କନକ ବ୍ୟୁରୋ : ଧାନ ମଣ୍ଡି ଖାଁ ଖାଁ । ନାଁ ଚାଷୀ ଅଛନ୍ତି, ନା ମିଲର । ଆସୁନାହାନ୍ତି ଅଧିକାରୀ । ମାଲକାନିଗିରି ଜିଲ୍ଲାର ମଣ୍ଡିରୁ ଆସିଛି ଏମିତି ଚିତ୍ର । ଖରିଫ ଧାନ କିଣାବିକା ପାଇଁ ମାର୍ଚ୍ଚ ୩୧ ଯାଏଁ ମଣ୍ଡି ଖୋଲା ରହିଛି । ହେଲେ ମଣ୍ଡିରେ ଚାଷୀଙ୍କ ପାଦ ପଡୁନାହିଁ । ଜିଲ୍ଲାରେ ମୋଟ ୩୯ ହଜାର ୯୮୬ ଚାଷୀ ପଂଜିକରଣ କରିଛନ୍ତି । ତେବେ ବର୍ତମାନ ସୁଧା ମାତ୍ର ୨୪ ହଜାର ୯୯୬ ଚାଷୀ ଧାନ ବିକ୍ରୀ କରିଛନ୍ତି ।

Advertisment

ଚଳିତ ବର୍ଷ ବିଳମ୍ବରେ ମଣ୍ଡି ଖୋଲିବାରୁ ଅଧିକାଂଶ ଚାଷୀ ଆଗୁଆ ପଡୋଶୀ ରାଜ୍ୟ ବ୍ୟବସାୟୀଙ୍କୁ ଧାନ ବିକି ଦେଇଥିଲେ । ଚାଷୀଙ୍କ କହିବା ଅନୁସାରେ, ଓଡି଼ଶାର ମଣ୍ଡି ତୁଳନାରେ ଛତିଶଗଡ଼ ବ୍ୟବସାୟୀଙ୍କ ଠାରୁ ଅଧିକ ଦର ମିଳୁଛି । ମଣ୍ଡିରେ କ୍ୱିଂଟାଲ ପିଛା ୨୧ଶହ ୮୩ ଟଙ୍କା ମିଳୁଥିବା ବେଳେ ଛତିଶଗଡ଼ ବ୍ୟବସାୟୀ ୨୨ଶହ ଟଙ୍କା ଦେଇ ଘରୁ ଧାନ କିଣି ନେଉଛନ୍ତି । ତେଣୁ ମଣ୍ଡିକୁ ଧାନ ଆଣିବାକୁ ପସନ୍ଦ କରୁ ନାହାନ୍ତି ଚାଷୀ ।

ଲକ୍ଷ ଠାରୁ ବହୁ ଦୂରରେ ଯୋଗାଣ ବିଭାଗ । ଗତବର୍ଷ ମାଲାକନଗିରିରେ ୨ଟି ପର୍ଯ୍ୟାୟରେ ୧୧ ଲକ୍ଷ ୬୮ ହଜାର ୨୮୭ କ୍ୱିଂଟାଲ ଧାନ କିଣା ହୋଇଥିଲା । ଏ ବର୍ଷ ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ୪୦ ହଜାର ୨୯୮ କ୍ୱିଂଟାଲ ଧାନ କିଣିବାକୁ ଟାର୍ଗେଟ ରହିଛି । ଏବେ ସୁଧା ମାତ୍ର ୯ ଲକ୍ଷ ୧୫ ହଜାର ୪୪୨ କ୍ୱିଂଟାଲ ଧାନ କିଣା ହୋଇଛି ।

ପୂର୍ବୁରୁ ମଣ୍ଡିରେ ଧାନ ବିକିବା ପାଇଁ ଚାଷୀ ଦିନ ରାତି ଏକ କରି ଦେଉଥିଲେ । ପ୍ରଥମ ଟାର୍ଗେଟ ପରେ ଦ୍ୱିତୀୟ ଟାର୍ଗେଟ ଆସୁଥିଲା । ତଥାପି ଚାଷୀଙ୍କ ସମ୍ପୁର୍ଣ୍ଣ ଧାନ କିଣା ହୋଇ ପାରୁନଥିଲା । ହେଲେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ପଡୋଶୀ ରାଜ୍ୟର ବର୍ଦ୍ଧିତ ସହାୟତ ମୂଲ୍ୟର ପ୍ରଭାବ ଓଡିଶା ମଣ୍ଡିରେ ପଡିଛି ।