ପାହାଡ ଉପରେ କିମ୍ବା ମଂଚା ଉପରେ ବସି ପାଠ ପଢୁଥିବା ଦେଖିବାକୁ ମିଳିଛି।

ଅନଲାଇନରେ ପାଠପଢା ଏକ ପ୍ରକାର ବିଫଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଜିଲ୍ଲାରେ ସରକାର ଲୋକଙ୍କୁ ରୋଜଗାରର ମାଧ୍ୟମ ଦେଖାିବା, ରାସ୍ତାଘାଟ ନିର୍ମାଣ କରିବା ଏବଂ ଶିକ୍ଷାର ବିକାଶ ପାଇଁ ପ୍ରତ୍ୟେକ ପଞାୟତରେ ସ୍କୁଲ ଖୋଲିବା ବାଞ୍ଝନିୟ। ସ୍କୁଲ କଲେଜ ବନ୍ଦ ଥିବାରୁ ଦୁର୍ଗମ ଅଂଚଳର ପିଲାମାନେ ପ୍ରାୟତଃ ଜଂଗଲରେ ବୁଲୁଥିବା ଦେଖିବାକୁ ମିଳୁଛି ନଚେତ ଘରର କାମରେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷାରେ କିପରି ଶିକ୍ଷା ଆଗକୁ ବଢିବ ତାହା ସହଜରେ ଅନୁମେୟ। ପାହାଡ ଚଢି ପାଠପଢିବା କେତେ କଷ୍ଟକର ତାହା ସେହି ଅଂଚଳର ପିଲାଙ୍କୁ ହିଁ ଠିକ ଭାବେ କହିପାରିବେ। ପାଠ ପ୍ରତି ରହିଥିବା ଆଗ୍ରହ ସେମାନଙ୍କୁ ପାହାଡ ଚଢିବାକୁ ବାଧ୍ୟ କରୁଥିବା ଅଭିଭାବକମାନେ କହନ୍ତି। ତେବେ ମାଲକାନଗିରି ଜିଲ୍ଲାର ପିଲାମାନେ ଘରେ ବସି ଅନଲାଇନରେ ପାଠ ପଢିବେ ତାହା ଦେଖବାକୁ ବାକି ରହିଲା।